ଭୁବନେଶ୍ବର: ଆସିଛି ନୂଆ ବର୍ଷ। ନୂଆ ଉଦ୍ଦୀପନା ସହ ବିଏମ୍ସି ନୂଆ ଯୋଜନାରେ ଲାଗି ପଡ଼ିଛି। ନୂଆ ବର୍ଷରେ ଭୁବନେଶ୍ବରବାସୀଙ୍କୁ କିଛି ନୂଆ ପ୍ରକଳ୍ପ ଭେଟି ଦେବା ପାଇଁ ବିମ୍ସି ପ୍ରସ୍ତୁତ ହେଉଛି। କିନ୍ତୁ ନୂଆ ବର୍ଷରେ ପୁରୁଣା ପ୍ରସଙ୍ଗ ସବୁ ଆହ୍ବାନ ହୋଇ ଛିଡ଼ା ହୋଇଛି। ମେୟର ସିଧାସଳଖ ନିର୍ବାଚିତ ହୋଇଥିବା ବେଳେ ନୂଆ କରି କାର୍ପୋରେଟରମାନେ ଦାୟିତ୍ବ ନେଇଥିଲେ। ଏଣୁ ଲୋକମାନେ ମଧ୍ୟ ଏହି ୯ ମାସ ମଧ୍ୟରେ କିଛି ଅଧିକା ମଧ୍ୟ ଆଶା କରି ନଥିଲେ। ଆସନ୍ତା ଏପ୍ରିଲ୍ରେ ଏହି କର୍ପୋରେସନକୁ ଏକ ବର୍ଷ ପୂରିବାକୁ ଯାଉଥିବା ବେଳେ ଲୋକ ମଧ୍ୟ ଅଧିକ ଆଶା କରିବେ। କିନ୍ତୁ ପୁରୁଣା ପ୍ରସଙ୍ଗରୁ ବିଏମ୍ସି ବାହାରିଲେ ସିନା ନୂଆ ପ୍ରକଳ୍ପ ଭେଟି ଦେବ।
ଗତ ବର୍ଷ ଅପ୍ରେଲ ୯ ତାରିଖରେ ବିଏମ୍ସିର ଦାୟିତ୍ବ ନେଇଥିଲେ ମେୟର ସୁଲୋଚନା ଦାସ ଓ ୬୭ କର୍ପୋରେଟର। ବିଧିବଦ୍ଧ ଭାବରେ ନିର୍ବାଚିତ ଲୋକପ୍ରତିନିଧିମାନେ କାମ ଆରମ୍ଭ କରିଥିଲେ। ଏହାର ଦୁଇମାସ ପରେ ଅର୍ଥାତ୍ ଜୁନ୍ ୧୧ ତାରିଖରେ ପ୍ରଥମ କର୍ପୋରେସନ ବୈଠକ ବସିଥିଲା। ସେହିଠାରୁ ହିଁ ଆଗାମୀ ଦିନର କାର୍ଯ୍ୟପନ୍ଥା ବାବଦରେ ଯୋଜନା ହୋଇଥିଲା। ମେୟର ଘୋଷଣା କରିଥିଲେ, ଲୋକ ସମସ୍ୟା ନେଇ ବିଏମ୍ସି ଅଫିସ ଆସିବେନି, ବରଂ ବିଏମ୍ସି ସମାଧାନ ନେଇ ଲୋକଙ୍କ ପାଖରେ ପହଞ୍ଚିବ। ଏହି ଘୋଷଣାକୁ ନେଇ ହଟଚମଟ ହୋଇଥିଲା। ପୂର୍ବରୁ ଅଫିସରମାନେ ଲୋକଙ୍କୁ ପାଖରେ ପୂରାଇ ଦେଉନଥିଲେ। ଏଣୁ ଗଦା ଗଦା ଅଭିଯୋଗ ଅସନ୍ତୋଷର ରୂପ ନେଇଥିଲା। ମେୟରଙ୍କ ଏଭଳି ଘୋଷଣା ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା। ହେଲେ ବର୍ଷ ବିତିଗଲା ସିନା ଏହା କେବଳ ଘୋଷଣାରେ ରହିଗଲା।
ଆବର୍ଜନା ପରିଚାଳନା ନୂଆ କର୍ପୋରେସନ ପାଇଁ ଆହ୍ବାନ ହୋଇଥିଲା। ବର୍ତ୍ତମାନ ଗୃହ ଓ ନଗର ଉନ୍ନୟନ ବିଭାଗରେ ବଡ଼ ପଦବିରେ ଥିବା ଅଧିକାରୀମାନେ ଯେତେବେଳେ ବିଏମ୍ସି ଦାୟିତ୍ବରେ ଥିଲେ ସେତେବେଳେ ସେମାନଙ୍କର ଦୂରଦୃଷ୍ଟିର ଅଭାବ ଯୋଗୁ ସହର ମଝିରେ ଛୋଟ ଛୋଟ ଆବର୍ଜନା ପରିଚାଳନା ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ। ଏଣୁ ସହରରୁ ବାହାରୁଥିବା ଆବର୍ଜନା ସବୁକୁ ଏହି ଛୋଟ ଛୋଟ ପ୍ରକଳ୍ପ ପରିଚାଳନା କରିବାରେ ସକ୍ଷମ ହେଉନଥିଲା। ଏଣେ ଭୁଆସୁଣି ଡମ୍ପିଂୟାର୍ଡରେ ଗଦା ହୋଇଥିବା ଆବର୍ଜନାକୁ ପରିଚାଳନା କରିବା ପାଇଁ ପ୍ରତିଷ୍ଠା ହେବାକୁ ଥିବା ବାୟୋମାଇନିଂ ମଧ୍ୟ ପ୍ରତିଷ୍ଠା ହୋଇ ପାରିଲା ନାହିଁ। ଟେଣ୍ଡର ହୋଇ ସବୁ ପ୍ରସ୍ତୁତି ସରିଥିଲେ ମଧ୍ୟ ପରିସ୍ଥିତି ଏଭଳି ବିଗିଡ଼ିଗଲା ଯେ, ସମାଧାନର ନାଁ ଧରୁନି। ୨୦୨୩ରେ ଏହା ମଧ୍ୟ ଏକ ବଡ଼ ଆହ୍ବାନ ହୋଇ ଛିଡ଼ା ହେବ।
ଆବର୍ଜନା ପରିଚାଳନା ବ୍ୟବସ୍ଥିତ କରିବାକୁ ପଡ଼ିବ
ବାୟୋମାଇନିଂ ପ୍ରକଳ୍ପ ନେଇ ଅନିଶ୍ଚିତତା ଜାରି
ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ ତ?
ସତ୍ୟନଗର ମଶାଣି ସାମ୍ନାରେ ବଡ଼ କୋଠା ତିଆରି ହେଲା। କୁହାଗଲା ବିଏମ୍ସି ଅଫିସ୍ ଉଠିଯିବ। ବିଏମ୍ସିର ବଡ଼ ଲୋଗୋ ବି ଲାଗିଲା। ପ୍ରସ୍ତୁତି ଏଭଳି ଚାଲିଲା ଯେ, ବିଏମ୍ସି ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଅଧିକାରୀ, କର୍ମଚାରୀଙ୍କ ଖୁସି କହିଲେ ନ ସରେ। ବଡ଼ ଅଫିସ୍, ଆଧୁନିକ କନ୍ଫରେନ୍ସ ହଲ୍, ଶୀତତାପ ନିୟନ୍ତ୍ରିତ ଚାମ୍ବର, ୨୪ ଘଣ୍ଟିଆ ୱାଇଫାଇ ଏଭଳି ଅନେକ ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ସମସ୍ତଙ୍କର କୌତୁହଳ ରହିଥିଲା। କିନ୍ତୁ ଜଣାପଡ଼ିଲା କି ଏହି କୋଠା ବିଏମ୍ସି ନାମରେ ନାମିତ ହେବ ନାହିଁ, ବରଂ ଗୋଟିଏ ଫ୍ଲୋରରେ ଅଫିସ କାମ କରିବ। ଏଣୁ ମେୟର ଏହାକୁ ପ୍ରସଙ୍ଗ କରିଥିଲେ। ବିଏମ୍ସିର ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି। ପର କୋଠାରେ ଏହା ଭଡ଼ାଟିଆଙ୍କ ଭଳି କେମିତି ଚାଲିବ? ଏହି ପ୍ରସଙ୍ଗକୁ ନେଇ ତନାଘନା ହେବା ସହ ଲାଗୁଥିଲା କି ଏହାର ନାମ ବିଏମ୍ସି କୋଠା ହେବ। କିନ୍ତୁ ଏକ ସ୍ବତନ୍ତ୍ର ବୈଠକରେ ଏହା ଆଇସିଓଏମ୍ସି କୋଠା ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟ କରାଯିବା ପରେ ବିଏମ୍ସିର ନାକ କଟିଯାଇଛି। ଚଳିତ ସପ୍ତାହରେ ଏହି କୋଠାରେ ‘ଡିଲଏଟ୍’ ତାହାର ଶାଖା କାର୍ଯ୍ୟାଳୟ ଉଦ୍ଘାଟନ କରିବ। ବିଏମ୍ସି ପାଇଁ ଉଦ୍ଦିଷ୍ଟ ଫ୍ଲୋର୍ ମଧ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। କିନ୍ତୁ ବିଏମ୍ସି ଅଫିସ କେବେ ଉଠିବ ତାହାକୁ ନେଇ କେଉଁଠି ବି ତତ୍ପରତା ନାହିଁ। ଚଳିତ ବର୍ଷ ବି ଏଭଳି ଛକାପଞ୍ଝା ଜାରି ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ବିଏମ୍ସି ଅଞ୍ଚଳରେ ସ୍ବାସ୍ଥ୍ୟ ସେବାର ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି। ଭିଏସ୍ଏସ୍ ନଗରରେ ପିପିପି ମୋଡ୍ରେ ହେବାକୁ ଥିବା ଏକ ବଡ଼ ମେଡିକାଲ ପ୍ରତିଷ୍ଠା ହୋଇ ପାରି ନାହିଁ। ଏମ୍ଓୟୁ ସ୍ବାକ୍ଷର ପରେ ମଧ୍ୟ ବିଭିନ୍ନ କାରଣରୁ ପ୍ରତିଷ୍ଠା ହୋଇ ପାରୁ ନାହିଁ। ବିଏମ୍ସିର ଯେତିକି ମେଡିକାଲ ରହିଛି ସେ ସବୁକୁ ରୋଗି ଯାଉନାହାନ୍ତି। ଏଗୁଡ଼ିକରେ ଉନ୍ନତ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେଉନଥିବାରୁ କ୍ୟାପିଟାଲ ହସ୍ପିଟାଲ୍ରେ ଭିଡ଼ ଜମୁଛି। ଚଳିତବର୍ଷ ମଧ୍ୟ ବିଏମ୍ସି ସ୍ବାସ୍ଥ୍ୟ ସେବାରେ କିଛି ଉଲ୍ଲେଖନୀୟ କାମ କରିପାରି ନାହିଁ। ଯେତିକି ଭିତ୍ତିଭୂମି ଅଛି ତାହାର ମଧ୍ୟ ଯତ୍ନ ନେଇ ପାାରି ନାହିଁ। ସେହିଭଳି ବର୍ଷ ଶେଷ ଆଡ଼କୁ ଉତ୍ପାତ କରିଥିବା ମଶାଙ୍କ ଦମନ ପାଇଁ ବିଏମ୍ସି କିଛଇ କରିପାରିନଥିବାରୁ ଚଳିତ ବର୍ଷ ମଧ୍ୟ ଏହି ପ୍ରସଙ୍ଗ ଟେନ୍ସନ୍ ଦେବେ ବୋଲି କୁହାଯାଉଛି।