ଭୁବନେଶ୍ବର: ଦିନ ୧୧ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସବୁ କିଛି ସ୍ବାଭାବିକ ଥିଲା। ଲୋକ ଆସୁଥିଲେ, ମେଳା ବୁଲି ଫେରି ଯାଉଥିଲେ; ଭିଡ଼ ସେତେ ବେଶି ନଥିଲା। କିନ୍ତୁ ସଂଧ୍ୟା ସାଢ଼େ ୫ଟା ବେଳକୁ ହଠାତ୍ ସବୁ କିଛି ପରିବର୍ତ୍ତନ ହୋଇଗଲା। ଶହଶହ ସଂଖ୍ୟାରେ ଲୋକେ ମେଳା ପଡ଼ିଆକୁ ମାଡ଼ି ଆସିଲେ।
ପିଲାଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ଭିଡ଼ ଜମିଗଲା। ମେଳା ପଡ଼ିଆ ସହ ବାହାରେ ବି ଲୋକେ ହାଉଯାଉ ହେଲେ। ସ୍ଥିତି ଏମିତି ହେଲା ଯେ ବାହାରେ ଗାଡ଼ି ରଖିବା ପାଇଁ ବି ସ୍ଥାନ ମିଳିଲାନି। ଭୌମନଗର ଟ୍ରାଫିକ୍ ପୋଷ୍ଟଠାରୁ ରାମମନ୍ଦିର ଟ୍ରାଫିକ୍ ଛକ ପର୍ଯ୍ୟନ୍ତ ଜାମ୍ ଭଳି ସ୍ଥିତି ହୋଇଗଲା। ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଶିଶିର ସରସ ମେଳାରେ ଆଜି ନୂଆବର୍ଷ ଉପଲକ୍ଷେ ଏମିତି ଅସମ୍ଭାଳ ଭିଡ଼ ଦେଖି କର୍ତ୍ତୃପକ୍ଷ ମେଳାକୁ ଅଧାରୁ ବନ୍ଦ କରିଦେଇଛନ୍ତି। ରାତି ୯ଟା ପର୍ଯ୍ୟନ୍ତ ମେଳା ଚାଲିବାକୁ ଥିଲେ ହେଁ ସଂଧ୍ୟା ପାଖାପାଖି ୬ଟା ୧୫ରେ ପଡ଼ିଆର ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିଲା। ଏହାସହ ଭିତରେ ଥିବା ଲୋକଙ୍କୁ ଫୁଡ୍କୋର୍ଟ ନିକଟ ଅନ୍ୟ ଏକ ଗେଟ୍ ବାଟେ ବାହାରକୁ ବାହାର କରାଯାଇଥିଲା।
ଫେରିଗଲେ ଶହଶହ ଲୋକ
ପ୍ରବେଶ ଫାଟକ ଆଗରେ ଲୋକଙ୍କ ହୋ ହଲ୍ଲା
ଆସନ୍ତାକାଲି ବି ଭିଡ଼ ହେଲେ ମେଳା ବନ୍ଦ ହେବ: କର୍ତ୍ତୃପକ୍ଷ
ତେବେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମେଳା ବୁଲିବାକୁ ଆସିଥିବା ଲୋକେ ମୁଖ୍ୟ ଫାଟକ ଆଗରେ ପାଟିତୁଣ୍ଡ କରିବା ସହ ଗେଟ୍ ଖୋଲିବା ପାଇଁ କହିଥିଲେ। ମାତ୍ର ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ମନା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଘଟଣାସ୍ଥଳକୁ କିଛି ପୁଲିସ ଅଧିକାରୀ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଏ ସଂପର୍କରେ ଓରମାସ୍ର ବରିଷ୍ଠ ଅଧିକାରୀ କହିଛନ୍ତି, ଅସମ୍ଭାଳ ଭିଡ଼କୁ ଦେଖି ଆଜି ସଂଧ୍ୟାରୁ ମେଳାକୁ ବନ୍ଦ କରିଦିଆଯାଇଛି। ଆସନ୍ତାକାଲି ଠିକ୍ ସମୟରେ ମେଳା ଖୋଲିବ। ତେବେ ରବିବାର ଥିବାରୁ ଯଦି ଆଜି ଭଳି ଲୋକଙ୍କ ଭିଡ଼ ହୁଏ, ବାଧ୍ୟ ହୋଇ ମେଳା ବନ୍ଦ କରାଯିବ।
ସୂଚନାଯୋଗ୍ୟ, ଗତକାଲି ବର୍ଷ ଶେଷ ଦିନରେ ବି ମେଳାରେ ଭିଡ଼ ଜମିଥିଲା। ବିଶେଷକରି ଫୁଡ୍ କୋର୍ଟରେ ଅଧିକ ଲୋକଙ୍କ ସମାଗମ ହେବାରୁ ଫୁଡ୍କୋର୍ଟକୁ ସଂଧ୍ୟା ୬ଟାରୁ ବନ୍ଦ କରି ଦିଆଯାଇଥିଲା। ଦୋକାନୀମାନଙ୍କ ଅନୁରୋଧକ୍ରମେ କେବଳ ପାର୍ସଲରେ ଖାଦ୍ୟ ବିକ୍ରି କରାଯାଇଥିଲା।