୩୩୩୩ ପ୍ରକାର ଖବର କାଗଜର ସଂଗ୍ରାହକ ଶଶାଙ୍କ

ସକାଳୁ ଚା କପେ ସାଙ୍ଗେ ଖବରକାଗଜ ବିନା ମନ ବୁଝେନି। ମାତ୍ର ଏମିତି ବି ବ୍ୟକ୍ତି ଅଛନ୍ତି ଯିଏ ଖବରକାଗଜ ସଂଗ୍ରହକୁ ଜୀବନର ବ୍ରତ ଭାବେ ଆଦରି ନେଇଛନ୍ତି। ନାଁ ତାଙ୍କର ଶଶାଙ୍କ। ମୁକ୍ତ ସାମ୍ବାଦିକତା ସହ ଏକ ସଂଗଠନରେ ଅଧିକାରୀ ଭାବେ କାର୍ଯ୍ୟରତ। ୫ହଜାରରୁ ଊର୍ଧ୍ୱ ଭିନ୍ନଭିନ୍ନ ଖବରକାଗଜ ସଂଗ୍ରହ କରି ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଗୋଟିଏ ଦିନରେ ଭାରତର ପ୍ରଥମ ବ୍ୟକ୍ତି ଭାବେ ଦୁଇଟି ଭିନ୍ନ ଭିନ୍ନ ଦେଶର ସର୍ବାଧିକ ୩୯୨ଟି ବିରଳ ଖବର କାଗଜ ସଂଗ୍ରହ କରି ‘ ଇଣ୍ଡିଆ ବୁକ୍‌ ଅଫ ରେର୍କଡ’ ଓ ‘ଲିମକା ବୁକ୍‌ ଅଫ ରେକର୍ଡସ’ରେ ସ୍ଥାନ ପାଇଛନ୍ତି। ସେହିପରି ୨୦୧୨ ଜାନୁଆରି ୨୬ତାରିଖରେ ସେ ଏହି ଦୁଇଟି ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ। ଯାଜପୁର ଜିଲ୍ଲାର ଅରାଙ୍ଗାବାଦରେ ଜନ୍ମିତ ଶଶାଙ୍କ ଶେଖର ଦାସ ୨୦୦୧ ମସିହାରେ ଏକ କ୍ଷୁଦ୍ର ଖବର କାଗଜରେ ସାମ୍ବାଦିକତା କରୁଥିଲେ। କିନ୍ତୁ ସେହି ଖବର କାଗଜ ଲେଖା ଗୁଡ଼ିକ ବହୁତ ସମୟରେ ପ୍ରକାଶିତ ହେଉନଥିଲା। ସେଥିପାଇଁ ସେ ଭାବିଲେ ସାରା ଭାରତରେ ଏମିତି ଅନେକ ଖବରକାଗଜ ଥିବ ଯାହା କେବେ ପ୍ରକାଶିତ ହେଉନଥିବ ବା କିଛି ପ୍ରକାଶିତ ହୋଇ ବନ୍ଦ ହୋଇଯାଇଥିବ।  ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ଖବରକାଗଜ ସଂଗ୍ରହ ଅଭିଯାନ।

ଖାଲି ସେ ରେକର୍ଡ ରଚିନାହାନ୍ତି ବରଂ ଅନେକ ବିରଳ ଖବରକାଗଜ ସଂଗ୍ରହ କରିବାରେ ସଫଳ ହୋଇପାରିଛନ୍ତି। ଝାଡ଼ଖଣ୍ଡରୁ ହିନ୍ଦୀ ଭାଷାରେ ପ୍ରକାଶିତ ହୋଇଥିବା ହାତଲେଖା ଖବରକାଗଜ ‘ଦୀନ ଦଳିତ’ ହେଉ କି ଉତ୍ତର ପ୍ରଦେଶର ଚିତ୍ରକୁଟରେ କେବଳ ମହିଳାଙ୍କ ଲାଗି ପ୍ରକାଶିତ ଖବରକାଗଜ ‘ଲହେରିୟା’। ସେହିପରି  ଶିଶୁ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଦିଲ୍ଲୀରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରକାଶିତ ‘ବାଲକନାମା’, ୧୯୪୭ ଅଗଷ୍ଟ ୧୫ତାରିଖରେ ପ୍ରକାଶିତ ‘ଷ୍ଟେଟସ୍‌ମ୍ୟାନ’, ୧୯୩୦ ଜୁଲାଇ ୩୦ତାରିଖର ‘ଉତ୍କଳ ଦୀପିକା’, ୧୯୪୫ ମସିହାର ‘ପାଟଣା ଦୀପିକା’, ୧୯୨୬ ମସିହାର ‘ଗଡ଼ଜାତ ବାସିନୀ’ ଏବଂ କୃଷି ଓ ସ୍ୱାସ୍ଥ୍ୟ ଭିତ୍ତିକ ଅନେକ ଗୁରୁତ୍ୱପୂର୍ଣ୍ଣ  ଖବରକାଗଜ ସଂଗ୍ରହ କରିଛନ୍ତି। ସଂପ୍ରତି ତାଙ୍କ ନିକଟରେ ୬୮ଟି ଦେଶର ୬୧ଟି ଭାଷାର ୩୩୩୩ ପ୍ରକାର ଖବରକାଗଜ ଏବଂ ୫୦୦୦ରୁ ଅଧିକ କପି ରହିଛି। ଏଥି ସହିତ ଓଡ଼ିଶାର ପ୍ରଥମ ଶିଶୁ ଖବରକାଗଜ ପ୍ରକାଶନର କୃତୀ ମଧ୍ୟ ତାଙ୍କ ନାମରେ ରହିଛି।

ସମ୍ବନ୍ଧିତ ଖବର