ଭୁବନେଶ୍ୱର: ବୁଧବାର ପଡ଼ିଛି ନୂଆବର୍ଷ। ଗତ ସପ୍ତାହରେ ବଡ଼ଦିନ ଭୋଜିଭାତ ଯୋଜନାକୁ ବର୍ଷା ଧୋଇ ନେଇଥିଲା ବେଳେ ଆମିଷବାରିଆ ନୂଆବର୍ଷ ଦିନକୁ ସମସ୍ତେ ଅନାଇ ବସିଛନ୍ତି। ପିକ୍‌ନିକ୍‌ ସ୍ପଟ୍‌ରେ ‌ଭୋଜିଭାତ ଜମିବ। ଏଣୁ ଆମଷ ବେପାରୀ ବି ଏହି ଦିନକୁ ଟାର୍ଗେଟ୍‌ କରିଛନ୍ତି। ପାଖାପାଖି ୫ରୁ ସାଢ଼େ ପାଞ୍ଚ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ସେମାନେ ଆଶା ବାନ୍ଧିଛନ୍ତି। ଅଲ୍‌ ଓଡ଼ିଶା ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେସନ୍‌ର ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସଙ୍କ ଅନୁସାରେ, ଛାଡ଼ଖାଇ ପରେ ନୂଆବର୍ଷରେ ହିଁ ରାଜଧାନୀରେ ଭଲ ଆମିଷ ବେପାର ହୁଏ। ଏଥିରେ ସାଧାରଣତଃ ଖାସି ମାଂସ ପରେ କୁକୁଡ଼ା ମାଂସ ଓ ମାଛର ଚାହିଦା ଅଧିକ ଥାଏ। କିନ୍ତୁ ଓଡ଼ିଶାରେ ଚାହିଦା ଅନୁସାରେ ଛେଳି ଉପଲବ୍ଧ ହେଉ ନଥିବାରୁ ବେପାରୀମାନେ ଦେଶୀ, ବନରାଜ ଓ ବ୍ରଏଲର୍‌ କୁକୁଡ଼ା ମହଜୁଦ ରଖିଛନ୍ତି। ନୂଆ ବର୍ଷରେ ଦେଶୀ ଚିକେନ୍‌ର ଦର ପାଖାପାଖି ୬୦୦ ଟଙ୍କା ଏବଂ ବ୍ରଏଲର ଦର ୨୮୦ରୁ ୩୦୦ଟଙ୍କା ରହିବ। ଏହି ଦିନ ପାଖାପାଖି ୧୫୦ରୁ ୨୫୦ ଟନ୍‌ କୁକୁଡ଼ା ମାଂସ ବିକ୍ରି ହେବ। ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ବ୍ୟବସାୟମାନେ ଆକଳନ କରିଛନ୍ତି। 

Advertisment

ମଟନ୍‌ ୮୫୦, ଚିକେନ୍‌ ୨୮୦, ମାଛ ୨୨୦ ଟଙ୍କା ଛୁଇଁବା ସମ୍ଭାବନା
୬ କୋଟିର ବ୍ୟବସାୟ ପାଇଁ ବେପାରୀଙ୍କ ଆକଳନ

ଶ୍ରୀ ବକ୍ସ କହିଛନ୍ତି ଯେ, ଓଡ଼ିଶାରେ ଖାସି ମାଂସର ମଧ୍ୟ ଚାହିଦା ଅଧିକ ରହିଛି। ଗତ ଖ୍ରୀଷ୍ଟମାସରେ ୩୩ ଟନ୍‌ ବା ୧ କୋଟି ୩୨ ଲକ୍ଷ ଟଙ୍କାର ଖାସି ମାଂସ ବ୍ୟବସାୟ ହୋଇଥିଲା। ତେଣୁ ନୂଆ ବର୍ଷରେ ୨ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଚାହିଦା ଅନୁସାରେ ଓଡ଼ିଶାରେ ଛେଳି ଉପଲବ୍ଧ ହେଉନାହିଁ। ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଦିନ ତଳୁ ପଶ୍ଚିମବଙ୍ଗରର ନରଖୁଲଡଙ୍ଗା, ମାଲ୍‌ଦା, କ୍ଷେତ୍ରୀପୁର, ବିହାରରୁ ପ୍ରାୟ ୭୦ ପ୍ରତିଶତ ଛେଳି ଆଣିବାକୁ ଯୋଜନା କରାଯାଇଛି। ସେହିଭଳି ଓଡ଼ିଶାର ବଲାଙ୍ଗୀର, ହରିପୁର, ନୟାଗଡ଼, ଦଶପଲ୍ଲା, କାକଟପୁର ଓ ନିମାପଡ଼ାରୁ ବାକି ୩୦ ପ୍ରତିଶତ ଛେଳି ଅଣାଯିବାକୁ ଯୋଜନା ହୋଇଛି। ଖାସି ମାଂସ ୮୫୦ ଟଙ୍କାରୁ ୯୦୦ ଟଙ୍କା ମଧ୍ୟରେ ରହିପାରେ ବୋଲି ସେ କହିଛନ୍ତି।

ସେହିପରି ନୂଆବର୍ଷ ଅବସରରେ ଆନ୍ଧ୍ରପ୍ରଦେଶ ସମେତ ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲ୍ଲା, ସୋରଡ଼ା ଡ୍ୟାମ୍‌ରୁ ରାଜଧାନୀକୁ ୧୨ରୁ ୧୫ଟି ମା‌ଛ ଗାଡ଼ି ଆସିବ। ପାଖାପାଖି ୧.୫ କୋଟି ଟଙ୍କାର ମାଛ ବ୍ୟବସାୟ ହେବ ବୋଲି ଶ୍ରୀ ବକ୍ସ କହିଛନ୍ତି। ଏଥିସହ ବାଗ୍‌ଦା ଚିଙ୍ଗୁଡ଼ି, କଣ୍ଟାଳି ଓ ଟାଇଗର‌୍‌ ଚିଙ୍ଗୁଡ଼ି ମଧୢ ଭଲ ବିକ୍ରି ହେବ। ରୋହି ଓ ଭାକୁର ୨୨୦ ଟଙ୍କାରେ ବିକ୍ରି ହେବାକୁ ଥିବା ବେଳେ ମିରିକାଳି, ପୋହଳା, ଚାନ୍ଦି, ତୋଡ଼ି, ବାଳିଆ, ଜଳଙ୍ଗ, ଫଳି, ସୁର‌୍‌ମାଇ, ପମ୍ଫ୍ରେଟ୍‌ ଭଳି ମାଛର ଭଲ ବିକ୍ରିବଟା ହେବ ବୋଲି ସେ ଆଶା ରଖିଛନ୍ତି। ବକ୍ସଙ୍କ କହିବା ଅନୁଯାୟୀ ଭାରତର ଶ୍ରେଷ୍ଠ ଆମିଷପ୍ରିୟ ରାଜ୍ୟ ଭାବେ ଓଡ଼ିଶା ୭ ନମ୍ୱରରେ ରହିଛି। ହେଲେ ଏଠାରେ ଆବଶ୍ୟକତା ଅନୁସାରେ ବ୍ୟବସ୍ଥିତ ମାର୍କେଟ୍‌ କିମ୍ବା ସଂରକ୍ଷିତ କରି ରଖିବା ଭଳି ବ୍ୟବସ୍ଥା ନାହିଁ। ଏପରିକି ଛେଳି ପାଳନ ମଧ୍ୟ ଉତ୍ସାହଜନକ ନୁହେଁ। ବ୍ୟବସାୟୀ ସଂଘ ପକ୍ଷରୁ ବାରମ୍ୱାର ସରକାରଙ୍କୁ ଏହା ବାବଦରେ ଅବଗତ କରାଯାଉଥିଲେ ସୁଦ୍ଧା କୌଣସି ଆଖିଦୃଷିଆ ପଦକ୍ଷେପ ନିଆଯାଉ ନଥିବା ସେ ଅଭିଯୋଗ କରିଛନ୍ତି।