ନୂଆବର୍ଷରେ ପ୍ରଥମ ସୁପର ମୁନ୍‌

ପଠାଣି ସମାନ୍ତ ପ୍ଲାନେଟାରିୟମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ଲୋକେ ଦେଖିଲେ ବିରଳ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ‘ସୁପର ମୁନ୍‌’ ମଙ୍ଗଳବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ଏହା ୧୦ପ୍ରତିଶତ ବଡ଼ ଓ ୨୫ପ୍ରତିଶତ ଉଜ୍ଜ୍ୱଳ ଥିଲା। ଏହି ସୁପର ମୁନ୍‌କୁ ଦେଖିବା ପାଇଁ ଆଜି ପଠାଣି ସମାନ୍ତ ପ୍ଲାନେଟାରିୟମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଦୂରବିକ୍ଷଣ ଯନ୍ତ୍ର ସହାୟତାରେ ପ୍ରାୟ ଘଣ୍ଟାଏ ଧରି ଲୋକମାନେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାର ସୁଯୋଗ ପାଇଥିଲେ। ଏହାସହ ଲୋକମାନେ ସୁପରମୁନ୍‌ ସଂପର୍କରେ ପ୍ଲାନେଟାରିୟମ୍‌ର ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ। ପ୍ଲାନେଟାରିୟମ୍‌ର ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବାନୁଯାୟୀ, ଆଜି ଦୃଶ୍ୟମାନ ହୋଇଥିବା ଚଳିତବର୍ଷର ଏହି ସୁପରମୁନ୍‌ ଥ୍ରି-ସୁପରମୁନ ସିରିଜ୍‌ର ଦ୍ୱିତୀୟ। ଏହି ସିରିଜର ପ୍ରଥମ ‘ସୁପରମୁନ୍‌’ ଗତବର୍ଷ ଡିସେମ୍ବର ୩ତାରିଖ ରାତିରେ ଦେଖିବାକୁ ମିଳିଥିଲା। ଏହାର ଶେଷଟି ଆସନ୍ତା ଜାନୁଆରି ୩୧ତାରିଖ ସଂଧ୍ୟାରେ ଦେଖାଯିବ। ଚଳିତବର୍ଷ ଜାନୁଆରି ମାସରେ ୩ ଓ ୩୧ ତାରିଖରେ ଦୁଇଟି ପୂର୍ଣ୍ଣମୀ ପଡ଼ୁଛି। ଲୋକକଥା ଅନୁଯାୟୀ ୩୧ତାରିଖରେ ପଡ଼ୁଥିବା ଦ୍ୱିତୀୟ ପୂର୍ଣ୍ଣମୀକୁ ବ୍ଲୁ ମୁନ୍‌ ବା ନୀଳ ଜହ୍ନ କୁହାଯାଉଛି। ସେହିଦିନ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଦୃଶ୍ୟ ହେଉଥିବା ଅଞ୍ଚଳରେ ଚନ୍ଦ୍ରଟି ଲାଲ ରଂଗର ଦେଖାଯିବ।
ସେ ଆହୁରି ମଧ୍ୟ କହିଥିଲେ ଯେ, ‘ସୁପରମୁନ୍‌’ ସମୟରେ ଚନ୍ଦ୍ର ପ୍ରାୟ ୧୦ପ୍ରତିଶତରୁ ୧୪ପ୍ରତିଶତ ବଡ଼ ଓ ୨୫ପ୍ରତିଶତରୁ ୩୦ପ୍ରତିଶତ ଉଜ୍ଜ୍ୱଳ ଦେଖାଯାଇଥାଏ। ପ୍ରାୟ ପ୍ରତ୍ୟେକ ବର୍ଷ ଏଭଳି ଘଟଣା ଦେଖିବାକୁ ମିଳିଥାଏ। ଜାନୁଆରି ୩୧ତାରିଖ ସଂଧ୍ୟାରେ ଦେଖାଯିବାକୁ ଥିବା ସୁପରମୁନ୍‌ ସମୟରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ ଏବଂ ପୃଥିବୀର କିଛି ଅଞ୍ଚଳକୁ ଏହା ଦେଖାଯିବ। ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ। ଏହାର କୌଣସି ପ୍ରଭାବ ଲୋକମାନଙ୍କ ଉପରେ କିମ୍ବା ପୃଥିବୀ ଉପରେ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର