ଭୁବନେଶ୍ବର: ଜୀବ‌ନରେ ଏମିତି କୌଣସି ବଡ଼ ପରୀକ୍ଷା ନାହିଁ, ଯେଉଁଥିରେ ଆମେ ବିଫଳ ହେଲେ ଭାଙ୍ଗିପଡ଼ିବା। ନିଜର ଶତପ୍ରତିଶତ ଦେଇ ଆମେ ନିଜ ଭିତରେ ଥିବା ସମ୍ଭାବନାକୁ ପ୍ରତିଫଳିତ କରିବାର ଆବଶ୍ୟକତା ରହିଛି। ଯୁଗ ବଦଳିଛି। ଏଥିସହ ବୃତ୍ତିଗତ କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହୋଇଛି। ନିଜର ରୁଚି ଓ ପ୍ରବୃତ୍ତିକୁ ଦେଖି ବୃତ୍ତି ଚୟନ କରିବାକୁ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଆଜି ‘ସମ୍ବାଦ’ ସାଉଥ୍‌ କ୍ୟାମ୍ପସ୍‌ ପରିସରରେ ଭୁବନେଶ୍ବର ଖବରକାଗଜ ବିତରକଙ୍କ ସନ୍ତାନମାନଙ୍କୁ ‘ସମ୍ବାଦ ମେଧାବୃତ୍ତି ପ୍ରଦାନ ଉତ୍ସବ’ରେ ୧୦ମ ଓ ଯୁକ୍ତ୨ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ଶ୍ରୀମତୀ ପଟ୍ଟନାୟକ। ଏଥିସହ ପିଲାମାନଙ୍କ ବୃତ୍ତି ଚୟନରେ ସେମାନଙ୍କ ପସନ୍ଦକୁ ସମର୍ଥନ ଜଣାଇବାକୁ ସେ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି। 

Advertisment

ଖବରକାଗଜ ବିତରଣ ଏକ ସ୍ବାଭିମାନର କାମ: ସୌମ୍ୟ
ନିଜର ରୁଚି ଓ ପ୍ରବୃତ୍ତିକୁ ଦେଖି ବୃତ୍ତି ଚୟନ କରନ୍ତୁ: ତନୟା ପଟ୍ଟନାୟକ

ଏହି ମେଧାବୃତ୍ତି ପ୍ରଦାନ ଉତ୍ସବର ସଭାପତିତ୍ବ କରି ଇଣ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଖବରକାଗଜ ବିତରଣ ଏକ ଛୋଟ କାମ ନୁହେଁ। ଦେଶର ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ୍‌ ହୁଅନ୍ତୁ, ଅବା ଆମେରିକାର ବହୁ ରାଷ୍ଟ୍ରପତି; ନିଜ ଛାତ୍ର ଜୀବନରେ ଖବରକାଗଜ ବିତରଣ କରି ସେମାନେ ନିଜ ଖର୍ଚ୍ଚ ବାହାର କରୁଥିଲେ। ଏଣୁ ଖବଜକାଗଜ ବିତରଣ ଏକ ସ୍ବାଭିମାନର କାମ। ଏଣୁ ପିଲାମାନଙ୍କୁ ନିଜ ଅଭିଭାବକଙ୍କ ଉପରେ ଗର୍ବ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। 

ଉତ୍ସବରେ ‘ସମ୍ବାଦ’ର ପ୍ରକାଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଥିଲେ, ଅନ୍ୟ ବୃତ୍ତିରେ ବର୍ଷକୁ ପାଖାପାଖି ୩ ମାସ ଛୁଟି ମିଳେ। କିନ୍ତୁ ଖବରକାଗଜ ବିତରକଙ୍କୁ ବର୍ଷକୁ ମାତ୍ର ୮ ଦିନ ଛୁଟି ମିଳିଥାଏ। ଖରା, ବର୍ଷା, ଶୀତ, ଦୁଃଖ, ଯନ୍ତ୍ରଣା ଓ ଶରୀର କଷ୍ଟକୁ ପଛ କରି ଏହି ବିତରକ ବନ୍ଧୁମାନେ ଲୋକଙ୍କ ପାଖରେ ଖବର ପହଞ୍ଚାଇଥା’ନ୍ତି। ଏଣୁ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମର ମାର୍ଗଦର୍ଶକ ଭାବେ ଏହି ବନ୍ଧୁମାନଙ୍କୁ ଗ୍ରହଣ କରିବା ଉଚିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।  ଏଥିରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ତ୍ତାସମ୍ପାଦକ ଭବାନୀଶଙ୍କର ତ୍ରିପାଠୀ ଯୋଗଦେଇ ସମାଜ ଗଠନରେ ବିତରକ ବନ୍ଧୁଙ୍କ ଅବଦାନ ସଂପର୍କରେ ସ୍ମରଣ କରାଇଥିଲେ। ବିତରଣ ବିଭାଗ ମୁଖ୍ୟ ପ୍ରିୟଦର୍ଶୀ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ଶମ୍ଭୁରାଜ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସରୋଜକାନ୍ତ ମହାନ୍ତି ଧନ୍ୟବା‌ଦ ଜଣାଇଥିଲେ।

ଆଜିର କାର୍ଯ୍ୟକ୍ରମରେ ୧୭ଜଣ ୧୦ମ ଉତ୍ତୀର୍ଣ୍ଣ ଓ ୬ ଜଣ +୨ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା। ୧୦ମ ଶ୍ରେଣୀରେ ୯୦%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବିତରକ ପ୍ରସନ୍ନ କୁମାର ସାହୁଙ୍କ ଝିଅ ସିମ୍‌ରନ୍‌ ପ୍ରିୟଦର୍ଶିନୀ ସାହୁ ଓ ଆଲୋକ ଚନ୍ଦ୍ର ପଣ୍ଡାଙ୍କ ପୁଅ ଆଦିସତ୍ତ୍ବ ପଣ୍ଡାଙ୍କୁ ୫ ହଜାର ଟଙ୍କାର ବୃତ୍ତିରାଶି ପ୍ରଦାନ କରାଯାଇଥିଲା। ଏଥିସହ ପ୍ରଦାପ ସ୍ବାଇଁଙ୍କ ଝିଅ କିରଣସ୍ମିତା ସ୍ବାଇଁ, ବୈରାଗୀ ପ୍ରଧାନଙ୍କ ଝିଅ ସତ୍ୟନାରାୟଣ ପ୍ରଧାନ, ନୀଳମଣି ସାହୁଙ୍କ ନାତୁଣୀ ସୁଦୀକ୍ଷା ପ୍ରିୟଦର୍ଶିନୀ, ଭାଗବତ ପରିଡ଼ାଙ୍କ ଝିଅ ଶୁଭାଙ୍ଗୀ ପରିଡ଼ା, କମଳାକାନ୍ତ ଖମୁରାଇଙ୍କ ପୁଅ ବିଶ୍ବଜିତ୍‌ ଖମୁରାଇ, ବିଜୟ କୁମାର ବେହେରାଙ୍କ ଝିଅ ଲକ୍ଷ୍ମୀପ୍ରିୟା ବେହେରା, ଦିଲ୍ଲୀପ କୁମାର ସାହୁଙ୍କ ଝିଅ ଦୀପ୍ତିମୟୀ ସାହୁ, ନରେନ୍ଦ୍ର କୁମାର ସାମନ୍ତରାୟଙ୍କ ଝିଅ ଅନୀଷା ସାମନ୍ତରାୟ, ସରୋଜ ସାହୁଙ୍କ ପୁଅ ସୀତାଂଶୁ ଶେଖର ସାହୁ, ନବକିଶୋର ପରିଡ଼ାଙ୍କ ପୁଅ ସାଇ ସାଗର ପରିଡ଼ା, ଗଦାଧର ସେନାପତିଙ୍କ ପୁଅ ସୌମ୍ୟରଞ୍ଜନ ସେନାପତି, ସ୍ବର୍ଗତ ବାବୁଲା ମିଶ୍ରଙ୍କ ଝିଅ ଜ୍ୟୋତି ମିଶ୍ର, ସୁବାସ ଚନ୍ଦ୍ର ଜେନାଙ୍କ ପୁଅ ଦେବବ୍ରତ ଜେନା, ଗଗନ ବିହାରୀ ପତିଙ୍କ ପୁଅ ଶୁଭଙ୍କର ପତି ଓ ସୁରଥ ମଲ୍ଲିକଙ୍କ ଝିଅ ଶ୍ରେୟା ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ଚଳିତ ଥର ୧୦ମ ଉତ୍ତୀର୍ଣ୍ଣ ହୋଇଥିବାରୁ ୩ ହଜାର ଟଙ୍କାର ବୃତ୍ତିରାଶି ପ୍ରଦାନ କରାଯାଇଛି। ସେହିଭଳି ରବିନାରାୟଣ ପରିଡ଼ାଙ୍କ ଝିଅ ରୋଜାଲିନ ପରିଡ଼ା, ହର୍ଷ କୁମାର ସାହୁଙ୍କ ଝିଅ ବିଷ୍ଣୁପ୍ରିୟା ସାହୁ, ଜଗଦୀଶ ବେହେରାଙ୍କ ଝିଅ ପ୍ରଜ୍ଞା ପାରମିତା ବେହେରା, ପ୍ରତାପ ମହାପାତ୍ରଙ୍କ ଝିଅ ତେଜସ୍ମିତା ମହାପାତ୍ର, ଗଣେଶ୍ବର ବେହେରାଙ୍କ ଝିଅ ପ୍ରତିଭା ବେହେରା ଓ ସୁରେଶ କୁମାର ପାତ୍ରଙ୍କ ପୁଅ ଶୁଭମ କୁମାର ପାତ୍ର +୨ ଉତ୍ତୀର୍ଣ୍ଣ ହୋଇଥିବାରୁ ୩ ହଜାର ଲେଖାଏଁ ବୃତ୍ତିରାଶି ପ୍ରଦାନ କରାଯାଇଛି।