ଭୁବନେଶ୍ବର: ନୂଆବର୍ଷରେ ରାଜଧାନୀର ସରକାରୀ ଡାକ୍ତରଖାନାରେ ୩୨ଜଣ ଶିଶୁ ଜନ୍ମ ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ଓ ବିଏମ୍‌ସି ହସ୍ପିଟାଲରେ ଏହି ଶିଶୁ ଜନ୍ମ ନେଇଛନ୍ତି। ତେବେ କେବଳ ମହିଳା ଓ ଶିଶୁଙ୍କ ପାଇଁ ସମର୍ପିତ ୟୁନିଟ-୪ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ୟୁସିଏଚ୍‌ସିରେ ଗୋଟିଏ ହେଲେ ପ୍ରସବ ହୋଇନାହିଁ। ତେବେ ରାଜଧାନୀ‌ର ଘରୋଇ ଡାକ୍ତରଖାନାରେ କେତେ ସଂଖ୍ୟକ ଶିଶୁ ନୂଆବର୍ଷରେ ଜନ୍ମ ନେଇଛନ୍ତି ତାହାର ରେକର୍ଡ ମିଳିପାରି ନାହିଁ। ଜିରୋ ନାଇଟ୍‌ରୁ ଜାନୁଆରି ୧ତାରିଖ ମଧ୍ୟ ରାତ୍ରି ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ୩୦ଜଣ ଶିଶୁ ଜନ୍ମ ହୋଇଛନ୍ତି। ଏଥିରୁ ୧୫ଜଣଙ୍କ ଅସ୍ତ୍ରୋପଚାରଜନିତ ପ୍ରସବ ହୋଇଥିବା ବେଳେ ବାକି ୧୫ଜଣଙ୍କର ସାଧାରଣ ପ୍ରସାବ ହୋଇଥିବା ସୂଚନା ମିଳିଛି। ସେହିପରି ବିଏମ୍‌ସି ହସ୍ପିଟାଲରେ ମାତ୍ର ୨ଜଣ ଶିଶୁ ଜନ୍ମ ନେଇଛନ୍ତି। ନୂଆବର୍ଷରେ ଜନ୍ମ ନେଇଥିବା ଶିଶୁଙ୍କୁ ନେଇ ପରିବାର ଲୋକଙ୍କ ମଧ୍ୟରେ ବହୁ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ୟୁନିଟ-୪ସ୍ଥିତ ୟୁସିଏଚ୍‌ସିରେ ‌ନୂଆବର୍ଷର ତ ଦୂରର କଥା ୩ ତାରିଖ ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ହେଲେ ପ୍ରସବ ହୋଇନାହିଁ। ଏହି ଡାକ୍ତରଖାନା କେବଳ ମହିଳା ଓ ଶିଶୁଙ୍କ ପାଇଁ ସମର୍ପିତ ରହିଛି। କ୍ୟାପିଟାଲ ହସ୍ପିଟାଲରୁ ରୋଗୀଙ୍କ ଚାପ କମାଇବା ଉଦ୍ଦେଶ୍ୟରେ ସରକାର ଏହାକୁ ସ୍ବତନ୍ତ୍ରଭାବେ ଗୁରୁତ୍ବ ଦେଇଥିଲେ। ଏଠାରେ ପ୍ରସବ ପାଇଁ ସମସ୍ତ ସୁବିଧା ରହିଛି ଓ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ ହେଉଛି। ଏହାସତ୍ବେ ମଧ୍ୟ ଡାକ୍ତରଖାନାରେ ପ୍ରସବ ପାଇଁ ମହିଳାମାନେ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ନିକଟରେ ଡାକ୍ତରଖାନାରେ ଥିବା ୩ଜଣ ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କ ବଦଳି ହୋଇଥିବା ବଦଳରେ ଜଣେ ଡାକ୍ତର ଆସିଛନ୍ତି। ପ୍ରତିମାସରେ ପ୍ରାୟ ୧୫ଟି ପ୍ରସବ ୟୁନିଟ-୪ ୟୁସିଏଚ୍‌ସିରେ ହେଉଥିବା ବେଳେ ଡାକ୍ତରଙ୍କ ଅଭାବ ଯୋଗୁଁ ଏଥିରେ ହ୍ରାସ ଘଟିଛି। ଉଲ୍ଲେଖ ଯେ, ଚଳିତ ନବବର୍ଷରେ ବିଶ୍ବବ୍ୟାପୀ ୩ଲକ୍ଷ ୮୬ହଜାର ଶିଶୁ ଜନ୍ମ ନେଇଥିବା ୟୁନିସେଫ ପକ୍ଷରୁ କୁହାଯାଇଛି। ଏଥିରେ ଭାରତର ୬୯ହଜାର ଶିଶୁ ରହିଛନ୍ତି।