ଖବରକାଗଜ ବିତରକଙ୍କୁ ଆକ୍ରମଣ କରି ଲୁଟ୍‌

ଭୁବନେଶ୍ବର: ଅସୁରକ୍ଷିତ ହୋଇପଡ଼ିଛି ରାତିର ରାଜଧାନୀ। ଲୁଟେରା ଓ ଅସାମାଜିକ ତତ୍ତ୍ବଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିଚାଲିଛି। ରାତିରେ ଘରକୁ ଫେରୁଥିବା କର୍ମଜୀବୀ ମହିଳା ଓ ପୁରୁଷମାନଙ୍କୁ ଟାର୍ଗେଟ୍‌ କରି ଦୁର୍ବୃତ୍ତମାନେ ଲୁଟୁଛନ୍ତି। ଶେଷରେ ସେମାନଙ୍କ କବଳରୁ ଖବରକାଗଜ ବିତରକ ବି ବର୍ତ୍ତିଲେନି। ମାତ୍ର କେଇଟା ଟଙ୍କା ଓ ମୋବାଇଲ୍‌ ଫୋନ୍‌ ପାଇଁ ଲୁଟେରାମାନେ ତାଙ୍କୁ ରକ୍ତାକ୍ତ ଆକ୍ରମଣ କରି ଲୁଟିଛନ୍ତି। ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଟଙ୍କପାଣି ରୋଡ୍‌ ସାଇମନ୍ଦିର ନିକଟରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଭିଙ୍ଗାରପୁର ଅଞ୍ଚଳର ଖବରକାଗଜ ବିତରକ ଅଶୋକ ପଣ୍ଡାଙ୍କୁ କଟୁରିରେ ହାଣି ଲୁଟିଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ କଟୁରିରେ ରକ୍ତାକ୍ତ ଆକ୍ରମଣ କରି ଅଢ଼େଇ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଛଡ଼ାଇନେଇଛନ୍ତି। ଅଭିଯୋଗ ପରେ ବଡ଼ଗଡ଼ ଥାନା ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଥିଲେ ବି ଦୁର୍ବୃତ୍ତମାନଙ୍କ ଟେର୍‌ ପାଇନାହିଁ।

ସୂଚନା ମୁତାବକ, ସୋମବାର ଭୋର୍‌ ପାଖାପାଖି ସାଢ଼େ ୪ଟା ସମୟରେ ଅଶୋକ ଖବରକାଗଜ ନେବା ପାଇଁ ବଡ଼ଗଡ଼ ଆସୁଥିଲେ। ସବୁଦିନ ଭଳି ସେ ଭୁବନେଶ୍ବରରୁ ଖବରକାଗଜ ନେଇ ନିଜ ଅଞ୍ଚଳରେ ବିକି ପରିବାରର ଗୁଜୁରାଣ ମେଣ୍ଟାନ୍ତି। ସ‌େ ଗଙ୍ଗୁଆ ବ୍ରିଜ୍‌ ଅତିକ୍ରମ କରୁଥିବା ସମୟରେ ଏକ ବାଇକ୍‌ରେ ପିଛା କରୁଥିବା ୩ ଯୁବକ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ଜଣେ ଦୁର୍ବୃତ୍ତ ଅଣ୍ଟାରୁ କଟୁରି କାଢ଼ି ଆକ୍ରମଣ କରିଥିଲା। ପ୍ରତିରୋଧ କରିବାକୁ ଯାଇ ଅଶୋକ ହାତ ଦେଖାଇ ଦେଇଥିଲେ। ଫଳରେ କଟୁରି ଚୋଟରେ ତାଙ୍କ ଦୁଇ ହାତରେ କ୍ଷତ ସୃଷ୍ଟି ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ହୋଇ ବି ସେ ଦୌଡ଼ି ଦୌଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ିନଥିଲେ। କାବୁ କରି ତାଙ୍କ ମୋବାଇଲ୍‌ ଓ ପର୍ସରୁ ଅଢ଼େଇ ହଜାର ଟଙ୍କା ନେଇ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର