ଭୁବନେଶ୍ବର: ନୂଆବର୍ଷ ସେଲିବ୍ରେସନ୍ ଉପରେ ସରକାର କଟକଣା ଲଗାଇଥିଲେ। ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ବାରଣ ଥିଲା, ପିକ୍ନିକ୍ ବି ହୋଇପାରିବ ନାହିଁ ବୋଲି ସରକାର ଚେତାଇ ଦେଇଥିଲେ। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଖଣ୍ଡଗିରି, ଉଦୟଗିରି, ଧଉଳି, ରାଜରାଣୀ ମନ୍ଦିରକୁ ବି ବିଏମ୍ସି ବନ୍ଦ କରିଦେଇଥିଲା।
ଏହା ସତ୍ତ୍ବେ ରାଜଧାନୀବାସୀ ନବବର୍ଷକୁ ଜାକଜମକରେ ସ୍ବାଗତ କରିଛନ୍ତି। ମନ୍ଦିର ବନ୍ଦ ଥିଲେ ହେଁ ବାହାରେ ପୂଜାର୍ଚ୍ଚନା କରି ଶୁଭ ମନାସିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର, ରାମମନ୍ଦିର ସମେତ ସହରରେ ଥିବା ଅନ୍ୟ ବଡ଼ ବଡ଼ ମନ୍ଦିରଗୁଡ଼ିକରେ ଆଜି ପୂର୍ବାହ୍ନରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଶହଶହ ସଂଖ୍ୟାରେ ଭକ୍ତ ମନ୍ଦିର ବାହାରେ ଦୀପ ଲଗାଇ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ। ସେହିପରି ରାଜଧାନୀରେ ଥିବା ବଡ଼ବଡ଼ ମଲ୍, ସିନେମା ହଲ୍ ଓ ହୋଟେଲଗୁଡ଼ିକରେ ଲୋକଙ୍କ ଅସମ୍ଭାଳ ଭିଡ଼ ଜମିଥିଲା। ଏହା ସାଙ୍ଗକୁ ଫୁଲ ଓ ମିଠା ବେପାର ମଧ୍ୟ ଜମିଥିଲା।
ଧଉଳି ବୁଲିଲେ ୫ ହଜାର : ଗେଟ୍ରେ ସୁରକ୍ଷା କର୍ମୀ, ଗଳାବାଟରେ ପର୍ଯ୍ୟଟକ
କଟକଣା ସତ୍ତ୍ବେ ଆଜି ଧଉଳି ଶାନ୍ତିସ୍ତୂପ ବୁଲିଛନ୍ତି ପ୍ରାୟ ୫ହଜାର ପର୍ଯ୍ୟଟକ। ଶାନ୍ତିସ୍ତୂପ ପ୍ରବେଶପଥ ବସ୍ଷ୍ଟାଣ୍ଡ ଗେଟ ନିକଟରେ ପୁଲିସ ମୁତୟନ ହୋଇଛନ୍ତି। ହେଲେ ବାଇକ୍ ଏବଂ କାର୍ରେ ପର୍ଯ୍ୟଟକମାନେ କିପରି ଭିତରକୁ ଯାଇଥିଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ବାସିନ୍ଦା ପରିଚୟ ଦେଇ ପର୍ଯ୍ୟଟକ ଯାତାୟାତ କରୁଥିବା କୁହାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୟାବ୍ରିଜ୍କୁ ଲାଗିଥିବା ଧଉଳି ପଛପଟ ରାସ୍ତାରେ ପର୍ଯ୍ୟଟକ ବିନା ପ୍ରତିରୋଧରେ ଯାତାୟାତ କରୁଥିବା ବେଳେ ପୁଲିସ ପକ୍ଷରୁ ଅମାନିଆ ଯୁବକ ଯୁବତୀ ତଥା ପର୍ଯ୍ୟଟକମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି।
ଅନୁରୂପ ଭାବେ ନୂଆବର୍ଷ ଅବସରରେ କେନ୍ଦୁବିଲ୍ବସ୍ଥିତ ଜୟଦେବ ପୀଠରେ ୧୦ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ପଶ୍ଚିମବଙ୍ଗ ଅଞ୍ଚଳରୁ ବସ୍ରେ ଆସିଥିବା ଆଉ କିଛି ପର୍ଯ୍ୟଟକ ବସ୍ଷ୍ଟାଣ୍ଡରୁ ଫେରିଯାଇଥିଲେ। ସୂଚନାଯୋଗ୍ୟ, ଡିସେମ୍ବର ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ଶାନ୍ତିସ୍ତୂପ ପରିଦର୍ଶନ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।
ସବୁ ସୋ’ ହାଉସ୍ଫୁଲ୍
ସିନେମା ହଲ୍ରେ ତେଲୁଗୁ ଷ୍ଟାର୍ ଆଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା’, ରଣବୀର ସିଂହଙ୍କ ଅଭିନୀତ ‘୮୩’, ହଲିଉଡ୍ ଚଳଚ୍ଚିତ୍ର ‘ସ୍ପାଇଡର୍ ମାନ୍: ୱାନ୍ ୱେ ହୋମ୍’ ଓ ଟଲିଉଡ୍ ଚଳଚ୍ଚିତ୍ର ‘ଶ୍ୟାମ ସିଂ ରଏ’ ଆଦି ଚଳଚ୍ଚିତ୍ର ଦେଖିବାକୁ ଆଜି ସିନେମା ହଲ୍ଗୁଡ଼ିକରେ ଦର୍ଶକଙ୍କ ଭିଡ଼ ଜମିଥିଲା। ୫୦% ଅକ୍ୟୁପାନ୍ସିରେ ସିନେମା ହଲ୍ଗୁଡ଼ିକ ଚାଲିଥିଲେ ବି ସମସ୍ତ ସୋ’ ହାଉସ୍ଫୁଲ୍ ଥିଲା। ଆଚାର୍ଯ୍ୟବିହାରସ୍ଥିତ ମହାରାଜା ସିନେମା ହଲ୍ରେ ‘୮୩’, ‘ପୁଷ୍ପା’, ‘ସ୍ପାଇଡର୍ ମାନ୍: ୱାନ୍ ୱେ ହୋମ୍’ ଆଦି ଚଳଚ୍ଚିତ୍ର ପଡ଼ିଥିବା ବେଳେ ସମସ୍ତ ସୋ’ ହାଉସ୍ଫୁଲ୍ ଥିବା ହଲ୍ର ମ୍ୟାନେଜର୍ ସୂଚନା ଦେଇଛନ୍ତି। ସେହିଭଳି ଶ୍ରୀୟା, ସିନେପଲିସ୍, ଆଇନକ୍ସ ଓ କେଶରୀରେ ମଧ୍ୟ ବି ସବୁ ସୋ’ ହାଉସଫୁଲ୍ ଥିଲା।
ଚାହିଦାରେ ପାରମ୍ପରିକ ମିଠା
ମିଠା ବ୍ୟବସାୟୀଙ୍କୁ ଆଜି ସକାଳୁ ତର ନଥିଲା। ସାଧାରଣତଃ ଦୀପାବଳି ଅବସରରେ ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ସହଯୋଗୀମାନଙ୍କୁ ଉପହାର ଦେବାକୁ ଶୁଖଲା ମିଠା ପସନ୍ଦ କରୁଥିବା ବେଳେ ଆଜି ନୂଆବର୍ଷରେ କିନ୍ତୁ ପାରମ୍ପରିକ ମିଠାର ଚାହିଦା ଅଧିକ ଥିଲା। କ୍ଷୀର ଓ ଛେନା ତିଆରି ମିଠାର ବିଶାଳ ପସରା ରାଜଧାନୀବାସୀଙ୍କୁ ଆକର୍ଷିତ କରିଥିଲା। ନିମାପଡ଼ା ସ୍ବିଟ୍ସର ସ୍ବତ୍ବାଧିକାରୀ ଦିବାକର ସାହୁ କହିଛନ୍ତି, ଆଜି ତାଙ୍କର ବେପାର ଭଲ ହୋଇଛି। ରସଗୋଲା, ଛେନାପୋଡ଼, ଛେନା ମୁଡ଼ିକି, ଛେନାଝିଲ୍ଲୀ, ଗୋଲାପଜାମୁନ, ତାଡ଼ିଆ ଓ ମାଲ୍ପୁଆ ଭଳି ପାରମ୍ପରିକ ମିଠା ସହ କିଛି ନୂଆ ଓ ଆଧୁନିକ ମିଠାକୁ ମିଶାଇ ନୂଆବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ୪ଶହରୁ ଅଧିକ ପ୍ରକାରର ମିଠା ବିକ୍ରି ହୋଇଛି।