ଖଣ୍ଡଗିରି: ଶେଷରେ ରେଣ୍ଟାଲ କଲୋନି ସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆସିଛନ୍ତି ଡାକ୍ତର। ଏଠାରୁ ଡିସ୍ପେନ୍ସାରିକୁ ବରମୁଣ୍ଡାକୁ ସ୍ଥାନାନ୍ତର କରିଦେବା ପରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାକୁ ନେଇ ଜନପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ସହ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ସରକାରୀସ୍ତରରେ ହଟଚମଟ ହେବାପରେ ଗତ ୨୨ ତାରିଖରେ ଏଠାରେ ଭାରପ୍ରାପ୍ତ ମେଡିକାଲ ଅଫିସର ଭାବେ ଡା. ରୋହନ ବିଶ୍ବାଳ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଯୋଗଦେବା ପରେ ଦିନକୁ ୮୦ରୁ ୯୦ ରୋଗୀ ଆସୁଛନ୍ତି। କିନ୍ତୁ ଏହା ଏକ ସରକାରୀ କ୍ବାର୍ଟର୍ସରେ ଚାଲୁଥିବାରୁ ରୋଗୀ ଅପେକ୍ଷା କରିବା ପାଇଁ ସ୍ଥାନାଭାବ ଦେଖାଦେଇଛି। ଏହାକୁ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ୟୁପିଏଚ୍ସି) ମାନ୍ୟତା ଦେଇ ସ୍ବତନ୍ତ୍ର କୋଠା ନିର୍ମାଣ କରିବାକୁ ଦାବି ହୋଇଛି।
ସୂଚନାଯୋଗ୍ୟ ଯେ ରେଣ୍ଟାଲ କଲୋନି ସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସଂପର୍କରେ ଏପ୍ରିଲ୍ ୪ ତାରିଖରେ ‘ସମ୍ବାଦ’ରେ ‘ଡାକ୍ତରଙ୍କୁ ଛାଡ଼ି ଡାକ୍ତରଖାନାରେ ସମସ୍ତେ ଅଛନ୍ତି’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍ସିରେ ତନାଘନା ହୋଇଥିଲା। ଡାକ୍ତର ନିଯୁକ୍ତି ପାଇବା ପରେ ଜନପ୍ରତିନିଧିଙ୍କ ସମେତ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି। ପୂର୍ବରୁ ବରମୁଣ୍ଡା ହାଉସିଂବୋର୍ଡ, ରେଣ୍ଟାଲ କଲୋନି, ଭିଆଇପି କଲୋନି, ଭିଆଇପି ଅଞ୍ଚଳ, ଜଗନ୍ନାଥବିହାର, ସିଆର୍ପିଏଫ୍ ଛକ ଓ ଆଖପାଖ ଅଞ୍ଚଳର ପ୍ରାୟ ୩୦ ହଜାର ଲୋକଙ୍କୁ ଏବେ ଆଉ ଚିକିତ୍ସା ପାଇଁ ହନ୍ତସନ୍ତ ହେବାକୁ ପଡ଼ିବନାହିଁ। ୮ କିମି ଦୂର କ୍ୟାପିଟାଲ୍ ହସ୍ପିଟାଲ୍ କିମ୍ବା ୫ କିମି ଦୂର ବରମୁଣ୍ଡା ଡାକ୍ତରଖାନାକୁ ଯିବାକୁ ହେବନି। ଉଲ୍ଲେଖନୀୟ ଯେ ନୂଆ ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ବିଶ୍ବାଳ ୨୦୨୩-୨୪ରେ ସୋନି ଟିଭିରେ ପ୍ରସାରିତ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ ସିଜିନ୍ ୧୪’ରେ ଗୀତ ଗାଇ ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ଯାଇ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ସେଠାରେ ତାଙ୍କୁ ‘ଡାକ୍ତର ଗାୟକ’ ଭାବେ ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା। ପୂର୍ବରୁ ଲୋକ ତାଙ୍କୁ ଜାଣିଥିବାରୁ ସେ ଆସିବାର ୩ଦିନ ମଧ୍ୟରେ ଡାକ୍ତରଖାନାର ଲୋକପ୍ରିୟତା ବଢ଼ି ଯାଇଛି। ଏ ନେଇ ୱାର୍ଡ ନମ୍ବର ୧୫ କର୍ପୋରେଟର୍ ପିଙ୍କି ସ୍ବାଇଁ କହିଛନ୍ତି, ଡାକ୍ତର ଆସିବା ପରେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିମାନେ ଖୁସିବ୍ୟକ୍ତ କରିଛନ୍ତି। ହେଲେ ଏଠାକୁ ପ୍ରତିଦିନ ଶତାଧିକ ରୋଗୀ ପ୍ରତିଦିନ ଆସୁଥିବାରୁ ସରକାରୀ କ୍ବାଟରରେ ଚାଲିଥିବା ଏହି ୱେଲ୍ନେସ୍ ସେଣ୍ଟରକୁ ବରମୁଣ୍ଡା ପରି ୟୁପିଏଚ୍ସି କରାଯିବା ଉଚିତ।