ନୂଆ ବର୍ଷର ପହିଲି ଦିନ : ଦୂରରୁ ଦେବ ଦର୍ଶନ

ଭୁବନେଶ୍ୱର : ପାଦ ଥାପିଛି ୨୦୨୧। ନୂଆ ଆଶା ଓ ସମ୍ଭାବନା ନେଇ ଆସିଥିବା ନବବର୍ଷକୁ ରାଜଧାନୀବାସୀ ବେଶ୍‌ ଉତ୍ସାହର ସହ ସ୍ବାଗତ କରିଛନ୍ତି। ସକାଳୁ ସକାଳୁ ସାରା ସହର ଉତ୍ସବମୁଖର ହୋଇଉଠିଥିଲା। ମନ୍ଦିର ଆଗରେ ଲୋକେ ଭିଡ଼ ଜମାଇଥିଲ ହେଁ କୋଭିଡ୍‌ କଟକଣା ଯୋଗୁଁ ପ୍ରବେଶ ସୁଯୋଗ ନଥିଲା। ତେଣୁ ଦୂରରୁ ମୁଣ୍ଡିଆ ମାରି ପ୍ରାର୍ଥନା କରିଥିଲେ। ସେହିଭଳି କଟକଣା ଯୋଗୁଁ ପର୍ଯ୍ୟଟନସ୍ଥଳୀରେ ବଣଭୋଜିର ଆସର ଜମି ନଥିଲା। କିନ୍ତୁ ହୋଟେଲଗୁଡ଼ିକରେ ଲୋକେ ସାଙ୍ଗ ଓ ପ୍ରିୟଜନଙ୍କ ସହ ସୁସ୍ବାଦୁ ଖାଦ୍ୟର ମଜା ଉଠାଇଥିଲେ। ଏଥିପାଇଁ ରାଜଧାନୀର ସମସ୍ତ ହୋଟେଲରେ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ଗତରାତି‌ରେ କର୍ଫ୍ୟୁ ଯୋଗୁଁ ଏବର୍ଷ ଫୁଲ ବେପାର ସେତେଟା ଉତ୍ସାହଜନକ ନଥିଲା। ସେହିପରି ସିନେପ୍ରେମୀମାନେ ସିନେମା ଦେଖିବାରୁ ବଞ୍ଚିତ ହୋଇଛନ୍ତି। ସବୁ ସିନେମା ହଲ୍‌ ଆଗରେ ତାଲା ଝୁଲୁଥିବା ଦେଖାଯାଇଥିଲା।

ସିଂହଦ୍ବାରରେ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ
ପୁରୁଣା ଭୁବନେଶ୍ୱର : ନୂଆବର୍ଷ ୨୦୨୧ ଆସିଲା। ମାତ୍ର କରୋନା କଟକଣା ଗଲା ନାହିଁ। ତେଣୁ ଶ୍ରଦ୍ଧାଳୁମାନଙ୍କର ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବାର ଆଶା ପୁଣି ଆଶାରେ ହିଁ ରହିଗଲା। ‌ତେଣୁ ଆଜି ଶତାଧିକ ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ବାରରେ ଭିଡ଼ ଲଗାଇଥିଲେ। ଠାକୁରଙ୍କୁ ନ ଦେଖି ପାରିଲେ ନାହିଁ, ମନ୍ଦିର ମାଟି ମାଡ଼ିବା ପାଇଁ ଆଗ୍ରହ କରି ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ଦୁଆରେ ଉପସ୍ଥିତ ହୋଇଥିଲେ। ସେହିଠାରୁ ମୁଣ୍ଡିଆ ମାରି ଫେରିଥିଲେ।

ପ୍ରତି ନୂଆବର୍ଷ ଦିନ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ପ୍ରବେଶ ବନ୍ଦ ରହିଥିଲା। ଏଥିପାଇଁ ବହୁ ଶ୍ରଦ୍ଧାଳୁ ନିରାଶ ହୋଇଥିଲେ। ତେବେ ଆଜି ବହୁ ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରରୁ ପ୍ରାର୍ଥନା କରିବା ସହ ସେଠାରେ ଦୀପ ଜାଳିଥିଲେ। ମନ୍ଦିରର ନୀତି ସ୍ବାଭାବିକ ଥିଲା। ସକାଳ ୬ରୁ ୭ଟା, ସକାଳ ୯ରୁ ଅପରାହ୍ଣ ୨ଟା ଓ ସନ୍ଧ୍ୟା ସାଢ଼େ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାହାଣ ମେଲା ରହିଥିଲା। ଧନୁ ମାସର ନୀତି ଅନୁଯାୟୀ ମନ୍ଦିରରେ ନୀତିକାନ୍ତି ହୋଇଥିଲା। ଅନ୍ୟପକ୍ଷରେ ଆଜି ବାସୁଦେବ ମନ୍ଦିରରୁ ଅବଢ଼ା କିଣିବାକୁ ବହୁ ଶ୍ରଦ୍ଧାଳୁ ଆସିଥିଲେ। ସେହିଭଳି ଆଜି ସନ୍ଧ୍ୟାରେ ମଧ୍ୟ ମନ୍ଦିର ନିକଟକୁ ଆସି ବହୁ ଶ୍ରଦ୍ଧାଳୁ ମନ୍ଦିର ଓ ବିନ୍ଦୁସାଗରର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଦୀପ ଜାଳିଥିଲେ।

WordPress.com

ଜମିଲାନି ଭୋଜିଭାତ, ସକାଳୁ ଜମିଲା ଫୁଲ ବେପାର
ସାଧାରଣତଃ ନୂଆବର୍ଷ ପୂର୍ବ ରାତିରୁ ଫୁଲ ବେପାର ଜମିଥାଏ। ରାତି ଅଧରୁ ଦୋକାନୀମାନେ ଫୁଲର ପସରା ମେଲାଇ ଦେଇଥା’ନ୍ତି। କିନ୍ତୁ ଗତ ରାତିରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗାଯାଇଥିବାରୁ ଦୋକାନଗୁଡ଼ିକ ବନ୍ଦ ରହିଥିଲା। ଫଳରେ ଦୋକାନୀମାନେ ଏକପ୍ରକାର ଆଶା ଆଶଙ୍କାରେ ରହିଥିଲେ। ବେଙ୍ଗାଲୁରୁ, କୋଲକାତାରୁ ମଗାଇଥିବା ଫୁଲ ବିକ୍ରି ହେବ କି ନାହିଁ, ସେ ନେଇ ଆଶଙ୍କାରେ ରହିଥିଲେ। କିନ୍ତୁ ସକାଳୁ ସକାଳୁ ଫୁଲ ଦୋକାନଗୁଡ଼ିକ ଆଗରେ ଗହଳି ପରିଲକ୍ଷିତ ହୋଇଥିଲା। ବରମୁଣ୍ଡା ନୀଳକଣ୍ଠେଶ୍ବର ଫ୍ଲାୱାର୍‌ର ସ୍ବତ୍ବାଧିକାରୀ ଅଭିଜିତ୍‌ ପ୍ରଧାନଙ୍କ କହିବା ଅନୁଯାୟୀ, କର୍ଫ୍ୟୁ ଯୋଗୁଁ ବେପାର ପୂର୍ବବର୍ଷ ଭଳି ହୋଇନାହିଁ। ତାହାକୁ ଦୃଷ୍ଟିରେ ରଖି ଗତବର୍ଷ ଅପେକ୍ଷା କମ୍‌ ଫୁଲ ମଗାଇଥିଲୁ। କିନ୍ତୁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଫୁଲ ନେବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ସଂଧ୍ୟା ବେଳକୁ ଦୋକାନ ପୂରା ଖାଲି ହୋଇଯାଇଥିଲା।

ହୋଟେଲରେ ଖଚାଖଚ୍‌ ଭିଡ଼
ନୂଆବର୍ଷର ପ୍ରଥମ ଦିନ ପଡ଼ିଲା ଶୁକ୍ରବାର। ଏଣୁ ଆଜି ସଂଧ୍ୟାରେ ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ଭିଡ଼ ହେବା ଜାଣି କିଛି ଲୋକ ଆଗୁଆ ହୋଟେଲ୍‌ରେ ସିଟ୍‌ ସଂରକ୍ଷିତ କରିଦେଇଥିଲେ। ଏ ନେଇ ହୋଟେଲ୍‌ଗୁଡ଼ିକ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରିଥିଲେ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ଅଫର୍‌ ମଧ୍ୟ ଦିଆଯାଇଥିଲା।

ହଲ୍‌ରେ ତାଲା
୯ମାସରୁ ଊର୍ଧ୍ବ ହଲ୍‌ ବନ୍ଦ ରହିବା ପରେ ରାଜ୍ୟ ସରକାର ଖୋଲିବାକୁ ଗାଇଡ୍‌ଲାଇନ୍‌ ଜାରି କଲେ। ସିନେପ୍ରେମୀମାନେ ଏହାକୁ ନେଇ ଉତ୍ସାହିତ ହୋଇଥିଲେ। ଅନ୍ତତଃ ନୂଆ ବର୍ଷରେ ହଲ୍‌ରେ ସାଙ୍ଗସାଥୀମାନଙ୍କ ସହ ବସି ସିନେମା ଦେଖିବାର ମଉକା ମିଳିବ ବୋଲି ଆଶା କରିଥିଲେ। କିନ୍ତୁ ସେଭଳି ଅବସର ଜୁଟିଲା ନାହିଁ। ୩୦ ତାରିଖରେ ଗାଇଡ୍‌ଲାଇନ୍‌ ଆସିଥିବାରୁ ଏତେ କମ୍‌ ସମୟ ଭିତରେ ଭିତ୍ତିଭୂମି ସଜାଡ଼ି ହଲ୍‌ ଖୋଲିବା ମାଲିକମାନଙ୍କ ପାଇଁ ସମ୍ଭବ ହୋଇପାରିନାହିଁ।

Telegraph India

ଭୋର୍‌ ୫ଟାରୁ ଆମିଷ ବଜାର ଭିଡ଼
ଆଜି ଆମିଷ ବାର (ଶୁକ୍ରବାର) ଥିବାରୁ ସକାଳୁ ସକାଳୁ ଆମିଷ ବଜାର ଗହଳି ହୋଇଯାଇଥିଲା। ଭୋର୍‌ ୫ଟାରୁ ବେପାର ଆରମ୍ଭ ହୋଇଯାଇଥିଲା। ଗ୍ରାହକମାନେ ମଧ୍ୟ ଶୀତକୁ ଖାତିର୍‌ ନ କରି ଆମିଷ ନେବା ପାଇଁ ଧାଡ଼ି ଲମ୍ବାଇଥିଲେ। ଭୁବନେଶ୍ବର ମାଂସ ବ୍ୟବସାୟୀ ସଂଘର ସମ୍ପାଦକ ଏସ୍‌କେ ସର୍ଜନ କହିଛନ୍ତି, ଆଜି ବେପାର ଭଲ ହୋଇଛି। ରାଜଧାନୀରେ ପ୍ରାୟ ୪୦୦ଟି ମଟନ୍‌ ଦୋକାନ ରହିଥିବା ବେଳେ ଆଜି ସକାଳୁ ଦିନ ୨ଟା ଭିତରେ ୨୦୦ କୁଇଣ୍ଟାଲ ମଟନ୍ ବିକ୍ରି ହୋଇଛି। କେଜି ପ୍ରତି ୬୫୦ରୁ ୭୦୦ ଟଙ୍କାରେ ବିକ୍ରି ହୋଇଥିବା ସେ କହିଛନ୍ତି। ଅପରପକ୍ଷେ ୟୁନିଟ୍‌- ୪ ଚିକେନ୍‌ ହୋଲ୍‌ସେଲର୍‌ ଶେକ୍‌ ସହିଦ କହିଛନ୍ତି, ଆଜି ବ୍ରଏର୍ଲର୍‌ଠାରୁ ଆରମ୍ଭ କରି ଦେଶୀ ଓ ବନରାଜ ଆଦିର ଚାହିଦା ଆକାଶଛୁଆଁ ଥିଲ‌ା। ପ୍ରାୟ ୩୦ କ୍ବିଣ୍ଟାଲ ଚିକେନ୍‌ ବିକ୍ରି ହୋଇଛି।

ସମ୍ବନ୍ଧିତ ଖବର