ଭୁବନେଶ୍ବର : ପ୍ରଶାନ୍ତିବିହାରରେ ବିଏମ୍‌ସି ନିର୍ମାଣ କରିବାକୁ ଯାଉଥିବା‌ ଏମ୍‌ଆରଏଫ୍‌(ମ୍ୟାଟେରିଆଲ୍‌ ରିକଭରି ଫାସିଲିଟି) କେନ୍ଦ୍ରକୁ ଏନ୍‌ଜିଟି ଝଟ୍‌କା ଲାଗିଛି। ଜଙ୍ଗଲ ଜମିରେ ଏହା ବେଆଇନ ଭାବେ ନିର୍ମାଣ ହେଉଥିବା ଅଭିଯୋଗ ଆଧାରରେ ମାମଲାର ବିଚାର କରି ଏନ୍‌ଜିଟି ନିର୍ମାଣ ଉପରେ ରୋକ୍‌ ଲଗାଇଛନ୍ତି। ତା’ ସହ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବିଏମ୍‌ସିକୁ ଆଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ଜଙ୍ଗଲ ଜମିରେ ବିଏମ୍‌ସି ଟେଣ୍ଡର୍‌ କରୁଥିଲା? ଦାୟିତ୍ବରେ ଥିବା ଅଧିକାରୀ କିଭଳି ଜାଣିପାରିନଥିଲେ? ସେ ନେଇ ପ୍ରଶ୍ନ ଉଠିଛି।

Advertisment

ୱାର୍ଡ ନମ୍ବର-୧ ପ୍ରଶାନ୍ତିବିହାର ପଟିଆ ମୌଜା ପ୍ଲଟ୍‌ ନମ୍ବର ୩୦୮ର ୮.୫୬୦ ଏକର ଜମିରେ ବିଏମ୍‌ସି ଏକ ଏମ୍‌ଆରଏଫ୍‌ ସ୍ଥାପନ କରିବାକୁ ଯୋଜନା କରିଥିଲା। କିନ୍ତୁ ଏହି ଜମି ଜଙ୍ଗଲ-୨ କିସମର ଥିଲା। ଏ ନେଇ ଗତ ଜୁଲାଇ ୯ ତାରିଖରେ ଏଥିପାଇଁ ଟେଣ୍ଡର୍‌ କରିଥିଲା। ଏହା ଜଙ୍ଗଲ ଜମି ଥିଲେ ମଧ୍ୟ ଏହାର କିସମ ପରିବର୍ତ୍ତନ କରାଯାଇନଥିଲା। ଜଙ୍ଗଲ ବିଭାଗ ପକ୍ଷରୁ ଏନ୍‌ଓସି ମଧ୍ୟ ନିଆଯାଇ ନଥିଲା। ଏଣୁ ଏହାକୁ ବେଆଇନ ଭାବରେ ନିର୍ମାଣ ହେଉଥିବା‌ ଅଭିଯୋଗ କରି ବିରଞ୍ଚି ନାରାୟଣ ମଲ୍ଲିକ ଏନ୍‌ଜିଟିର ଦ୍ବାରସ୍ଥ ହୋଇଥିଲେ। ଏନ୍‌ଜିଟି ଏହାର ବିଚାର କରିବା ସହ ଏହାର ନିର୍ମାଣ ବନ୍ଦ କରିବାକୁ ଆଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୯ ତାରିଖରେ ହେବ।

ସୂଚନାଯୋଗ୍ୟ, ବିଭିନ୍ନ ଜାଗାରୁ ମିଶ୍ରଣ ହୋଇଆସୁଥିବା ବର୍ଜ୍ୟବସ୍ତୁ ପୃଥକ୍‌ କରିବା ଉଦ୍ଦେଶ୍ୟରେ ବିଏମ୍‌ସି ୮ଟି ଏମ୍‌ଆରଏଫ୍‌ ପ୍ଲାଣ୍ଟର ଯୋଜନା କରିଥିଲା। ମିଶ୍ରିତ ବର୍ଜ୍ୟର ପରିମାଣ ଅଧିକ ଥିବାରୁ ଏହାର ଆବଶ୍ୟକତାକୁ ଉପଲବ୍ଧି କରି ବିଏମ୍‌ସି କମିସନର ସଞ୍ଜୟ ସିଂହ ଏହାର ସଂଖ୍ୟା ବଢ଼ାଇ ୨୪ଟି କରିବାକୁ ନିଷ୍ପତ୍ତି ନେଇଥିଲେ। ୬ ମାସ ମଧ୍ୟରେ ବିଏମ୍‌ସି ୪ଟି କାର୍ଯ୍ୟକ୍ଷମ କରାଇ ପାରିଥିଲା। ଯାହା ଏବେ କାମ କରୁଛି। ଅନ୍ୟ ୨୦ଟି ପ୍ରତିଷ୍ଠା ହେବା ପ୍ରକ୍ରିୟାରେ ରହିଛି। ସେହି ୨୦ଟି ମଧ୍ୟରେ ପ୍ରଶାନ୍ତି ବିହାରର ଏହି ଏମ୍‌ଆରଏଫ୍‌ ରହିଛି। ତେବେ ଆରମ୍ଭ ପୂର୍ବରୁ ଏହାକୁ ଝଟ୍‌କା ଲାଗିଛି।