ଭୁବନେଶ୍ବର: ଜଣକ ପରେ ଜଣେ ବଛାବଛା ଚିରସବୁଜ ଗୀତ ଗାଉଥିଲେ। ‘ଅଭିମାନିନୀ, ଅମାନିଆ ଢେଉ...’, ‘ଯାଯାବର ମନ ମୋର...’, ‘ତୁ ଧୀରେ ଧୀରେ ଚାଲରେ ସମୟ...’, ‘କାହିଁ ଅଛୁ ନାଥ...’, ‘ଏକ ରାଧା, ଏକ ମୀରା...’ ଭଳି ଗୀତ ଶୁଣି ଶ୍ରୋତାମାନେ ମନ୍ତ୍ରମୁଗ୍‌ଧ ହୋଇଉଠିଥିଲେ। ଲାଗୁଥିଲା ଯେମିତି କୌଣସି ନାମୀ ଗ୍ରୁପ୍‌ର ମେଲୋଡି ଚାଲିଛି। ଜଣାଶୁଣା କଣ୍ଠଶିଳ୍ପୀମାନେ ଗାଉଛନ୍ତି। ଏକକୁ ଆରେକ ବଳି ଗୀତ ଗାଉଥିଲେ। କେହି ଅଜଣା ଲୋକ ଶ୍ରୋତାଙ୍କ ଭିତରେ ବସିଥିଲେ, ନିଶ୍ଚୟ ଭାବିପାରି ନଥାନ୍ତେ ‌ଯେ ଏହା ଏକ ପ୍ରତିଯୋଗିତା ଥିଲା। କଣ୍ଠଶିଳ୍ପୀମାନେ ତାଳ, ଲୟ ଓ ଛନ୍ଦରେ କେହି କାହାଠୁ କମ୍‌ ନଥିଲେ। ଶ୍ରୋତାମାନେ ସିନା ମତୁଆଲା ହୋଇ ମଜା ନେଉଥିଲେ, ବିଚାରକମାନେ ଚିନ୍ତାରେ ପଡ଼ିଯାଇଥିଲେ। କାହାକୁ କେମିତି ବାଛି ପ୍ରଥମ, ଦ୍ବିତୀୟ ଓ ତୃତୀୟ କରିବେ, ସେଇ ଚିନ୍ତାରେ ପଡ଼ିଯାଇଥିଲେ ବିଚାରକମାନେ। ଆଜି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରେକ୍ଷାୟଳରେ ‘ସମ୍ବାଦ-ରେଡିଓ ଚକଲେଟ୍’ ପକ୍ଷରୁ ଆୟୋଜିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଜୋନ୍‌ସ୍ତରୀୟ ଲଘୁ ଓ ସୁଗମ ସଙ୍ଗୀତ ପ୍ରତିଯୋଗିତା ‘ସାରେଗାମା’ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।  

ନାରାୟଣ, ତନୁଶ୍ରୀ, ସଞ୍ଜୀବନୀ ବିଜେତା

Advertisment

ପ୍ରତିଯୋଗିତାରେ ଭାଗ ନେଇଥିବା ୫୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଉତ୍କଳ ୟୁନିଭର୍ସିଟି ଅଫ୍‌ କଲ୍‌ଚର୍‌ର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ନାରାୟଣ ଜେନା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ପଛକୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ତନୁଶ୍ରୀ ଜେନା ଦ୍ୱିତୀୟ ଓ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ସଞ୍ଜୀବନୀ ନାଥ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଜୋନ୍‌ସ୍ତରୀୟ ପ୍ରତିଯୋଗିତାର ବିଚାରକ ତଥା ବିଶିଷ୍ଟ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ ଚିରସବୁଜ ଗୀତ ‘ଚନ୍ଦ୍ରମଲ୍ଲୀ ହସେ...’,  କଣ୍ଠଶିଳ୍ପୀ ଗୀତା ଦାଶଙ୍କ ‘ଆରେ ସପନ ପକ୍ଷୀ’ ଓ ବିକାଶ ଶୁକ୍ଳାଙ୍କ ‘ଦେ ରେ କାଳିଆ ଦେ’ ଗୀତ ଶ୍ରୋତା ଓ ପ୍ରତିଯୋଗୀମାନଙ୍କୁ ବିମୁଗ୍ଧ କରିଥିଲା। ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି, ‘ସମ୍ବାଦ’ ମହାପ୍ରବନ୍ଧକ(ମାନବ ସମ୍ବଳ) ବୈଜୟନ୍ତୀ କର, ଏଡିଟର ଫିଚର୍‌ ଧୃତିକାମ ମହାନ୍ତି, ‘ସମ୍ବାଦ’ ବ୍ୟୁରୋ ଚିଫ୍‌ ଚୌଧୁରୀ ଅମିତାଭ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ବାଦ୍ୟଯନ୍ତ୍ରରେ ଦେବାଶିଷ କର ଓ ସୁବ୍ରତ କୁମାର ବେହେରା ସହଯୋଗ କରିଥିଲେ। ଆର୍‌ଜେ କୋମଲ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।