ନୂଆ ବରଷ ଦେବ ନୂଆ ଅନୁଭୂତି

ବାତ୍ୟା ଫନିରେ ଉଜୁଡ଼ି ଯାଇଥିବା ରାଜଧାନୀକୁ ସଜାଡ଼ିବାରେ ପ୍ରଶାସନ ମାତିଲା। ଯେଉଁ କିଛି ପ୍ରକଳ୍ପ ହେଉଥିଲା ତାହା ବି ଧାର୍ଯ୍ୟ ସମୟରେ ଶେଷ ହେଲାନି। ୨୦୧୯ ରାଜଧାନୀ ପାଇଁ ଘଟଣାବହୁଳ ଥିଲେ ହେଁ ପ୍ରଗତି ଦୃଷ୍ଟିରୁ ଆଖିଦୃଶିଆ ଭିତ୍ତିଭୂମି ଛିଡ଼ା ହୋଇପାରିନଥିଲା। କିନ୍ତୁ ନୂଆ ବରଷରେ ରାଜଧାନୀବାସୀ ବହୁତ କିଛି ନୂଆ ଦେଖିବେ। ନୂଆ ନୂଆ ଅନୁଭୂତି ପାଇବେ। ଅଧା ପଡ଼ିଥିବା ପ୍ରକଳ୍ପଗୁଡ଼ିକ ପୂ୍ର୍ଣ୍ଣାଙ୍ଗ ରୂପ ପାଇବ। ସରକାର ନୂଆ ନୂଆ ପ୍ରକଳ୍ପ ଭେଟିଦେବେ। ଯୋଜନା ହୋଇଥିବା ପ୍ରକଳ୍ପଗୁଡ଼ିକର ଭିତ୍ତିଭୂମି ପଡ଼ିବ। ତେଣୁ ୨୦୨୦ ରାଜଧାନୀବାସୀଙ୍କୁ ଅନେକ କିଛି ନୂଆ ଭେଟିଦେବାର ସମ୍ଭାବନା ସୃଷ୍ଟି କରିଛି।

ରାଜଧାନୀ ପାଇଁ ହେବ ନୂଆ ନୀଳନକ୍ସା‌
ରାଜଧାନୀକୁ ଯୋଜନାବଦ୍ଧ ଭାବେ ସମ୍ପ୍ରସାରଣ କରିବା ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ପୁଣି ସିଡିପି (‌କମ୍ପ୍ରେହେନସିଭ୍ ଡେଭଲପମେଣ୍ଟ ପ୍ଲାନ୍) ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ବିଡିଏର ଅଥରିଟି ବୈଠକ ମଧ୍ୟ ମୋହର ମାରିଛି। ୨୦୧୦ରେ ୨୦୩୦କୁ ଲକ୍ଷ୍ୟରେ ରଖି ବିଡିଏ ପକ୍ଷରୁ ସିଡିପି ପ୍ରସ୍ତୁତ ହୋଇଥିଲେ ହେଁ ରାଜଧାନୀର ଜନସଂଖ୍ୟା ବଢ଼ିବା, ଉପକଣ୍ଠରେ ବିନା ପ୍ଲାନ୍‌ରେ ହଜାର ହଜାର ଘର ନିର୍ମାଣ ହେବା, ରାଜଧାନୀରେ ଜଳବନ୍ଦୀ ଭଳି ସମସ୍ୟା ଦେଖାଯିବା, ସିଡିପି ପରେ ବହୁ ରାଜସ୍ବ ଗ୍ରାମ ମିଶି ଥିବାରୁ ଏଗୁଡ଼ିକ ପାଇଁ ସ୍ବତନ୍ତ୍ର ପ୍ଲାନ୍ ପ୍ରସ୍ତୁତ କରିବା, ବହୁ ସଂରକ୍ଷିତ ଜୋନ୍‌ ଥିବା ବେଳେ ସେଠାରେ ଶହଶହ ଘର ନିର୍ମାଣ ହୋଇଯାଇଥିବାରୁ ସେଗୁଡ଼ିକୁ ଆବାସିକ ଜୋନ୍‌ରେ ପରିଣତ କରିବା, ‌ଯୋଜନାବଦ୍ଧ ଭାବେ ଖୋଲା ସ୍ଥାନ ଛାଡ଼ିବା ଏବଂ ସରକାରଙ୍କ ବିଭିନ୍ନ ଯୋଜନାକୁ ନଜରରେ ରଖି ଜମି ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବିଡିଏ ସିଡିପି-୨୦୨୦ ପ୍ରସ୍ତୁତ କରିବାକୁ ଯାଉଛି।

ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ସହିଦନଗର ଏବଂ ରାଜମହଲରେ ନିର୍ମାଣ ହେଉଥିବା ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା ବର୍ଷର ପ୍ରଥମାର୍ଦ୍ଧରେ କାର୍ଯ୍ୟକ୍ଷମ ହେବାର ସମ୍ଭାବନା କମ୍‌ ଥିଲେ ହେଁ ଏହାକୁ ଚଳିତ ବର୍ଷ କାର୍ଯ୍ୟକାରୀ କରିବାକୁ ଯୋଜନା ଅଛି। ଏହି ଦୁଇଟି ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା ଲାଗୁ ହେଲେ ମାର୍କେଟ୍ ବିଲଡିଂ ଅଞ୍ଚଳ ଏବଂ ସହିଦନଗର ଅଞ୍ଚଳରେ ପାର୍କିଂ ଜନିତ ସମସ୍ୟା ବହୁ ମାତ୍ରାରେ ଦୂର ହେବ।

odishanewstimes.com

ନଭେମ୍ବରରେ ସରିବ ସ୍ମାର୍ଟ ଜନପଥ
ରାଜ୍ୟର ସବୁଠୁ ଅତ୍ୟାଧୁନିକ ଏବଂ ବ୍ୟବସ୍ଥିତ ରାସ୍ତା ହେବାକୁ ଯାଉଛି ଜନପଥ। ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ଏହି ୫.୮ କିମି ରାସ୍ତା ନୂଆ ରୂପ ପାଇବ। ଜନପଥକୁ ସ୍ମାର୍ଟ ଜନପଥରେ ପରିଣତ କରୁଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ରାଜଧାନୀବାସୀଙ୍କୁ ଏହାର ପୂର୍ଣ୍ଣାଙ୍ଗ ରୂପ ନଭେମ୍ବର, ୨୦୨୦ରେ ଭେଟିଦେବ। ଏଠାରେ ପଥଚାରୀ, ସାଇକେଲ୍‌ ଚାଳକ, ଗାଡ଼ି ଚାଳକଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ରହିବ। ବିଭିନ୍ନ ସ୍ଥାନରେ ପବ୍ଲିକ ପ୍ଲାଜା, ଫୁଡ୍‌ ପ୍ଲାଜା ସହ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିବ। ଏହାର ଝଲକ ଏବେ ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତାରେ ଦେଖିବାକୁ ମିଳୁଛି।

ଏକାମ୍ର କ୍ଷେତ୍ର ପାଇବ ନୂଆ ରୂପ
ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଶେଷ ହୋଇଛି। ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ର ନୂଆ ରୂପ ପାଇବାକୁ ଯାଉଥିବା ବେଳେ ଏନେଇ ରାଜ୍ୟ ସରକାର ପୁଳାଏ ଯୋଜନା କରିଛନ୍ତି। ୨୦୨୦ରେ ହିଁ ଏହି ସବୁ ଯୋଜନା ରୂପ ପାଇବ।

ଲାଗୁ ହେବ ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା
ରାଜଧାନୀରେ ମାର୍ଚ୍ଚରୁ ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ଲାଗୁ ହେବ। ଏବେ ଏହା କାର୍ଯ୍ୟକାରୀ ହେଉଥିଲେ ହେଁ ତିନି ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରି ଏହାକୁ ଯୋଜନାବଦ୍ଧ ଭାବେ ଲାଗୁ କରାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଗଣି‌ବା ଥୟ।

Telegraph

ଲାଗୁ ହେବ ନୂଆ ପାର୍କିଂ ନୀତି
ରାଜଧାନୀର ପାର୍କିଂ ବ୍ୟବସ୍ଥା ସଜାଡ଼ିବା ପାଇଁ ବିଏମ୍‌ସି ପକ୍ଷରୁ ଖୁବ୍‌ ଶୀଘ୍ର ନୂ୍ଆ ପାର୍କିଂ ନୀତି ଆସିବ। ଏନେଇ ଜିଆଇଜେଡ୍‌ ସଂସ୍ଥାକୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ, ବିଭିନ୍ନ ପ୍ରକାରର ପାର୍କିଂ ନିୟମ, କମିସନରେଟ୍‌ ପୁଲିସର ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଦିଆଯାଇଛି। ଏହି ସମସ୍ତ ପ୍ରକ୍ରିୟା ଫେବ୍ରୁଆରି ସୁଦ୍ଧା ଶେଷ କରି ନୂଆ ପାର୍କିଂ ନୀତି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

ନୂଆ ପାର୍କିଂ ନୀତିରେ କେଉଁ କେଉଁ ଅଞ୍ଚଳରେ ଗାଡ଼ି ପାର୍କିଂ ହୋଇପାରିବ, କେଉଁଠି ଗାଡ଼ି ପାର୍କିଂ ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ, କିଏ ପାର୍କିଂ ଫି’ ଆଦାୟ କରିପାରିବେ, କେଉଁ କେଉଁ ସଂସ୍ଥା କେତେ ପାର୍କିଂ ଅଞ୍ଚଳ ରଖିବେ, ପାର୍କିଂ ନିୟମ ଖିଲାପ କଲେ କେତେ ଜରିମାନା ଆଦାୟ ହେବ, ଯେଉଁ ସଂସ୍ଥା ପାଇଁ ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ିବ ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ନିୟମ ରହିବ।

newindianexpress.com

୨୪ଘଣ୍ଟା ଟ୍ୟାପରେ ଆସିବ ବିଶୁଦ୍ଧ ପାଣି
ୱାଟ୍‌କୋ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ୨୪ଘଣ୍ଟିଆ ପାଣି ଯୋଗାଇବ। ଏହାସହ ଟ୍ୟାପ୍‌ ଖୋଲିଲେ ବିଶୁଦ୍ଧ ପାଣି ମିଳିବ। ଯେ କେହିବି ଟ୍ୟାପ୍‌ ପାଣି ପିଇପାରିବେ। ଏଥିପାଇଁ ଆରମ୍ଭ ହେବାକୁ ଯାଉଛି ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍ ମିସନ୍। ଏବେ କେତେକ ଅଞ୍ଚଳକୁ ପରୀକ୍ଷାମୂଳକ ଭାବେ ୨୪ଘଣ୍ଟା ପାଣି ଯୋଗାଣ ଆରମ୍ଭ ହୋଇଛି। ଏହି ଯୋଜନାରେ ଲୋକଙ୍କୁ ଘରେ ଆଉ ପାଣି ଟାଙ୍କି କି ସମ୍ପ୍‌ ରଖିବାକୁ ପଡ଼ିବନି।

ଭୁଆସୁଣିକୁ ଅଳିଆ ଯିବନି, କମ୍ପୋଷ୍ଟ ପ୍ଲାଣ୍ଟରେ ପଡ଼ିବ
ରାଜଧାନୀର ଆବର୍ଜନା ଆଉ ଭୁଆସୁଣିସ୍ଥିତ ଡମ୍ପିଂୟାର୍ଡରେ ପଡ଼ିବନି। ନୂଆବର୍ଷରୁ ଭୁଆସୁଣିରେ ଆବର୍ଜନା ନ ପକାଇବାକୁ ବିଏମ୍‌ସି ଏନ୍‌ଜିଟିରେ ସତ୍ୟପାଠ ଦାଖଲ କରିଥିବାରୁ ଏହି ନିଷ୍ପତ୍ତି ନେଇଛି। ଏଥିପାଇଁ ରାଜଧାନୀରେ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ଚାଲିଛି। ହେଲେ ୨୨ଟି ସ୍ଥାନରେ କମ୍ପୋଷ୍ଟ ପ୍ଲାଣ୍ଟକୁ ବିରୋଧ ହେଉଥିବାରୁ ଏଠାରେ କାମ ଆରମ୍ଭ ହୋଇପାରିନି। ହେଲେ ବାକି ୨୧ଟି ସ୍ଥାନରେ କାମ ଆରମ୍ଭ ହୋଇଯାଇଛି। କମ୍ପୋଷ୍ଟ ପ୍ଲାଣ୍ଟଗୁଡ଼ିକୁ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ କରି ଏଠାରେ ରାଜଧାନୀରେ ଅଳିଆ ପକାଇ ଏହାକୁ ଖତରେ ପରିଣତ କରିବାକୁ ବିଏମ୍‌ସି ଯୋଜନା କରିଛି।

ବର୍ଷ ଶେଷକୁ ବିଏମ୍‌ସି ନିର୍ବାଚନ
ଜାନୁଆରି ୯, ୨୦୧୯ରେ ବିଏମ୍‌ସି କର୍ପୋରେଟର୍‌ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିଏମ୍‌ସି ଏବେ କର୍ପୋରେଟର୍‌ ଶୂନ୍ୟ ହୋଇଯାଇଛି। ନିର୍ବାଚନ ହେବ ହେବ ହୋଇ ୨୦୧୯ରେ ହୋଇପାରିଲାନି। ପୌର ନିର୍ବାଚନ ଆଇନରେ ରାଜ୍ୟ ସରକାର ସଂଶୋଧନ ଆଣି ନ ପାରିବାରୁ ନିର୍ବାଚନ ହୋଇପାରିଲାନି। ଆଶା ଅଛି ୨୦୨୦ରେ ପୌର ନିର୍ବାଚନ ଆଇନରେ ଆବଶ୍ୟକୀୟ ସଂଶୋଧନ ଆସିବ। ଆଉ ବର୍ଷ ‌େଶଷକୁ ବିଏମ୍‌ସିରେ ନିର୍ବାଚନ ହେବ।

ସମ୍ବନ୍ଧିତ ଖବର