ନିଶା ବେପାରର ନୂଆ ତରିକା, ନିଶାଡ଼ିଙ୍କ ପାଖରେ ପହଞ୍ଚୁଛନ୍ତି ବେପାରୀ

ଭୁବନେଶ୍ବର: ନିଶା ବେପାରୀଙ୍କୁ ତଡ଼ିପାର୍‌ କରିବାକୁ କମିସନରେଟ୍ ପୁଲିସ୍ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। କିନ୍ତୁ ପୁଲିସ ଡାଳେ ଡାଳେ ଗଲେ ନିଶା ବେପାରୀ ପତ୍ରେ ପତ୍ରେ ଯାଉଛନ୍ତି। ସେମାନେ ଏବେ ବେପାରର ତରିକା ବଦଳାଇ ଦେଇଛନ୍ତି। ନିଶାଡ଼ିକୁ ସେମାନଙ୍କ ପାଖକୁ ଆସିବାକୁ ପଡ଼ୁନାହିଁ, ବରଂ ସେମାନେ ନିଶାଡ଼ିଙ୍କ ପାଖରେ ପହଞ୍ଚି ଯାଉଛନ୍ତି। ଏଥିପାଇଁ ଗୋଟିଏ ମାତ୍ର ଫୋନ କଲ ଆବଶ୍ୟକ। ଏଭଳି ତରିକାରେ ନିଶା ବେପାର ଚଳାଇଥିବା ଜଣେ ବେପାରୀକୁ ଆଜି ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ତା ନାଁ ମଙ୍ଗଳ ଦାସ। ସେ କଟକ ରୋଡ୍‌‌ରେ ଥିବା ହଠାତ କଲୋନିରେ ରହୁଥିଲା। ପୁଲିସ ତା’ ନିକଟରୁ ୭ ଗ୍ରାମ ପାଖାପାଖି ବ୍ରାଉନସୁଗାର, ନଗଦ ୪ ହଜାର ଟଙ୍କା ଓ ବ୍ରାଉନସୁଗାର କାରବାରରେ ବ୍ୟବହୃତ ଏକ ଅଟୋ ଓ ମୋବାଇଲ୍ ଜବତ କରିଛି। ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟାନିଧି ନାୟକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ମଙ୍ଗଳ ରାଜଧାନୀରେ ଏଭଳି କାରବାର କରୁଥିବା ନେଇ ପୁଲିସ ପାଖରେ ଖବର ପହଞ୍ଚିଥିଲା। ତେଣୁ ତାକୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲା। ନିଶାଡ଼ି ଭଳି ଆଚରଣ କରି ମଙ୍ଗଳକୁ ଫୋନରେ ଯୋଗାଯୋଗ କରାଯାଇଥିଲା। ସେ କଟକ ରୋଡ୍ ଓଭରବ୍ରିଜ୍ ନିକଟରେ ପହଞ୍ଚିବା ପରେ ସେଠାରେ ଲୁଚି ରହିଥିବା ପୁଲିସ୍ର ଟିମ୍ ତାକୁ ସେଠାରେ ଅଟୋ ସହ କାବୁ କରିନେଇଥିଲା। କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ ବ୍ରାଉନସୁଗାର’ରେ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ସୁଦ୍ଧା ୭ଟି ମାମଲା ରୁଜୁ କରି ୧୦ଜଣ ନିଶା ବେପାରୀଙ୍କୁ ଗିରଫ କରି ସାରିଲାଣି। ଇନ୍ସପେକ୍ଟର ଶ୍ରୀ ନାୟକ କହିଛନ୍ତି, ଗିରଫ ୧୦ଜଣଙ୍କ ମଧ୍ୟରୁ ଆୟେଶା ବିବି, ସରିଫ ଖାନ, ତୁଳସୀ ଦଳସ, ଅଜୟ ପରିଡ଼ା, ଦିଲ୍ଲୀପ ସିଂହ, ପ୍ରଦୀପ ପ୍ରଧାନ, ସଂଜୟ ମହାନ୍ତି ପ୍ରମୁଖ ରିଫ୍ୟୁଜି ବଙ୍ଗାଳୀ। ତେଣୁ ଏହି ବ୍ରାଉନସୁଗାର କାରବାରରେ କେତେକ ରିଫ୍ୟୁଜି ବଙ୍ଗାଳୀ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି। ଏମାନେ ପୂର୍ବରୁ ବହୁବାର ପୁଲିସ ହାତରେ ଗିରଫ ହୋଇଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଦଫା ୧୧୦ ଲାଗିବ ବୋଲି ପୁଲିସ କହିଛି। ସେହିପରି ନୂଆପଲ୍ଲୀ ଥାନା ପୁଲିସ ଦିଲ୍ଲୀପ ପ୍ରଧାନ, ଗଣେଶ ଜେନାଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୨ଗ୍ରାମ୍‌ର ବ୍ରାଉନସୁଗାର, ଜଟଣୀ ଥାନା ପୁଲିସ ଫେଲୁ ପଟ୍ଟନାୟକ ଓ ସଂଧ୍ୟାରାଣୀ ପଟ୍ଟନାୟକଠାରୁ ୮ଗ୍ରାମର ବ୍ରାଉନସୁଗାର, ସହିଦନଗର ଥାନା ପୁଲିସ ଲିପୁ ଖଟେଇ, ଶରତ ବେହେରା, ଆକାଶ ଅଉପମ, ସବ୍ୟସାଚୀ ବିଶ୍ବାସଙ୍କଠାରୁ ୧୭ଗ୍ରାମର ବ୍ରାଉନସୁଗାର ଜବତ କରିଛି।

ସମ୍ବନ୍ଧିତ ଖବର