କୋଭିଡ୍‌ ହସ୍ପିଟାଲରେ ନବଜାତ ଶିଶୁର ମୃତ୍ୟୁ

ଚନ୍ଦ୍ରଶେଖରପୁର : କୋଭିଡ୍‌ ହସ୍ପିଟାଲରେ ସଦ୍ୟଜାତ ଶିଶୁର ମୃତ୍ୟୁ ଘଟିବା ପରେ ‌କରୋନା ଆକ୍ରାନ୍ତ ମା’ର ଅସହାୟ ଅବସ୍ଥା ଓ କୋଭିଡ୍‌ କେୟାର ସେଣ୍ଟରରେ ସ୍ବାମୀଙ୍କ କାନ୍ଦବୋବାଳି ଆଜି ସ୍ଥାନୀୟ ଗଣ୍ଡରପୁର ଅଞ୍ଚଳରେ ଦୁଃଖର ଛାୟା ଖେଳାଇ ଦେଇଛି। ସୂଚନାନୁସାରେ ରାଜଧାନୀ ଉପକଣ୍ଠ ଗଣ୍ଡରପୁର ପଞ୍ଚାୟତ ଅଧୀନ ଏକ ଗ୍ରାମରୁ ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପରେ ପୁରା ପରିବାର ମଧ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେଣୁ ମହିଳାଙ୍କୁ ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ତାଙ୍କ ସ୍ବାମୀଙ୍କ ସମେତ ପୁରା ପରିବାରକୁ ଚନ୍ଦକା ଥାନା ଅଞ୍ଚଳସ୍ଥିତ କୋଭିଡ୍‌ କେୟାର୍‌ କେନ୍ଦ୍ରରେ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ମାତ୍ର ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ନେଇଥିବା ନର୍ସମାନେ ତା’ର ମୃତ୍ୟୁ ଘଟିଛି ବୋଲି କିଛି ସମୟ ପରେ ମା’କୁ ଜଣାଇଥିଲେ। ସମ୍ପର୍କୀୟମାନେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କଲାବେଳେ ନର୍ସମାନେ କିଛି ତ୍ରୁଟି କରିଥିବାରୁ ତା’ର ମୃତ୍ୟୁ ଘଟିଲା ବୋଲି ସେମାନେ ଅଭିଯୋଗ କଲେ ମଧ୍ୟ କେହି କର୍ଣପାତ କରିନଥିଲେ। ସେପଟେ ବାପା ଓ ପୁରା ପରିବାର କୋଭିଡ୍‌ କେୟାର୍‌ ସେଣ୍ଟରରୁ ବାହାରି ନପାରି କେବଳ କାନ୍ଦି କାନ୍ଦି ବାଡ଼େଇଛାଟି ହୋଇ ରହିଥିଲେ। ପରେ ପୁଲିସ ଉକ୍ତ ଶିଶୁର ମୃତଦେହକୁ ସତ୍କାର କରାଇଥିବା ଜଣାପଡ଼ିଛି। ଏବେ କୋଭିଡ୍‌ ହସ୍ପିଟାଲରେ ମହିଳାଙ୍କ ମାନସିକସ୍ଥିତି ଓ ସ୍ବାସ୍ଥ୍ୟ ଭଲ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର