ସମ୍ବାଦ ପ୍ରଭାବ: ପାର୍କ ସଫେଇ କଲା ବିଏମ୍‌ସି, ଡଷ୍ଟ୍‌ବିନ୍ ଓଲଟାଇଲେ, ଘାସ କାଟି ବ୍ଲିଚିଂ ପକାଇଲେ

ଚନ୍ଦ୍ରଶେଖରପୁର: ରାଜଧାନୀରେ ଡେଙ୍ଗୁର ଉତ୍ପତ୍ତିସ୍ଥଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବିଏମ୍‌ସି ବୁଲିବୁଲି ପାର୍କ ସଫେଇ ଆରମ୍ଭ କରିଛି। ବିଏମ୍‌ସି ଉତ୍ତର ଜୋନ୍‌ର ପ୍ରାୟ ସବୁ ପାର୍କରେ ଆଜି ଘାସ କଟା‌ ଆରମ୍ଭ ହୋଇଥିବା ବେଳେ ବ୍ଲିଚିଂ ସିଞ୍ଚନ ଯାଇଛି। ସେହିଭଳି ପାଣି ଜମି ନରହିବା ପାଇଁ ଡଷ୍ଟ୍‌ବିନ୍‌ଗୁଡ଼ିକୁ ଓଲଟାଇ ଦିଆଯାଇଛି। ପାର୍କରେ ଯେମିତି ମଶା ବଂଶ ବୃଦ୍ଧି ନଘଟିବ, ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି। ଗତକାଲି ‘ସମ୍ବାଦ’ରେ ଏ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ବିଏମ୍‌ସି ପକ୍ଷରୁ ଏଭଳି ତତ୍ପରତା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଆଶ୍ବସ୍ତଭା‌ବ ସୃଷ୍ଟି ହୋଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଅଞ୍ଚଳରୁ ରାଜଧାନୀର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ଓ ସ୍ଥାନୀୟ ଅଞ୍ଚଳରୁ ବି ଡେଙ୍ଗୁ ମଶାର ଲାର୍ଭା ମିଳିଥିଲା। ଧୀରେଧୀରେ ପୂରା ରାଜଧାନୀକୁ ଡେଙ୍ଗୁ କବଳିତ କଲା। ଡେଙ୍ଗୁ ମଶା ବଂଶ ବୃଦ୍ଧି ରୋକିବା ଓ ଲାର୍ଭା ନଷ୍ଟ କରିବାକୁ ବିଏମ୍‌ସି ପକ୍ଷରୁ ଉଦ୍ୟମ ଆରମ୍ଭ ହେଲା। ମାତ୍ର ପାର୍କଗୁଡ଼ିକ ପ୍ରତି ନଜର ଦିଆଗଲା ନାହିଁ। ଫଳରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିବା କାରଣରୁ ପାର୍କଗୁଡ଼କ ମଶାଙ୍କ ଉତ୍ସ ପାଲଟି ଯାଇଥିଲା। ଡଷ୍ଟ୍‌ବିନ୍‌ ଗୁଡ଼ିକରେ ବର୍ଷା ପାଣି ଜମି ରହିବାରୁ ସେଥିରେ ମଶା ବଂଶ ବଢ଼ାଇଲେ। ୱାଟର୍‌ ଫାଉଣ୍ଟେନ୍‌ର ଜଳ ବଦଳା ନଯିବାରୁ ତାହା ଗନ୍ଧେଇବାକୁ ଲାଗିଲା ଓ ସେହି ପଚା ପାଣି ବି ମଶାଙ୍କ ବଂଶ ବୃଦ୍ଧିରେ ସହାୟକ ହେଲା। କିନ୍ତୁ ପାର୍କ ବନ୍ଦ ଥିବାରୁ ସେସବୁକୁ ସଫା କରିବା ପ୍ରତି ଧ୍ୟାନ ଦିଆଗଲା ନାହିଁ। ତେବେ ଆଜି ବିଏମ୍‌ସିର ଉତ୍ତର ଜୋନ୍ ଡେପୁଟି କମିସନର ପୁରନ୍ଦର ନନ୍ଦଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀମାନେ ଚନ୍ଦ୍ରଶେଖରପୁର ଅଞ୍ଚଳର ସବୁ ଛୋଟ ବଡ ପାର୍କ ଗୁଡିକରେ ଘାସ କାଟିବା ସହ ବଣବୁଦା ସଫା କରିଥିଲେ। ଡଷ୍ଟ୍‌ବିନ୍‌ଗୁଡ଼ିକୁ ଓଲଟାଇ ରଖିଥିଲେ। ବୁଦ୍ଧ ପାର୍କ, ଗାନ୍ଧୀ ପାର୍କ, କେଳୁଚରଣ ପାର୍କରେ ବ୍ଲିଚିଂ ସିଞ୍ଚନ କରାଯାଇଥିଲା। ସେହିପରି ଗାଡ଼କଣ ଅଞ୍ଚଳରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ସମ୍ବନ୍ଧିତ ଖବର