ନୂଆ ଧାରାରେ ସେହି ରୋମାଞ୍ଚ, ଆଈ ମା’ କାହାଣୀ କହୁଛି ‘ଦାଦି ଟାଇମ୍‌’

ଭୁବନେଶ୍ବର: ବହୁତ ଦିନ ତଳର କଥା। ଜଣେ ରାଜା ଥିଲେ। ନୂଆ ପୋଷାକ ପିନ୍ଧିବାରେ ତାଙ୍କର ଭାରି ସଉକ। ଦିନେ ଗୋଟେ ବଡ଼ ଉତ୍ସବ ଆସିବାରୁ ରାଜା ଘୋଷଣା କଲେ, ଯିଏ ମୋ ପାଇଁ ଭଲ ପୋଷାକଟେ ତିଆରି କରିଦେବ ମୁଁ ତାକୁ ତା’ ମନ ମୁତାବକ ପୁରସ୍କାର ଦେବି। ସେଇଠୁ କ’ଣ ହେଲା…।

ଯଦି ଆପଣ କେବେ ଆଈ ମା’ଙ୍କଠୁ କାହାଣୀ ଶୁଣିଥିବେ, ତେବେ ଉପରୋକ୍ତ ବାକ୍ୟଗୁଡ଼ିକର ରହସ୍ୟ ଆପଣ ନିଶ୍ଚୟ ବୁଝିପାରୁଥିବେ। ମାତ୍ର ଆଜିକାଲିର ଏକାନ୍ନବର୍ତୀ ପରିବାରରେ ନାତି ନାତୁଣୀମାନେ ଆଈ ମା’ଙ୍କଠୁ ଢେର୍‌ ଦୂରରେ। ନା ସେ ବୁଢ଼ି ଅସୁରୁଣୀର ଗପ ଶୁଣୁଶୁଣୁ ଆଈ ମା’ ଲୁଗା କାନି ତଳେ ଡରରେ ମୁହଁ ଲୁଚେଇବାର ସମୟ ଅଛି, ନା ଜହ୍ନ ରାଇଜର ଯାଦୁକର କଥାକୁ ଆଁ’ କରି ଏକଲୟରେ ଶୁଣିବାର ଅବକାଶ ଅଛି। ତେବେ ଶିଶୁର ସୃଜନ ଧାରାକୁ ତା ମସ୍ତିଷ୍କରେ କଡ଼ ଲେଉଟାଇବାରେ ସାହାଯ୍ୟ କରୁଥିବା ଏହି ଆଈ ମା’ କାହାଣୀ ନୂଆ ଧାରାରେ ପୁନର୍ଜୀବନ ପାଇଛି। ଷ୍ଟୋରି ଟେଲର (ଗପ କୁହାଳୀ) ପ୍ରାଚୀତାରା ପିଲାଙ୍କ ଭେଟି ଦେଉଛନ୍ତି ‘ଦାଦି ଟାଇମ୍‌’। ପିଲାମାନେ ମୋବାଇଲ୍‌ ସହ ବନ୍ଧୁତା ବାନ୍ଧୁଥିବା ବେଳେ ସେଇ ହାତ ପାପୁଲିରେ ଆଈ ମା’ କାହାଣୀ ୟୁ-ଟ୍ୟୁବ୍‌ରେ କହୁଛନ୍ତି ପ୍ରାଚୀତାରା। ଆଈ ମା’ ବେଶରେ, ଥରଥର କଣ୍ଠ ସ୍ବରରେ ତାଙ୍କ କାହାଣୀ ଖାଲି ରୋମାଞ୍ଚ ଭରୁନାହିଁ, ବରଂ ହସିହସି ଗଡ଼ିଯିବାକୁ ଅବସର ସୃ‌ଷ୍ଟି କରୁଛି। ୟୁ-ଟ୍ୟୁବ୍‌ରେ ପ୍ରାଚୀତାରାଙ୍କର ୭୦ଟି କାହାଣୀ ପ୍ରସାରିତ ‌ହୋଇ ସାରିଥିବା ବେଳେ ‘ଦାଦି ଟାଇମ୍‌’ ଏପର୍ଯ୍ୟନ୍ତ ୫ଟି ଏପିସୋଡ୍‌ ପ୍ରସାରିତ ହୋଇଛି। ପ୍ରତ୍ୟେକ କାହାଣୀର ଅବଧି ୪ରୁ ୮ ମିନିଟ୍‌ ରହିଛି। ସଂପ୍ରତି ଲକ୍‌ଡାଉନରେ ପିଲାମାନେ ଘରେ ରହୁଥିବା ବେଳେ ସେମାନଙ୍କ ଭିତରେ ଚିଡ଼ଚିଡ଼ାପଣ ବଢ଼ୁଛି। ଏହି ସମୟରେ ଏପରି କାହାଣୀ ସେମାନଙ୍କୁ ଉପଶମ କରିବ।

ପ୍ରାଚୀତାରା କହିଛନ୍ତି, ପିଲାମାନେ ମୋବାଇଲ୍‌କୁ ବେଶି ପସନ୍ଦ କରୁଥିବା ବେଳେ ଯଦି ଆମେ ଏହା ମାଧ୍ୟମରେ କିଛି ମଜାଳିଆ ଓ ରୋମାଞ୍ଚଭରା କାହାଣୀ ଶୁଣାଇପାରିବା ତେବେ ପିଲାମାନେ ନିଶ୍ଚୟ ଏଥିରୁ ଉପକୃତ ହେବେ। ସେଇ ଆଧାରରେ ମୁଁ ରାହଗିରି ଓ ପଥୋତ୍ସବରେ କାହାଣୀ କହିବା ଆରମ୍ଭ କରିଥିଲି। ଏହା ମତେ ଅନୁପ୍ରାଣିତ କଲା। ଜଣେ ସାମ୍ବାଦିକା ଭାବେ କାମ କରୁଥିବା ବେଳେ ଏସବୁକୁ ଅନୁଧ୍ୟାନ କରି ଗପ କହିବାର ଧାରାକୁ ପୁନର୍ଜୀବନ ଦେବାକୁ ଚେଷ୍ଟା କଲି। ପରେ ଭୂ-ଫେଷ୍ଟୋରେ ପିଲାମାନଙ୍କୁ ଗପ କହିବା ପରେ ପିଲାମାନେ ଅଟୋଗ୍ରାଫ ନେବା ମତେ ଆହୁରି ଅନୁପ୍ରାଣିତ କଲା। ପିଲାମାନଙ୍କ ସମ୍ମୁଖରେ ଗପ ପରିବେଷଣ କରିବା ଯଦିଓ ନିଆରା କିନ୍ତୁ ସବୁବେଳେ ସେ ଅବକାଶ ନଥାଏ। ତେଣୁ ୟୁ-ଟ୍ୟୁବ ଜରିଆରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଗପ ପରିବେଷଣ କରୁଛି। ଅଧିକାଂଶ ଗପ ଓଡ଼ିଆରେ ରହିଛି। ‘ଦାଦି ଟାଇମ୍‌’ ଆହୁରି କିଛି ଏପିସୋଡ୍‌ ପ୍ରସ୍ତୁତ କରିବି। ଫଳରେ ପିଲାମାନଙ୍କର ଯେଉଁ ଅଭାବବୋଧ ରହିଯାଇଥିଲା ତାହା ଅନେକାଂଶରେ ପୂରଣ କରିପାରିବି ବୋଲି ପ୍ରାଚୀତାରା କହିଛନ୍ତି।

ସମ୍ବନ୍ଧିତ ଖବର