ଆସୁଛି ନୂଆବର୍ଷ: ଫାର୍ମହାଉସ୍‌, ରିସର୍ଟରେ ରେଭ୍‌ ପାର୍ଟି

ପୁଲିସ୍‌ ରାଡାର୍‌ରେ ରାଜଧାନୀ ଉପକଣ୍ଠ

ଭୁବନେଶ୍ବର: ଆଉ ମାତ୍ର ଦେଢ଼ମାସ ପରେ ନୂଆ ବର୍ଷ। କରୋନା ସଂକଟ ଟଳି ଯାଇଥିବାରୁ ଏଥର ସବୁ ପର୍ବ ଭଳି ବେଶ୍ ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳିତ ହେବ। ଏଥିପାଇଁ ସବୁ ବର୍ଗର ଲୋକେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଯୁବପିଢ଼ି ଏବେଠୁ ବଡ଼ ଯୋଜନା କରିବସିଲେଣି। ବେଶ୍ କିଛି ବର୍ଷ ହେଲା ରାଜଧାନୀର ବିଭିନ୍ନ ହୋଟେଲରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଏକ ପରମ୍ପରା ହୋଇସାରିଛି। ଡିସେମ୍ବର ୩୧ ରାତିରେ ଲୋକେ ପରିବାର ସହ ହୋଟେଲକୁ ଯାଇ ଏହି ସେଲିବ୍ରେସନ୍‌ରେ ଅଂଶଗ୍ରହଣ କରୁଛନ୍ତି। କିନ୍ତୁ ଏବେ ନୂଆ କରି ଯୁବପିଢ଼ିଙ୍କ ପାଇଁ ପ୍ରସ୍ତୁତ ହୋଇରହିଛି ରେଭ୍ ପାର୍ଟି। ଗତ କିଛି ଦିନ ହେଲା ଦେଶର ବିଭିନ୍ନ ମେଟ୍ରୋ ସହର ଭଳି ଭୁବନେଶ୍ବରରେ ବି ଲୁଚାଚୋରାରେ ଚାଲିଲାଣି ରେଭ୍‌ ପାର୍ଟି। ଫାର୍ମହାଉସ୍‌, ରିସର୍ଟ ଭଳି ସଂସ୍ଥାରେ ଏଭଳି ପାର୍ଟି ହେବ ବୋଲି ସବୁପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏମିତିକି ରାଜଧାନୀ ଉପକଣ୍ଠରେ ଥିବା ବହୁ ଫାର୍ମହାଉସ୍ ଓ ରିସର୍ଟରେ ଏଥିପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦାମୀ ନିଶାର ଝୁଙ୍କ ସାଙ୍ଗକୁ ଅଣଓଡ଼ିଆ ଯୁବତୀଙ୍କ ମତୁଆଲା ନୃତ୍ୟରେ ଝୁମିବେ ନୂଆ ଯୁବକମାନେ। ତେଣୁ ନୂଆବର୍ଷ ଯେତିକି ପାଖେଇ ଆସୁଛି, ଯୁବପିଢ଼ିଙ୍କ ଜଲି ମୁଡ୍‌ ସେତିକି ବଢ଼ିବଢ଼ି ଯାଉଛି। ସେମାନେ କାଉଣ୍ଟଡାଉନ୍‌ କରିବା ଆରମ୍ଭ କରିସାରିଲେଣି।

ଗତ କିଛି ଦିନ ତଳେ ଚନ୍ଦକା ଥାନା ମେଣ୍ଢାଶାଳ ପାଣିଓଳା ନିକଟରେ ଥିବା ହାପି ମୁମେଣ୍ଟ ରିସୋର୍ଟରେ ଲୁଚାଛପାରେ ରେଭ୍ ପାର୍ଟି ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ସେଠାରେ ପୁଲିସ ଚଢ଼ଉ କରିଥିଲା। ଉକ୍ତ ପାର୍ଟିରେ ଏକାଧିକ ଟିନ୍ ଏଜ୍‌ର ପିଲାମାନେ ନିଶାସକ୍ତ ଅବସ୍ଥାରେ ଟଳମଳ ହେଉଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ପୁଲିସକୁ ଦେଖି ଅନେକ ପାଚେରି ଦେଇ ଗହୀର ଭିତରକୁ ଡେଇଁ ବିଲରେ ବିଲରେ ଧାଇଁଥିଲେ। ପୁଲିସ ସେଠାରୁ ପାଖାପାଖି ୨୦ ଲିଟରରୁ ଅଧିକ ଦାମୀ ବ୍ରାଣ୍ଡ୍‌ର ବିଦେଶୀ ମଦ ଜବତ କରିଥିଲା। ଏହି ବେଆଇନ ମାମଲାରେ ପୁଲିସ ରିସୋର୍ଟ ମାଲିକ ଶିବ ପ୍ରସାଦ ପଟ୍ଟନା‌ୟକ ଓ ମ୍ୟାନେଜର ରାହୁଲ ମଲ୍ଲିକଙ୍କୁ ଗିରଫ କରିଥିଲା। ରାଜଧାନୀ ଉପକଣ୍ଠସ୍ଥ ଫାର୍ମ ହାଉସ୍‌ରେ ରେଭ୍‌ ପାର୍ଟି ଭଳି ଘଟଣା ସେ‌ତେବେଳେ କମିସନରେଟ୍‌ ପୁଲିସକୁ ତାଜୁବ କରିଥିଲା। ପରେ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ଯେ ହାପି ମୁମେଣ୍ଟ ରିସୋର୍ଟ ଭଳି ଆହୁରି କିଛି ଫାର୍ମ ହାଉସ୍‌ ଓ ରିସର୍ଟ ରହିଛି। ବିଶେଷକରି ପାହାଳ, ବାଲିଅନ୍ତା, ବାଲିପାଟଣା, ଯାଁଳା, ଜଟଣୀ, ପିପିଲି, ଚନ୍ଦକା, ନନ୍ଦନକାନନ, ଭରତପୁର, କଳିଙ୍ଗନଗର, ଧଉଳି ଆଦି ଅଞ୍ଚଳରେ ଥିବା ବିଭିନ୍ନ ରିସୋର୍ଟ ଓ ଫାର୍ମ ହାଉସରେ ଏଭଳି ଅନୈତିକ, ବେଆଇନ ପାର୍ଟି ଚାଲୁଛି। ସେହିଭଳି ରାଜଧାନୀ ଉପକଣ୍ଠରେ କିଛି ସ୍ବତନ୍ତ୍ର ବିଲ୍‌ଡିଂକୁ ଘର ମାଲିକମାନେ ଛୋଟ କଲ୍ୟାଣ ମଣ୍ଡପ ଭଳି ବ୍ୟବସାୟରେ ଲଗାଇଛନ୍ତି। ସେଠାରେ ମଧ୍ୟ ରେଭ୍‌ ପାର୍ଟି ଆୟୋଜନ କରାଯାଉଛି। ଇନ୍‌ଫୋଭ୍ୟାଲି ଥାନା ଯାଁଳା ଅଞ୍ଚଳରେ ଥିବା ଏମିତି ଏକ ବିଲ୍‌ଡିଂ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜଣାପଡ଼ିଛି। ବିଭିନ୍ନ ସମୟ‌ରେ ବିଳମ୍ବିତ ରାତିରେ ଏହି କୋଠାରେ ପାର୍ଟି ବା ବେଆଇନ ଆସର ଜମୁଛି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ ୧୦ ବର୍ଷ ତଳେ ଏଭଳି ପାର୍ଟି ସହରର ବିଭିନ୍ନ ଆପାର୍ଟମେଣ୍ଟ ବା ମଲ୍‌ ଛାତ ଉପରେ ଚାଲୁଥିଲା। ଏକଦା ସହିଦନଗର ଥାନା ଅଧୀନ ଏକ ମଲ୍ ଛାତ ଉପରେ ଏଭଳି ପାର୍ଟି ଚାଲୁଥିବା ବେଳେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଥିଲେ। ଏନେଇ ସେ ସୋସିଆଲ ମଡିଆରେ ରେଭ୍ ପାର୍ଟି ସମ୍ପର୍କରେ ସେୟାର କରିବା ପରେ କମିସନରେଟ ପୁଲିସ ତତ୍ପର ହୋଇଉଠିଥିଲା। ତେବେ ବହୁ ବଡ଼ବଡ଼ିଆଙ୍କ ପୁଅ ଓ ଝିଅମାନେ ଏହି ରେଭ୍‌ ପାର୍ଟି ଆୟୋଜନ କରିଥିବାରୁ ଘଟଣାଟି ଦବି ଯାଇଥିଲା। ତେଣୁ ସହର ଭିତରେ ଆଉ ରେଭ ପାର୍ଟି କରିବାକୁ କେହି ଚାହୁନାହାନ୍ତି। ତେଣୁ ସେମାନେ ରାଜଧାନୀ ଉପକଣ୍ଠ ନିଛାଟିଆ ଅଞ୍ଚଳରେ ହୋଇଥିବା ଫାର୍ମ ହାଉସ ଓ ରି‌ସର୍ଟ ବୁକିଂ କରିବା ଆରମ୍ଭ କରିଦେଲେଣି। ଏଣ୍ଟ୍ରି ପାଇଁ ଟିକେଟ୍ ପିଛା ୧ ହଜାରରୁ ୧୫ ଶହ ଟଙ୍କା ପଡ଼ୁଛି। ମଦ ଓ ଖାଇବା ଖର୍ଚ୍ଚ ଅଲଗା। ପାର୍ଟିକୁ ଅଧିକ ରଙ୍ଗିନ କରିବାକୁ ବଙ୍ଗୀୟ ଯୁବତୀମାନେ ଆସିବେ। ଏଥିପାଇଁ ବଙ୍ଗୀୟ ଯୁବତୀମାନେ ଏବେଠୁ ଭୁବନେଶ୍ବରରେ ଡେରା ପକାଇଲେଣି। ସେମାନେ ଏବେ ବିଭିନ୍ନ ଲଜ୍ ଓ ହୋଟେଲରେ ଛଦ୍ମବେଶରେ ରହିଥିବା ଜଣାପଡ଼ିଛି। ସେମାନେ ବିଭିନ୍ନ ନକଲି କମ୍ପାନିର ସେଲ୍‌ସ ଏକ୍‌ଜିକ୍ୟୁଟିଭ୍‌ ଭଳି କର୍ମଚାରୀ ଭାବେ ରହୁଛନ୍ତି।

ଚନ୍ଦକା ପାଣିଓଳା ଫାର୍ମ ହାଉସ୍‌ ଘଟଣା ପରେ ନୂଆବର୍ଷ ପାଇଁ କମିସନରେଟ ପୁଲିସ ଏବେଠୁ ସତର୍କ ହେବା ସୂଚନା ମିଳିଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ରେଭ୍‌ ପାର୍ଟିଗୁଡ଼ିକ ଉପରେ ନଜର ପକାଇବା ଆରମ୍ଭ କରିଛି। ଏ ସମ୍ପର୍କରେ କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନୂଆବର୍ଷ ପାଇଁ ଯେଉଁଠି ବି ବେଆଇନ ଭାବେ କିଛି ପାର୍ଟି ଚାଲିବ, ସେଠାରେ ପୁଲିସ ଚଢ଼ଉ ହେବ। ସେହିପରି ରିସର୍ଟ ଓ ଫାର୍ମ ହାଉସରେ ରେଭ୍ ପାର୍ଟି ହେଉଥିବା ଖବର ଆସିଲେ, ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଭା‌ବେ ଉକ୍ତ ରିସର୍ଟ ଓ ଫାର୍ମ ହାଉସକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରିବ।

ସମ୍ବନ୍ଧିତ ଖବର