ପ୍ରିୟଙ୍କା ରାୟ

Advertisment

ଭୁବନେଶ୍ୱର: ବିଦାୟ ନେଇଛି ୨୦୨୪। ୨୦୨୫କୁ ସ୍ବାଗତ କରିବାକୁ ଚାରିଆଡ଼େ ଉତ୍ସବର ମାହୋଲ। କିଏ ଭୋଜିଭାତରେ ମସଗୁଲ ତ ପୁଣି କିଏ ବୁଲାବୁଲିରେ। ସିନେମା ହଲ୍‌, କଫି ସପ୍‌ ଆଦିରେ ଭିଡ଼ ବି ଜମୁଛି। ପ୍ଲାନେଟୋରିୟମ୍‌, ସଂଗ୍ରହାଳୟ, ରାଜଧାନୀର ବିଭିନ୍ନ ପର୍ଯ୍ୟଟନ ସ୍ଥାନ ଏବେ ବେଶ୍‌ ଚଳଚଞ୍ଚଳ। ନୂଆବର୍ଷ ପାଇଁ କିଏ ସାଙ୍ଗ ଓ ପ୍ରିୟଜନଙ୍କ ପାଇଁ କଷ୍ଟମାଇଜଡ୍‌ ଉପହାରଟିଏ ବରାଦ କରିଛି ତ’ ପୁଣି କିଏ ପୁରୁଣା ସ୍ମୃତିକୁ ରୋମନ୍ଥନ କରିବାକୁ ଖୋଜି ଖୋଜି ଗ୍ରିଟିଙ୍ଗ୍‌ସ କାର୍ଡ କିଣିନେଉଛି। ଏଥିସହ ନୂଆବର୍ଷକୁ ସ୍ବାଗତ ପାଇଁ ହୋଟେଲଠାରୁ ରେସ୍ତୋରାଁ, ଉପହାର ଦୋକାନରୁ ଫୁଲ ଓ କେକ୍‌ ଦୋକାନୀ ସମସ୍ତେ ପ୍ରସ୍ତୁତ। 

ଗୋଲାପ ଓ ଅର୍କିଡ ଫୁଲ ପାଇଁ ଆଗୁଆ ବୁକିଂ
ନୂଆବର୍ଷରେ ଶୁଭେଚ୍ଛା ଜଣାଇବାର ପ୍ରଥମ ମାଧ୍ୟମ ଓ ସୁନ୍ଦର ଉପହାର ହେଉଛି ଫୁଲ। ତେଣୁ ପ୍ରତିବର୍ଷ ନୂଆବର୍ଷରେ ଫୁଲର ଚାହିଦା ଓ ଦର ବଢ଼ିଯାଏ। ଗତବର୍ଷ ନୂଆବର୍ଷରେ ୫କୋଟି ଟଙ୍କାର ବ୍ୟବସାୟ ହୋଇଥିଲା ବେଳେ ଚଳିତ ବର୍ଷ ପ୍ରବାସୀ ଭାରତୀୟ ସମ୍ମିଳନୀ ଥିବାରୁ ଏହା ୮ କୋଟି ପହଞ୍ଚିଯିବ ବୋଲି ଫ୍ଲୋରିଷ୍ଟ ଆସୋସିଏସନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆସୋସିଏସନ୍‌ ସଭାପତି ବିଭୂତି ଭୂଷଣ ସ୍ୱାଇଁଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୋଲାପ ଓ ଅର୍କିଡର ଚାହିଦା ରହିଛି। ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ସ‌ାଢ଼େ ୩ କୋଟି ଟଙ୍କାର ବେପାର ହୋଇଥିବା ବେଳେ କେବଳ ଗୋଲାପ ଓ ଅର୍କିଡର ବ୍ୟବସାୟ ପ୍ରାୟ ୨କୋଟି ଟଙ୍କା ହୋଇଛି। ସେହିପରି ଲିଲି, ଜରବେରା, ସେବତୀ, ଡାଲିଆ ଆଦିର ମଧ୍ୟ ଚାହିଦା ରହିଛି ବୋଲି ସେ କହିଛନ୍ତି।

ଚାହିଦାରେ ଲାଇଟିଂ ସାମଗ୍ରୀ
ନୂଆବର୍ଷରେ ଯୁବ ପିଢ଼ି ବିଶେଷ କରି ପ୍ରେମୀ ଯୁଗଳ ପରସ୍ପରକୁ ଉପହାର ପ୍ରଦାନ କରନ୍ତି। ଏଥିପାଇଁ ବଜାରକୁ ଆସିଛି ଲାଇଟିଂ ଫ୍ରେମ୍ ଓ ଅନ୍ୟାନ୍ୟ ସାମଗ୍ରୀ। ଫ୍ରେମରେ ଫଟୋ ସହିତ ଏକ ସୁନ୍ଦର ଭଲପାଇବା ବାର୍ତ୍ତା ମଧ୍ୟ ରହୁଛି। ବିଭିନ୍ନ ଡିଜାଇନର ହାଙ୍ଗିଙ୍ଗ୍‌ ଲାଇଟ୍‌, ମେଟାଲ୍‌ ଫ୍ରେମ କିଣିବାକୁ ଗିଫ୍ଟ ସପ୍‌ଗୁଡ଼ିକରେ ୧୫ଦିନ ଆଗରୁ ବୁକିଂ ହୋଇଛି ବୋଲି ବ୍ୟବସାୟୀ କହିଛନ୍ତି। ଏଗୁଡ଼ିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହୋଇ ୩୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ବ୍ୟତୀତ ବୁଦ୍ଧଙ୍କ ପ୍ରତିମା, ଡାଏରି, ହାତ ତିଆରି ଗ୍ରିଟିଙ୍ଗ୍‌ସ କିଣିବାକୁ ଭିଡ଼ ହେଉଛି ବୋଲି ଜାଗମରା ଜିପିଡି ଗିଫ୍ଟ ସପ୍‌ର ଲୋକନାଥ ପାତ୍ର କହିଛନ୍ତି।

ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା
ପର୍ବତ ଉପରେ ଘର କରିଥିଲି ପବନ ଉଡ଼େଇ ନେଲା, ଏମିତି କା ଗୋଟେ ସାଙ୍ଗ ପାଇଥିଲି ଝୁରି ଝୁରି ଦିନ ଗଲା..। ପୂର୍ବରୁ ନୂଆ ବର୍ଷ ଆସିବା ମାତ୍ରେ ଗ୍ରିଟିଙ୍ଗସ୍‌ କାର୍ଡରେ ଏଭଳି ବାର୍ତ୍ତା ଲେଖି ସମସ୍ତେ ପରସ୍ପରୁ ଶୁଭେଚ୍ଛା ଜଣାଉଥିଲେ। ହେଲେ ବର୍ତ୍ତମାନ ଏହାର ସ୍ଥାନ ନେଇଛି ସାମାଜିକ ଗଣମାଧ୍ୟମ।