ନୂଆ ଆଶା ଓ ଉନ୍ମାଦନାର ସହ ୨୦୧୮କୁ ସ୍ୱାଗତ କରିଛନ୍ତି ରାଜଧାନୀବାସୀ। ଜିରୋ ଆଓ୍ଵାର ଆସିବା ପୂର୍ବରୁ ଗୋଟିଏ ବର୍ଷର ଦୁଃଖକୁ ଗୋଟିଏ ରାତିରେ ଭୁଲାଇବା ସହ ଆଉ ଏକ ବର୍ଷ ପାଇଁ ଖୁସି, ସୁଖର ଆଶା ଭରିଛନ୍ତି। ସରି ଯାଉଥିବା ବର୍ଷକୁ ମନଭରି ଉପଭୋଗ କରିବା ସହ ବିତି ଯାଉଥିବା ବର୍ଷର ଶେଷ ରାତିକୁ ମନଭରି ଉପଭୋଗ କରିଛନ୍ତି। ସମସ୍ତେ ‘ପାର୍ଟି ତୋ ବନ୍ତି ହୈ’ ମୁଡ୍ରେ ଥିଲେ। ରାତି ଯେତେ ବଢ଼ୁଥିଲା ପାର୍ଟିର ଉନ୍ମାଦନା ସେତେ ଜମୁଥିଲା। ଆଉ ଯେତେବେଳେ ଘଣ୍ଟା କଣ୍ଟା, ମିନିଟ୍ କଣ୍ଟା ଓ ସେକେଣ୍ଡ କଣ୍ଟା ୧୨ ଉପରେ ପହଞ୍ଚିଲା, ସେତେବେଳେ ଆକାଶ ରଙ୍ଗିନ ହୋଇଗଲା। ଆତସବାଜିରେ ଚାରିଆଡ଼େ କମ୍ପିଲା। ଯିଏ ଯାହାକୁ ଦେଖିଲା ତାକୁ ଆଲିଙ୍ଗନ କରି ନବବର୍ଷର ଅଭିନନ୍ଦନ ଜଣାଉଥିଲେ। କେହି କେହି ହାତକୁ ଗୋଲାପ ଫୁଲଟିଏ ବଢ଼େଇ ଦେଇ କହୁଥିଲେ ‘ହାପି ନିଉ ଇୟର୍’। ଏହାଥିଲା ୨୦୧୮କୁ ରାଜଧାନୀରେ ସ୍ୱାଗତ କରିବାର ପ୍ରଥମ କିଛି ମୁହୂର୍ତ୍ତ।
ବିଦାୟ ନେଇଛି ୨୦୧୭। ପୁରୁଣା ବର୍ଷକୁ ଏମିତି ସହଜରେ ଛାଡ଼ିବା ମୁଡ୍ରେ ରାଜଧାନୀବାସୀ ନ ଥିଲେ। ସରି ଯାଉଥିବା ବର୍ଷ ଓ ଆସିବାକୁ ଥିବା ନୂଆବର୍ଷ ମଧ୍ୟରେ ଥିବା ପ୍ରତିଟି ମୁହୂର୍ତ୍ତ ଯେପରି ଜୀବନ କ୍ୟାଲେଣ୍ଡର୍ରେ ଲେଖି ହୋଇ ରହିବ ସେହି ମୁଡ୍ରେ ଥିଲେ ରାଜଧାନୀବାସୀ। ଏଥିପାଇଁ ମସ୍ତିର ସବୁ ପ୍ରକାରର ଖୋରାକ୍ ଯୋଗାଉଥିଲେ ରାଜଧାନୀର ବିଭିନ୍ନ ହୋଟେଲ ଓ କ୍ଲବ୍। ନୂଆବର୍ଷକୁ ସେଲିବ୍ରେସନ୍ କରିବା ପାଇଁ କେବଳ ହୋଟେଲ ଓ କ୍ଲବ୍ରେ ପ୍ରସ୍ତୁତି ହୋଇ ନ ଥିଲା। ବହୁ ହଷ୍ଟେଲ୍, କଲୋନି ଓ ବସ୍ତି ଓ ଗାଁରେ ମଧ୍ୟ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କିଏ ନାଚି ଗୀତ ଗାଇ ନୂଆବର୍ଷକୁ ସ୍ୱାଗତ କରିଥିଲେ ତ କିଏ ନୃତ୍ୟରେ ଝୁମି ଝୁମି ନୂଆବର୍ଷର ପ୍ରଥମ କିଛି ମୁହୂର୍ତ୍ତର ମଜା ନେଇଥିଲେ।
ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆବର୍ଷକୁ ସେଲିବ୍ରେସନ୍ କରି ସ୍ୱାଗତ କରିବା ପାଇଁ କ୍ଲବ, ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜଧାନୀର ପ୍ରାୟ ସମସ୍ତ ତାରକା ହୋଟେଲରେ ନୂଆବର୍ଷ ସେଲିବ୍ରେସନ୍ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ବିଭିନ୍ନ ରିଅଲିଟି ସୋ’ର କଣ୍ଠଶିଳ୍ପୀ, ଦେଶୀ ଓ ବିଦେଶୀ ନୃତ୍ୟାଙ୍ଗନା ଆସିଥିଲେ ମନୋରଂଜନର ଖୋରାକ୍ ଯୋଗାଇବାକୁ। ଆଉ ତା’ ସହିତ ମଡେଲ୍ଙ୍କ କ୍ୟାଟ୍ ୱାକ୍ ଓ ବେଲି ଡ୍ୟାନ୍ସ ସାଜିଥିଲା କାର୍ଯ୍ୟକ୍ରମର ଆକର୍ଷଣ। ଗ୍ରାହକଙ୍କ ଡିମାଣ୍ଡରେ ଗୀତ ଗାଉଥିଲେ ସେଲିବ୍ରିଟି କଣ୍ଠଶିଳ୍ପୀ। ଡ୍ୟାନ୍ସ ଫ୍ଲୋର୍ରେ କାହା ହାତରେ ସଫ୍ଟ ଡ୍ରିଙ୍କ୍ ଥିଲା ତ କାହା ହାତରେ ହାର୍ଡ ଆଉ ବିଅର୍। ସମସ୍ତେ ଗୀତର ଧୁନ୍ରେ ଝୁମୁଥିଲେ। ଆଉ ଜିରୋ ଆୱାରକୁ ପୂରା ମସ୍ତିରେ ସେଲିବ୍ରେଟ୍ କରିଥିଲେ।
ଖାଲି ହୋଟେଲରେ ନୁହେଁ, ବିଭିନ୍ନ ଚର୍ଚ୍ଚରେ ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ବିଳମ୍ବିତ ରାତିରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା। ଆଉ ଫୁଲ ଦୋକାନଗୁଡ଼ିକରେ ଫୁଲ ତୋଡ଼ା ଓ ବୁକେ ପାଇଁ ଭିଡ଼ ଦେଖିବାକୁ ମିଳିଥିଲା।
ତାରକା ହୋଟେଲ୍ ଥିମ୍ ସେଲିବ୍ରେସନ୍, ଚଟ୍ପଟି ଖାଦ୍ୟ
ରାଜଧାନୀର ପ୍ରାୟ ସମସ୍ତ ତାରକା ହୋଟେଲରେ ମିଡ୍ନାଇଟ୍ ସେଲିବ୍ରେସନ୍ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ମେ ଫେୟାରରେ ‘ଇଲ୍ୟୁଜନ୍’, ଏଚ୍ଏଚ୍ଆଇରେ ହାଲୋଓ୍ଵିନ୍, ମ୍ୟାରିଅନ୍ରେ ‘ଦି ନିଉ ଇୟର୍ସ ଏଭେ ବାସ୍’, ସ୍ୱସ୍ତି ପ୍ରିମିୟମ୍ରେ ‘ସିମର୍’, ହୋଟେଲ୍ ସୂର୍ଯ୍ୟାଂଶରେ ‘ଦି କାଉଣ୍ଟ୍ ଡାଉନ୍ ଏନ୍ଓ୍ଵାଇଇ’ ଭଳି କାର୍ଯ୍ୟକ୍ରମ ଆକର୍ଷଣ ସାଜିଥିଲେ। ମେ ଫେୟାର୍ ଚିଙ୍ଗୁଡ଼ି, ଚିକେନ୍ ସାଙ୍ଗକୁ ଗ୍ରିଲ୍ଡ ଆଇଟମ୍ ଭେଟି ଦେଇଥିବା ବେଳେ ସମସ୍ତ ଷ୍ଟାର୍ ହୋଟେଲ୍ରେ ସ୍ନାକ୍ସଠାରୁ ନେଇ ରାତ୍ରି ଭୋଜନ ପାଇଁ ଦେଶୀ ଓ ଚାଇନିଜ୍ ଚଟ୍ପଟି ଖାଦ୍ୟ ଯୋଗାଇ ଦିଆଯାଇଥିଲା।
ଧୁମ୍ ନଚେଇଲେ ସେଲିବ୍ରିଟି
ଷ୍ଟାର୍ ହୋଟେଲ୍ରେ ବିଭିନ୍ନ ରିଅଲିଟି ସୋ’ର କଣ୍ଠଶିଳ୍ପୀଙ୍କ ସମେତ ଦେଶୀ ଓ ବିଦେଶୀ ନୃତ୍ୟାଙ୍ଗନା ନେଇ ଆସିଥିଲେ ମନୋରଂଜନର ପସରା। ପୁଣି ମଡେଲଙ୍କ କ୍ୟାଟ୍ ୱାକ୍ ଓ ବେଲି ଡ୍ୟାନ୍ସ ସାଜିଥିଲା ଆକର୍ଷଣ। ଗ୍ରାହକଙ୍କ ଡିମାଣ୍ଡରେ ଗୀତ ଗାଉଥିଲେ ସେଲିବ୍ରିଟି କଣ୍ଠଶିଳ୍ପୀ। ଆଜି ପ୍ରାୟ ସମସ୍ତ ହୋଟେଲରେ ଚାର୍ ବୋତଲ ଭୋଡକା, ଲଡ୍କି ବିୟୁଟିଫୁଲ୍.., ଅଭି ତୋ ପାର୍ଟି ସୁରୁ ହୁଇ ହେ, ବେବି କୋ ବେସ୍ ପସନ୍ଦ ହେ, ଚିଟିୟା କଲେୟା, ଡ୍ୟାନ୍ସ ବାସନ୍ତି, ସଟର ଡେ ସଟର ଡେ, ଜି ଫାଡ୍ କେ, ଓଡ଼ିଆରେ ଆସ୍କାଫର୍ଟିରେ ଟିକେ ଜଲଜିରା ମିଶେଇ ଦେ… ଭଳି ଗୀତ ଦର୍ଶକଙ୍କୁ ନାଚିବାକୁ ଏକରକମ ବାଧ୍ୟ କରିଥିଲା। ଡିଜେ ଅନିଶାଙ୍କ ବଲିଉଡ୍ ଓ ହଲିଉଡ୍ ର୍ୟାପ୍, ରୂପାଲି ଜାଗାଙ୍କ ସଂଗୀତ ସାଙ୍ଗକୁ ଗୁଡ୍ଲି ରଥଙ୍କ ବ୍ୟାଣ୍ଡ୍, ଇଣ୍ଡିଆନ୍ ଆଇଡଲ୍ ଜୁନିୟରର ଦେବାଞ୍ଜନାଙ୍କୁ ମଞ୍ଚ ଉପରେ ଦେଖିବାକୁ ମିଳିଥିଲା।
ସେଲିବ୍ରେଟିଙ୍କ ନୂଆବର୍ଷ
ପରିବାର ସହ ସେଲିବ୍ରେସନ କରିବି
ଏଥର ନୂଆବର୍ଷରେ ମୁଁ ଭୁବନେଶ୍ୱରରେ ଅଛି। ପରିବାର ଏବଂ ସଂପର୍କୀୟମାନଙ୍କ ସହ ନୂଆ ବର୍ଷ ସେଲିବ୍ରେଟ୍ କରିବି। ପ୍ରତ୍ୟେକ ନୂଆ ବର୍ଷ ମୋ ପାଇଁ ସ୍ମରଣୀୟ। ନୂଆବର୍ଷରେ ରିଲିଜ୍ ହୋଇଥିବା ମୋର ଅନେକ ଫିଲ୍ମ ସଫଳତା ପାଇଛି। ଫ୍ୟାନ୍ମାନଙ୍କୁ ନୂଆବର୍ଷର ଅନେକ ଅନେକ ଶୁଭେଚ୍ଛା। ଏବର୍ଷ ସମସ୍ତଙ୍କ ପାଇଁ ଶୁଭ ହେଉ।
ଅନୁ ଚୌଧୁରୀ, ଅଭିନେତ୍ରୀନୂଆ ବର୍ଷ ପାଇଁ ସୁଟିଂ ବାତିଲ କରିଛି
ନୂଆବର୍ଷ ଦିନ ମୁଁ କୌଣସି କାମ ରଖିନି। ସୁଟିଂ ତଥା ଅନ୍ୟାନ୍ୟ ସମସ୍ତ କାମ ବାତିଲ କରିଛି। ପରିବାର ଓ ସମ୍ପର୍କୀୟଙ୍କ ସହ ନୂଆବର୍ଷ ପାଳନ କରିବି। ସବୁ ନୂଆବର୍ଷ ତ ମୋ ପାଇଁ ସ୍ମରଣୀୟ କିନ୍ତୁ ୨୦୦୭ ନୂଆବର୍ଷ ସବୁଠୁ ନିଆରା ଏହି ଦିନ ମତେ ପ୍ରଖ୍ୟାତ ନିର୍ଦେଶକ, ଅଭିନେତା ହର ପଟ୍ଟନାୟକ ପାଗଳପ୍ରେମୀ ଫିଲ୍ମ ପାଇଁ ହିରୋ ଭାବେ ଚୂଡ଼ାନ୍ତ କରାଯାଇଥିବା ସୂଚନା ଦେଇଥିଲେ। ଯାହା କେବେ ଭୁଲି ହେବ ନାହିଁ।
ସବ୍ୟସାଚୀ, ଅଭିନେତା
ଆହୁରି ଭଲ କାମ କରିବି
ନୂଆବର୍ଷ ପାଳିବା ପାଇଁ କିଛି ସ୍ୱତନ୍ତ୍ର ଯୋଜନା କରିନି। ପରିବାର ସହ ନ୍ୟୁ ଇୟର ସେଲିବ୍ରେସନ୍ କରିବି। ଏବେ ଅପେକ୍ଷା ପିଲାଦିନେ ନୂଆ ବର୍ଷକୁ ନେଇ ମୁଁ ଅଧିକ ଉତ୍ସାହିତ ରହୁଥିଲି। କାରଣ ସ୍କୁଲ ଛୁଟି ରହୁଥିଲା ସାଙ୍ଗସାଥୀଙ୍କ ସହ ଢେର ମସ୍ତି ହେଉଥିଲା। ନିଜ ଭିତରେ ଧର୍ଯ୍ୟ ଶକ୍ତି ବଢ଼ାଇବା ସହ ଆହୁରି ଭଲ କାମ କରିବା ମୋର ନ୍ୟୁ ଇୟର ରିଜୋଲିସନ।
ସ୍ୱପ୍ନା ପତି, ଅଭିନେତ୍ରୀ ତଥା ମଡେଲ