ଭୁବନେଶ୍ୱର: ଆରମ୍ଭ ହେଲାଣି ସତର ବିଦାୟ ପର୍ବ। ଅଠରକୁ ପାଛୋଟିବାକୁ ପ୍ରସ୍ତୁତି ଜୋର ଧରିଲାଣି। କିଏ ସାଙ୍ଗସାଥୀଙ୍କ ସହ ଭ୍ରମଣ ତଥା ବଣଭୋଜିରେ ମସ୍ଗୁଲ୍ ତ’ କିଏ ପୁରୁଣା ବର୍ଷର ଶେଷ ଦିନ କେଇଟା ଓ ନୂଆ ବର୍ଷ ପହିଲାକୁ ପରିବାର ସହ ମନେଇବାକୁ ଯୋଜନା କଲେଣି। ଖାଲି ସେତିକି ନୁହେଁ, ରାଜଧାନୀର ସପିଂ ମଲ୍ଠାରୁ ଆରମ୍ଭ କରି ହୋଟେଲ୍ ପର୍ଯ୍ୟନ୍ତ ସବୁଠି ଝଲସିଲେଣି ଆଲୋକମାଳା। ରଙ୍ଗ ବେରଙ୍ଗ ଫୁଲରେ ରାଜଧାନୀକୁ ମହକେଇବା ଲାଗି ଫୁଲ ବେପାରୀ ବି ଏବେଠାରୁ ପୂରା ଦମ୍ରେ ଲାଗିପଡ଼ିଛନ୍ତି। ଗ୍ରାହକମାନେ ମଧ୍ୟ ନବବର୍ଷକୁ ସ୍ୱାଗତ କରିବା ଲାଗି ଏବେଠାରୁ ବୁକେ ଲାଗି ବରାଦ ଦେଇଛନ୍ତି। କେକ୍ର ଚାହିଦା ବି ବଢ଼ିଛି। ଯେଉଁଥିପାଇଁ ଗ୍ରାହକମାନେ ଏବେଠୁ ଅଗ୍ରୀମ ଦେଇସାରିଲେଣି। ସାରା ରାଜଧାନୀ ଏବେ ସେଲିବ୍ରେସନ୍ ମୁଡ୍ରେ ରହିଥିବା ବେଳେ ଅପେକ୍ଷା କେବଳ ନୂଆବର୍ଷକୁ…..।
କେକ୍ର ବିଶାଳ ବଜାର
ଏବେଠୁ ସରଗରମ ହୋଇ ଉଠିଲାଣି ରାଜଧାନୀର କେକ୍ ବଜାର। ବର୍ଷତମାମ ଗ୍ରାହକଙ୍କୁ ବିଭିନ୍ନ ଡିଜାଇନ୍ ଓ ଫ୍ଲେଭର୍ର କେକ୍ ଯୋଗାଇ ଦେଉଥିବା ଦୋକାନଗୁଡ଼ିକ ନୂଆବର୍ଷ ପାଇଁ ଅଧିକ ବ୍ୟଗ୍ର ହୋଇପଡ଼ିଛନ୍ତି। ଖ୍ରୀଷ୍ଟମାସଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ସହରରେ କେକ୍ର ଏକ ବିଶାଳ ବଜାର ସୃଷ୍ଟି ହୋଇଛି। ବଟର୍ କ୍ରିମ୍, ଫ୍ରେସ୍ କ୍ରିମ୍, ଚକୋଲେଟ୍, ଭାନିଲା, ବ୍ଲାକ୍ ଫରେଷ୍ଟ୍, ଡୁଆଲ୍ ଫରେଷ୍ଟ୍ ଆଦି ବିଭିନ୍ନ ଫ୍ଲେବର୍ର କେକ୍ ଏବେ ବଜାରରେ ଉପଲବ୍ଧ ହେଉଛି। ପୁଣି େଓ୍ଵଡିଂ କେକ୍, ସନ୍ସାଇନ୍ ସେଲିବ୍ରେସନ୍, ପିଲାଙ୍କ ପାଇଁ ଉଡ଼ାଜାହଜ, କାର୍, ରେସିଂ ଟ୍ରାକ୍, ବାର୍ବିଡଲ୍, ସିପ୍, ଟ୍ୟାଙ୍କ, ଗିଟାର୍, ଜଙ୍ଗଲ୍ କେକ୍, ରୋଜ୍ଭ୍ୟାଲି ଆଦି ବିଭିନ୍ନ ପ୍ରକାର୍ ଡିଜାଇନ୍ ବି ରହିଛି। ଯୁବପିଢ଼ିମାନେ ଏଥିପ୍ରତି ବେଶ୍ ଆଗ୍ରହ ଦେଖାଉଥିବା ବେଳେ ନିଜ ପସନ୍ଦ ମୁତାବକ ଡିଜାଇନ୍ ଅର୍ଡର ଦେଇ ଅଗ୍ରୀମ ବି ଦେଇସାରିଲେଣି ବୋଲି ଆଚାର୍ଯ୍ୟ ବିହାରସ୍ଥିତ ‘ମିଓ ଆମୋରେ’ର ମାଲିକ ନବୀନ କୁମାର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ତାଙ୍କ ପାଖରେ ଆଇସ୍ କେକ୍ ରହିଛି। ଏହାର ଉପର ଭାଗରେ ଜେଲି ଦିଆଯାଇଥାଏ। ଯାହାକି କେକ୍କୁ ଥଣ୍ଡା ରଖିଥାଏ। ଏଥିରେ ଫଟୋ ମଧ୍ୟ ଦିଆଯାଇପାରେ। ବର୍ତ୍ତମାନ ତିନି ଥାକିଆ କେକ୍ର ଆଗ୍ରହ ବେଶୀ ଥିବା ବେଳେ ସ୍ୱାସ୍ଥ୍ୟ ସଚେତନତା ଯୋଗୁଁ ଲୋକମାନେ ତୈଳମୁକ୍ତ ଓ କମ୍ ମିଠାଯୁକ୍ତ ଫ୍ରେସ୍ କ୍ରିମ୍ କେକ୍ ଅଧିକ ଅର୍ଡର ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖକୁ ପ୍ରାୟ ୨୦ଟି ନୂଆବର୍ଷ କେକ୍ ପାଇଁ ଅର୍ଡର ଆସିଛି। ଆଗକୁ ଏହା ଆହୁରି ବଢ଼ିବ ବୋଲି ସେ ଆଶା ରଖିଛନ୍ତି।
ଜମିବ ଫୁଲ ବେପାର
ବର୍ଷତମାମ୍ ଫୁଲର ଚାହିଦା ରହିଥିବା ବେଳେ ନୂଆବର୍ଷରେ ଫୁଲ ଓ ବୁକେ ବେପାର ସବୁଠାରୁ ଅଧିକ ଜମିଥାଏ। ଏଥିପାଇଁ ବେପାରୀମାନେ କୋଲକାତା, ବେଙ୍ଗାଲୁରୁ ଓ ଥାଇଲାଣ୍ଡ ପରି ସହରରୁ ଫୁଲ ମଗାଇବା ଆରମ୍ଭ କରି ଦେଇଛନ୍ତି। ପ୍ରତିଥର ପରି ଏଥର ମଧ୍ୟ ବ୍ୟବସାୟୀମାନେ ଲିଲି, କାନେଶାନ୍, ଅର୍ଚିଡ୍, ବିଓପି, ଆନ୍ଥୋରିୟମ୍, ଜାର୍ବେରା, ଗ୍ଲାଡିଓଲି, ଷ୍ଟାର୍, ସେବତୀ, କିସାନ୍ତିବାର୍ ଏବଂ ଲାଲ୍, ନାରଙ୍ଗୀ, ହଳଦିଆ, ଗୋଲାପୀ, ଧଳା ଆଦି ବିଭିନ୍ନ ପ୍ରକାରର ଗୋଲାପ ଫୁଲ ବାହାରୁ ଆମଦାନୀ କରୁଥିବା କହିଛନ୍ତି। ଏଥିସହ ଏରିକା, ସୋନାବିଣ୍ଡା ଓ ପାରାକମ୍ ଆଦି ପତ୍ରର ମଧ୍ୟ ଚାହିଦା ରହିଛି। ଅନ୍ୟ ଦିନ ଅପେକ୍ଷା ନୂଆ ବର୍ଷକୁ ସେମାନଙ୍କ ବେପାର ଭଲ ହୁଏ ବୋଲି କହିଛନ୍ତି ଆଚାର୍ଯ୍ୟ ବିହାରସ୍ଥିତ ସୁଜିତ ଫ୍ଲାଓ୍ଵାର୍ସର ମାଲିକ ସୁଜିତ ନାୟକ। ‘ଅର୍ଚିଡ’ ସ୍ୱତନ୍ତ୍ର ଭାବେ ଥାଇଲାଣ୍ଡରୁ ଆମଦାନୀ ହେଉଥିବା ବେଳେ ଗୋଲାପ କୋଲକାତାରୁ ଆସିଥାଏ। ଲିଲିର ଦାମ୍ ଗୋଟେ ପିଛା ୧୨୫ ଟଙ୍କା ଥିବା ବେଳେ ଅର୍ଚିଡ୍ ଗୋଟା ୫୦ଟଙ୍କା ଓ ଗୋଲାପ ୨୦ ଟଙ୍କା ଲେଖାଏଁ ରହିଛି। ସେହିପରି ୫୦ ଟଙ୍କାରୁ ଆରମ୍ଭ କରି ଗ୍ରାହକଙ୍କ ଚାହିଦା ଅନୁଯାୟୀ ଦାମ୍ର ବୁକେ ଗ୍ରାହକଙ୍କୁ ଯୋଗାଇ ଦିଅନ୍ତି ବୋଲି ସୁଜିତ କହିଛନ୍ତି। ୩୧ ତାରିଖ ରାତି ଓ ଜାନୁଆରି ପହିଲାରେ ପ୍ରାୟ ୧ ଲକ୍ଷ ଟଙ୍କାର ବେପାର କରିବାକୁ ସେ ଆଶା ରଖିଛନ୍ତି। ସେହିପରି ମା’ ଚଣ୍ଡୀ ଫୁଲ ଦୋକାନ୍ର ଅସୀମ ମାନ୍ନା ନିଜେ ବାଉଁଶ ଓ ସ୍ପଞ୍ଜରେ ଫୁଲଦାନୀ ତିଆରି କରନ୍ତି। ଏହା ସହ ତାଙ୍କ ପାଖରେ ଫୁଲ ବାସ୍କେଟ୍, ବଞ୍ଚ ସହ ତୋଡ଼ା ଆଦି ରହିଛି। ଫୁଲସବୁ ପ୍ରାୟ ୭/୮ ଦିନ ସତେଜ ରୁହେ ବୋଲି ସେ କହିଛନ୍ତି।