ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିଲା ନୂଆଦିଲ୍ଲୀ-ଭୁବନେଶ୍ବର ପ୍ରଥମ ଯାତ୍ରୀବାହୀ ଟ୍ରେନ୍‌

ଭୁବନେଶ୍ବର : ଦେଢ଼ ମାସ ପରେ ପ୍ରଥମଥର ଲାଗି ଆଜି ଭୁବନେଶ୍ବର ରେଳ ଷ୍ଟେସନରେ ଯାତ୍ରୀବାହୀ ଟ୍ରେନ୍‌ ଲାଗିଛି। ଗତକାଲି ନୂଆଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ଛାଡ଼ିଥିବା ଯାତ୍ରୀବାହୀ ଟ୍ରେନ୍‌ ଆଜି ସନ୍ଧ୍ୟା ୭ଟା ୨୦ରେ ଷ୍ଟେସନର ଏକ ନମ୍ବର ପ୍ଲାଟ୍‌ଫର୍ମରେ ଲାଗିଥିଲା। ଟ୍ରେନ୍‌ରେ ଯାତ୍ରା ପାଇଁ ମୋଟ ୧୫୦୩ ଜଣ ଟିକେଟ୍‌ କରିଥିବା ବେଳେ ଭୁବନେଶ୍ବରରେ ୪୯୬ ଜଣ ଓହ୍ଲାଇଥିଲେ। ଅନ୍ୟମାନେ ପୂର୍ବ ଷ୍ଟେସନଗୁଡ଼ିକରେ ଓହ୍ଲାଇ ଯାଇଥିଲେ।

କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି), କମିସନରେଟ୍‌ ପୁଲିସ, ପୂର୍ବତଟ ରେଳପଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଥିଲା। ଟ୍ରେନ୍‌ ପହଞ୍ଚିବା ପୂର୍ବରୁ ସମସ୍ତ ବିଭାଗର ମିଳିତ ଉଦ୍ୟମରେ ମକ୍‌ଡ୍ରିଲ୍‌ ହୋଇଥିଲା। ପୂର୍ବାହ୍ନରେ ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁଙ୍କ ସମେତ ବିଏମ୍‌ସି ଓ ପୁଲିସର ବରିଷ୍ଠ ଅଧିକାରୀମାନେ ଷ୍ଟେସନ୍‌ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥି‌ଲେ। ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ପ୍ରାଥମିକତା ଦିଆଯାଇଥିଲା। ସେହି ଅନୁଯାୟୀ ‌ପ୍ଲାଟଫର୍ମ‌ରେ ୧୧ଟି କାଉଣ୍ଟର କରାଯାଇ ଯାତ୍ରୀଙ୍କ ପଞ୍ଜୀକରଣ ହୋଇଥିଲା।

ଟ୍ରେନ୍‌ରେ ଆସିଥିବା ସମସ୍ତ ଯାତ୍ରୀଙ୍କ ହାତରେ ଅଲିଭା କାଳି ଲଗା ଯାଇଥିଲା। ପ୍ଲାଟ୍‌ଫର୍ମରେ ଉପସ୍ଥିତ ଅଧିକାରୀମାନେ ଜଣଙ୍କ ପରେ ଜଣେ ଯାତ୍ରୀଙ୍କ ହାତରେ କାଳି ଲଗାଇଥିଲେ। ଏହାପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଯାତ୍ରୀମାନେ ସାମାଜିକ ଦୂରତ୍ବ ବଜାୟ ରଖି ଗୋଟିଏ ଧାଡ଼ିରେ ପଦାକୁ ବାହାରିବା ଲାଗି ବ୍ୟବସ୍ଥା ହୋଇଥିଲା। ଯାତ୍ରୀଙ୍କ ଯିବା ପାଇଁ ବସ୍‌ ଓ ଟ୍ୟାକ୍ସି ସୁବିଧା କରାଯାଇଥିଲା। ଉପଯୁକ୍ତ ଫି’ ଦେଇ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଆସିଥିବ‌ା ଯାତ୍ରୀମାନେ ଘରେ ସଙ୍ଗରୋଧରେ ରହିବେ। ଯଦି କୌଣସି ଯାତ୍ରୀ ନିୟମ ଉଲ୍ଲଂଘନ କରନ୍ତି ଅଥବା ସଙ୍ଗରୋଧ ସମୟସୀମା ମଧ୍ୟରେ ବାହାରେ ବୁଲୁଥିବା ନଜରକୁ ଆସନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର