ଖଣ୍ଡଗିରି: ଗତ ୧୭ ତାରିଖ ଦିନ ତମାଣ୍ଡୋ ଥାନା ଅନ୍ତର୍ଗତ ସିଜିପୁଟ ଅଞ୍ଚଳରେ ଜଣେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ନାବାଳିକା ଜଣକ ନିଜ ମାଆଙ୍କ ସହିତ ମିଶି ଘରୋଇ ସହାୟିକା ଭାବରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ। ତେବେ ଘରମାଲିକ ଜଣକ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ପରେ ଗର୍ଭପାତ କରିବା ଏବଂ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ନେଇ ମୃତ ନାବାଳିକାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ଆତ୍ମହତ୍ୟାର ରୂପଦେଇ ଅଭିଯୁକ୍ତଙ୍କୁ ଖସାଇ ଦିଆଯାଇଥିବା ଅଭିଯୋଗ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ନାବାଳିକା ଜଣକ ନିଜ ମାଆଙ୍କ ସହିତ ମିଶି ଏକ ଦମ୍ପତିଙ୍କ ଘରେ ଅଢ଼େଇ ବର୍ଷ ହେଲା କାମ କରୁଥିଲେ। ତେବେ ଘରମାଲିକ ନାବାଳିକାଙ୍କ ସରଳତାର ସୁଯୋଗ ନେଇ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଫଳରେ ଅମନ ନାବାଳିକାଙ୍କର ଗର୍ଭପାତ କରାଇଥିଲେ। ଏଥିରେ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ମଧ୍ୟ ସହଯୋଗ କରିଥିଲେ । ପରେ ଉଭୟ ମିଶି ନାବାଳିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ଥିଲେ। ଏଥିରେ ଭାଙ୍ଗିଯାଇ ନାବାଳିକା ଜଣକ ୧୭ ତାରିଖ ସକାଳେ ରେଲିଂରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ମୃତ ନାବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମୃତ୍ୟୁ ପରେ ଅମନ ଓ ବିଜୟଲକ୍ଷ୍ମୀ ମିଶି ଅଭିଯୋଗକାରିଣୀଙ୍କୁ ଗୃହବନ୍ଦୀ ରଖିଥିଲେ। ବାହାରେ ଏ କଥାକୁ ପ୍ରଘଟ କରିଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ତେବେ ନାବାଳିକାଙ୍କ ମାଆ କୌଣସି ମତେ ଘରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଅଭିଯୁକ୍ତ ପତ୍ନୀଙ୍କୁ ଥାନାରେ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଅଛି।
/sambad/media/agency_attachments/2024-07-24t043029592z-sambad-original.webp)