ସଭିଏଁ ମତୁଆଲା : ଭୋଜି, ବୁଲାବୁଲିରେ କଟିଲା ନୂଆବର୍ଷ

ଭୁବନେଶ୍ବର : ଭୂଇଁରେ ବିଛେଇ ହୋଇଥିଲା ଛନଛନିଆ ସକାଳର କଅଁଳ କିରଣ। ଭିଡ଼ ଭିତରୁ ଅତି ଉଚ୍ଛ୍ବାସରେ ଉତୁରି ଆସୁଥିଲା ଗୋଟିଏ ବାକ୍ୟ, ହାପି ନ୍ୟୁ ଇୟର…। ଉଚ୍ଚନୀଚ ଭେଦଭାବ ନ ଥିଲା କି ଛୋଟବଡ଼ର ତାରତମ୍ୟ ନ ଥିଲା। ସାମ୍ନାରେ ପଡ଼ୁଥିବା ଯେତେ ସବୁ ଅଚିହ୍ନା ମୁହଁ କିଛି କ୍ଷଣ ପାଇଁ ପାଲଟି ଯାଇଥିଲେ ଅତି ଅନ୍ତରଙ୍ଗ। ଗତ ରାତିରୁ ଉତ୍ସାହିତ ଜନସାଧାରଣ ଆଜି ବି ଖୁବ୍‌ ମଜିଥିଲେ। ନୂଆ ବର୍ଷର ପ୍ରଥମ ଦିନଟି ଆଡ଼ମ୍ବର ସହକାରେ କଟିଥିଲା। କିଏ ପର୍ଯ୍ୟଟନସ୍ଥଳୀକୁ ଛୁଟୁଥିଲା ତ କିଏ ବଣଭୋଜିରେ ମାତିଥିଲା। ବଣଭୋଜି ସ୍ଥଳରେ ଭୋଜିଭାତ ସହ ଡିଜେ ସ˚ଗୀତରେ ସଭିଏଁ ମତୁଆଲା ହୋଇଥିଲେ। କେହିକେହି ପ୍ରଭୁଙ୍କ ଦର୍ଶନରୁ ବର୍ଷଟି ଆରମ୍ଭ ପାଇଁ ମନ୍ଦିରରେ ଭିଡ଼ ଜମେଇଥିଲେ। ପୁଣି ଅନେକ ସାତ ତିଅଣ ନ’ଭଜାର ସ୍ବାଦ ନେବା ପାଇଁ ମଧ୍ୟାହ୍ନରେ ସପରିବାର ‌‌ରେସ୍ତୋରାଁରେ ଏକଜୁଟ୍‌ ହୋଇଥିଲେ।

ବଣଭୋଜିସ୍ଥଳୀ ଲୋକାରଣ୍ୟ
ବଣଭୋଜିର ନିଆରା ଅନୁଭବ ସାଉଁଟିବା ପାଇଁ ଆଜି ସହରର ବଣଭୋଜିସ୍ଥଳ ଲୋକାରଣ୍ୟ ହୋଇଥିଲା। ଖଣ୍ତଗିରି ପାଦଦେଶରେ ଥିବା ଜୟଦେବ ବାଟିକାରେ ପୂର୍ବବର୍ଷ ୭ହଜାର ୨ଶହ ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ବେଳେ ଆଜି ନୂଆବର୍ଷର ପ୍ରଥମ ଦିନରେ ଏହି ସଂଖ୍ୟା ୯ହଜାର ଛୁଇଁଥିଲା। ପ୍ରାୟ ସାଢ଼େ ୩ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା। ଏହାପରେ ରହିଛି ନନ୍ଦନକାନନର ଉଦ୍ଦିଦ ଉଦ୍ୟାନ। ଏଠାରେ ୧୩୫ଟି ପିଣ୍ତିରେ ୪୨୮୬ ଜଣଙ୍କ ସମାଗମ ହୋଇଥିଲା। ସେହିପରି ଶିଖରଚଣ୍ତୀ, ଚନ୍ଦକା ଡେରାସ ଓ ଗୋଡ଼ିବାରି ସମେତ ପାଣ୍ତରାରୁ ଚଉଷଠୀ ଯୋଗିନୀ ପୀଠ ପର୍ଯ୍ୟନ୍ତ ବ୍ୟାପିଥିବା କୁଆଖାଇ ପଠା ଏବ˚ ଦୟାନଦୀ ପଠାରେ ଥିବା ପ୍ରାକୃତିକ ବନାନୀ ମଧୢରେ ବି ଭୋଜିଭାତ ଜମିଥିଲା।

ପ୍ଲାନେଟୋରିୟମରେ ୧୦ଦିନରେ ୨୨୪୪୧ ଦର୍ଶକ
ପ୍ଲାନେଟୋରିୟମରେ ଆଜି ୧୬ଟି ସୋ’ ହୋଇଥିବା ବେଳେ ମୋଟ୍‌ ୧୮୪୯ ଦର୍ଶକ ସୋ’ ଉପଭୋଗ କରିଥିଲେ। ମୋଟ୍‌ ୪୯ ହଜାର ୫୦ ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା। ଡିସେମ୍ବର ୨୧ରୁ ଆଜି ମଧ୍ୟରେ ୧୦ ଦିନରେ ୨୨,୪୪୧ ଦର୍ଶକ ପ୍ଲାନେଟୋରିୟମକୁ ଆସିଥିବା ବେଳେ ମୋଟ ୪ଲକ୍ଷ ୯୩ ହଜାର ୨୭୫ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଏହି ୧୦ ଦିନର ଅବଧି ମଧ୍ୟରେ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ପଠାଣି ସାମନ୍ତ ପ୍ଲାନେଟୋରିୟମର ୩୦ ବର୍ଷର ଇତିହାସରେ ପ୍ରଥମ ବୋଲି ପ୍ଲାନେଟୋରିୟମ୍‌ର ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଏଥିସହ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସ˚ଗ୍ରହାଳୟ ଏବ˚ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ମଧ୍ୟ ଜନଗହଳି ଦେଖିବାକୁ ମିଳିଥିଲା।

ଖାସି ମାଂସର ଚାହିଦା ବେଶି
ଆମିଷ ବଜାରରେ ଆଜି ରାଜ୍‌ କରିଥିଲା ମଟନ ବଜାର। ୪ ନମ୍ବରରୁ ନେଇ ବଡ଼ଗଡ଼, ସବୁଠି ମଟନ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମଟନ ଦର ୬୦୦ରୁ ୬୫୦ଟଙ୍କା ଥିଲେ ହେଁ ଦରକୁ ଖାତିର ନଥିଲା। ଚିକେନ୍‌ ବେପାର ମଧ୍ୟ ଖୁବ୍‌ ଜମିଥିଲା। ଚିକେନ୍‌ ଦର ୧୬୦ରୁ ୧୮୦ ଟଙ୍କା ମଧ୍ୟରେ ରହିଥିଲା। ବିଶେଷକରି ଭୋଜିଭାତ ପାଇଁ ଚିକେନ୍‌ ଓ ମଟନ୍‌ର ବେଶି ଚାହିଦା ଥିଲା। ମାଛ ବେପାର ହୋଇଥି‌ଲେ ହେଁ ସବୁଦିନିଆ ବୁଧବାର ଭଳି ବେପାର ହୋଇଥିଲା ବୋଲି ରାଜଧାନୀ ଖୁଚୁରା ମାଛ ବ୍ୟବସାୟୀ ସଂଘର ସଭାପତି ସେକ୍‌ ହୁସେନ୍‌ କହିଛନ୍ତି।

 

ରେକର୍ଡ ସଂଖ୍ୟକ ପର୍ଯ୍ୟଟକ
ନନ୍ଦନକାନନରେ ନୂଆବର୍ଷର ପ୍ରଥମ ଦିନରେ ୩୫ହଜାର ୮୪୭ ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ବେଳେ ୧୫ଲକ୍ଷ ୪୮ହଜାର ୧୬୦ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି। ସେହିଭଳି ମନ୍ଦିରମାଳିନୀ ପରିବେଶକୁ ଉପଭୋଗ କରିବା ପାଇଁ ଏକାମ୍ର କ୍ଷେତ୍ରରେ ୫୦ହଜାରରୁ ଊର୍ଧ୍ବ ଦର୍ଶନାର୍ଥୀଙ୍କ ଭିଡ଼ ଜମିଥିଲା। ପ୍ରଭୁ ଶ୍ରୀଲିଙ୍ଗରାଜ, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର, ରାଜାରାଣୀ, କେଦାରଗୌରୀ, ରାମେଶ୍ବର ମନ୍ଦିର ସମେତ ଏକାମ୍ର ବନରେ ଭିଡ଼ ପରିଲକ୍ଷିତ ହୋଇଥିଲା। ରାମମନ୍ଦିର ଓ ଇସ୍କନ୍‌ରେ ମଧୢ ବହୁ ଦର୍ଶନାର୍ଥୀଙ୍କ ଭିଡ଼ ଜମିଥିଲା। ଧଉଳିରେ ୫୦ ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି। ସେହିଭଳି ଖଣ୍ତଗିରି ଓ ଉଦୟଗିରିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଉଦୟଗିରିରେ ୬ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ରାଜ୍ୟ ସଂଗ୍ରହାଳୟକୁ ୩ ହଜାର ୫ଶହ ପର୍ଯ୍ୟଟକ ଆସିଥିବା ବେଳେ ଟିକେଟ୍‌ ବାବଦକୁ ୫୬ ହଜାର ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା।

ନନ୍ଦନକାନନରେ ୩୫ ହଜାର ୮୪୭ ପର୍ଯ୍ୟଟକ
ନୂଆବର୍ଷର ପ୍ରଥମ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ନିରାଶାଜନକ ଥିଲେ ହେଁ ମଧ୍ୟାହ୍ନ ‌୧ଟା ପରେ ଅଚାନକ ବୃଦ୍ଧି ପାଇଥିଲା। ଶିଶୁ ଉଦ୍ୟାନ, କାଞ୍ଜିଆହ୍ରଦରେ ନୌକାବିହାର ସାଙ୍ଗକୁ ୨୨୦ ଖୁଆଡ଼ରେ ଥିବା ୩୬୦୦ ଜୀବଜନ୍ତୁଙ୍କୁ ଦେଖି ଭରପୂର୍‌ ମଜା ଉଠାଇଥିଲେ ପର୍ଯ୍ୟଟକ। ତେବେ ଗତ ନବବର୍ଷର ପ୍ରଥମ ଦିନର ପର୍ଯ୍ୟଟକଙ୍କ ଆଗମନରୁ ଆଜିର ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୫ହଜାର ୮୪୭ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ରାଜସ୍ବ ଆଦାୟ ହୋଇଛି ୧୫ଲକ୍ଷ ୪୮ହଜାର ୧୬୦ଟଙ୍କା। ଗତବର୍ଷର ପ୍ରଥମ ଦିନରେ ୪୩ ହଜାର ୪୨୭ ଟି ଟିକେଟ୍‌ ବିକ୍ରି ହୋଇଥିବା ବେଳେ ୧୮ ଲକ୍ଷ ୬୯ ହଜାର ୪୭୦ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ଅପରପକ୍ଷ‌ରେ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ନୂଆ ବର୍ଷର ପ୍ରଥମ ଦିନରେ ଗତବର୍ଷ ତୁଳନାରେ ଅଧିକ ପର୍ଯ୍ୟଟକ ଭୋଜି କରିବାକୁ ଆସିଥିଲେ। ଆଜି ୪୨୮୬ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ୧ ଲକ୍ଷ ୬୯ ହଜାର ୧୦୦ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଗତବର୍ଷ ନୂଆବର୍ଷର ପ୍ରଥମ ଦିନରେ ଏଠାରେ ୨୯୦୮ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ୧ ଲକ୍ଷ ୭ହଜାର ୪୦୦ ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା।

ସମ୍ବନ୍ଧିତ ଖବର