ଭୁବନେଶ୍ୱର: ସାମାଜିକ ଜୀବନରେ ଜନ ପ୍ରତିନିଧିଙ୍କ ଭଳି ଲୋକଙ୍କୁ ନିୟନ୍ତ୍ରଣ କରିବାରେ ସାମ୍ବାଦିକଙ୍କ ଭୂମିକା ରହିଛି। ସାମାଜିକ ଗଣମାଧ୍ୟମରେ ବିଶ୍ୱର ପ୍ରତିଟି ଖବର ଆମମାନଙ୍କ ନିକଟରେ ପହଞ୍ଚାଇପାରୁ ଥିବାରୁ ସମସ୍ତେ ଜଣେ ଜଣେ ସାମ୍ବାଦିକ। ତଥାପି ସାମ୍ବାଦିକଙ୍କର ଭୂମିକା ଓ ଦାୟିତ୍ୱ ଅପରିବର୍ତ୍ତିତ ରହିଛି। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆଜି ଜୟଦେବ ଭବନ ପରିସରରେ ଜାତୀୟ ପ୍ରେସ୍ ଦିବସ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ କଥା କହିଛନ୍ତି।
ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଜିର ଛାତ୍ରଛାତ୍ରୀ ସାମ୍ବାଦିକ ଭାବେ ସେମାନଙ୍କର ଭବିଷ୍ୟତ ଜୀବନରେ ଏବେର ଅନୁଭୂତିକୁ ବିନିଯୋଗ କରିପାରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ବିଜୟ କୁମାର ନାୟକ, ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ବିଜନେସ୍ ଓ୍ଵାଲର୍ଡ ପତ୍ରିକାର ଅବତାର ବାତ୍ରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବୋର୍ଡର ସଭାପତି ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ସନତ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ୮ଟି ଗଣମାଧ୍ୟମ ସଂସ୍ଥାର ମୁଖ୍ୟ (ଅନୁରାମ ବାତ୍ରା, ଜ୍ଞାନେନ୍ଦ୍ର ଶର୍ମା, ରାମକୁମାର ପାଲ୍, ସନ୍ତୋଷ କୁମାର ପାଣ୍ଡେ, ରାଜୀବ ଗୁପ୍ତା, ସ୍ୱାମୀ ତ୍ରିଲୋକିନାଥ, ବିଜୟ ଯାଦବ, ବ୍ରିିଜ୍ଭୂଷଣ ସିଂ)ଙ୍କୁ ‘ରାଷ୍ଟ୍ରିୟ ସାମ୍ବାଦିକ ଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିବା ୩ ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ଅପରାହ୍ଣରେ ଜାତୀୟ କଲ୍ୟାଣ ବୋର୍ଡ ପୂର୍ବାଞ୍ଚଳ ଉପାଧ୍ୟକ୍ଷ ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ‘ଗଣମାଧ୍ୟମ ପ୍ର୍ରତି ଆହ୍ଵାନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।