ରାଜଧାନୀରେ ରାହାଜାନି ରୋକିବା ପାଇଁ ଆଉ ପାଦେ : ହ୍ବାଟ୍‌ସଆପ୍‌ ନମ୍ବର ଜାରି କଲା କମିସନରେଟ୍‌ ପୁଲିସ

ଲୁଟ୍‌ ବା ଛିନ୍‌ତାଇ ହେଲେ ‌୭୦୭୭୭୯୮୧୧୧ ନମ୍ବରରେ ଜଣାନ୍ତୁ

ଭୁବନେଶ୍ବର : ରାଜଧାନୀରେ ଉଦ୍‌ବେଗଜନକ ଭାବେ ବଢ଼ୁଥିବା ରାହାଜାନିକୁ ନେଇ ଚିନ୍ତାରେ ପଡ଼ିଛି କମିସନରେଟ୍‌ ପୁଲିସ। ଏହାକୁ ରୋକିବା ସହ ଲୁଟ୍‌ ହେଉଥିବା ସାମଗ୍ରୀ ଜବତ କରିବା ପାଇଁ ପୁଲିସ ଯତ୍‌ପରନାସ୍ତି ଉଦ୍ୟମ ଆରମ୍ଭ କରିଛି। ନିକଟରେ ପ୍ରତି ଥାନାରେ ଜଣେ ଏସ୍‌ଆଇଙ୍କ ନେତୃତ୍ବରେ ସ୍ପେସାଲ ଟିମ୍‌ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଟ୍ରାଫିକ୍‌ ପୁଲିସଙ୍କୁ ‘ସିକ୍ରେଟ୍‌ ଟାସ୍କ’ ଜରିଆରେ ଏହି ଅଭିଯାନରେ ସାମିଲ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ମଧ୍ୟ ଯୋଜନା ହୋଇଛି।

ଏହା ସହିତ ଆଜି କମିସନରେଟ୍‌ ପୁଲିସ ଆଉ ଏକ ପଦକ୍ଷେପ ନେଇଛି। କେବଳ ରାହାଜାନି ମାମଲା ସଂପର୍କରେ ଅଭିଯୋଗ କରିବା ପାଇଁ ଗୋଟିଏ ହ୍ବାଟ୍‌ସଆପ୍‌ ନମ୍ବର ଜାରି କରାଯାଇଥିବା ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ। ଏହି ନମ୍ବର ହେଉଛି ୭୦୭୭୭୯୮୧୧୧। ଏହା କେବଳ ଭୁବନେଶ୍ବର ପାଇଁ ଉଦ୍ଦିଷ୍ଟ ରହିଛି। ରାହାଜାନିର ଶିକାର ହେଲେ ବା ଶିକାର ହେଉଥିବା ବେଳେ କାହାର ନଜର ପଡ଼ିଲେ ସେମାନେ ଏହି ନମ୍ବର ଜରିଆରେ ସବିଶେଷ ବିବରଣୀ ପଠାଇବାକୁ ପରାମର୍ଶ ଦିଆଯାଇଛି। କମ୍ପ୍ୟୁଟର ସହ ସଂଯୁକ୍ତ ରହିଥିବାରୁ ଏଥିରେ କଲ୍‌ ଯୋଗେ କଥାବାର୍ତ୍ତା ସୁଯୋଗ ରହିବ ନାହିଁ। ଏଣୁ କେବଳ ହ୍ବାଟ୍‌ସଆପ୍‌ ଜରିଆରେ ସୂଚନା ଦେବାକୁ କୁହାଯାଇଛି। ସୂଚନା ପହଞ୍ଚିବା ମାତ୍ରେ ଥାନାଗୁଡ଼ିକରେ ଥିବା ସ୍ପେସାଲ୍ ଟିମ୍‌ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ‌ନେବ। ଏହାଛଡ଼ା ପୂର୍ବପରି ଲୋକମାନେ ଡାଏଲ ୧୦୦ ବ୍ୟବସ୍ଥାକୁ ବ୍ୟବହାର କରିପାରିବେ। କିନ୍ତୁ ଗୋଟିଏ ସମୟରେ ଏକାଧିକ କଲ୍‌ ଆସୁଥିବାରୁ ଦୀର୍ଘ ସମୟ ଫୋନ୍‌ ବ୍ୟସ୍ତ ରହିବା ଆଶଙ୍କା ରହିଛି। କିନ୍ତୁ ହ୍ବାଟ୍‌ସଆପ୍‌କୁ ଆସୁଥିବା ସୂଚନାଗୁଡ଼ିକୁ ପ୍ରତି ମୁହୂର୍ତ୍ତରେ ଯାଞ୍ଚ କରିବା ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ୨୪ ଘଣ୍ଟା ଧରି କାମ କରିବ। କାର୍ଯ୍ୟରତ କର୍ମଚାରୀ ଏହାକୁ ଯାଞ୍ଚ କରି ସମ୍ପୃକ୍ତ ଥାନାର ସ୍ପେସାଲ ଟିମ୍‌କୁ ସୂଚନା ଦେବେ। ସ୍ପେସାଲ ଟିମ୍‌ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ଥିବା‌ ପ୍ରଶିକ୍ଷଣପ୍ରାପ୍ତ ଟ୍ରାଫିକ୍‌ କର୍ମଚାରୀଙ୍କୁ ଜଣାଇବ। ସୂଚନା ପାଇବା ମାତ୍ରେ ସେମାନେ ଧରପଗଡ଼ ଆରମ୍ଭ କରିବେ। ଏଣୁ ଅନେକାଂଶରେ ଏଭଳି ଅପରାଧ ରୋକାଯାଇ ପାରିବ ବୋଲି ଆଶା ପ୍ରକଟ କରିଛନ୍ତି ଡିସିପି ଶ୍ରୀ ଦାଶ।

ଉଲ୍ଲେଖଯୋଗ୍ୟ ଯେ ରାହାଜାନି ରୋକିବା ଓ ଅନୁସନ୍ଧାନ ପାଇଁ ଗତ ୮ ତାରିଖ ଦିନ ବିଭିନ୍ନ ଥାନାରେ ଜଣେ ଏସ୍‌ଆଇ ଓ ଦୁଇଜଣ କନେଷ୍ଟବଳଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ କାର୍ଯ୍ୟ ଜାରି ରଖିଥିବା ବେଳେ ଗତକାଲି ଟ୍ରାଫିକ୍‌ ପୁଲିସଙ୍କୁ ‘ସିକ୍ରେଟ୍‌ ଟାସ୍କ’ ଜରିଆରେ ଏଥିରେ ସାମିଲ କରାଯାଇଛି। ସେମାନଙ୍କୁ ଖୁବ୍‌ଶୀଘ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ଯୋଜନା ହୋଇଛି। ଏହି କ୍ରମରେ ତୃତୀୟ ପଦକ୍ଷେପ ଭାବେ ଆଜି ହ୍ବାଟ୍‌ସଆପ୍‌ ନମ୍ବର ଜାରି କରାଯାଇଛି। ପୂର୍ବରୁ ସାଇବର ଠକେଇ ପାଇଁ ସ୍ବତନ୍ତ୍ର ସେଲ୍‌ ଗଠନ କରାଯିବା ସହ ହ୍ବାଟ୍‌ସଆପ୍‌ ଜରିଆରେ ଅଭିଯୋଗ ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର