ଭୁବନେଶ୍ୱର: ଅଠର ବର୍ଷ ତଳେ ‘ଜାତୀୟ ଆର୍ଦ୍ରଭୂମି’ ଘୋଷିତ କାଞ୍ଜିଆ ହ୍ରଦର ପ୍ରଦୂଷଣ ମାତ୍ରା ସରକାରଙ୍କ ମୁଣ୍ଡବ୍ୟଥା ସାଜିଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣାର ଯତ୍ନ ନିଆଯାଇ ନଥିବାରୁ ଏହାର ପ୍ରଦୂଷଣ ସୀମା ଲଂଘିଛି। ଯେଉଁଥିପାଇଁ ମାମଲା ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି)ରେ ପହଞ୍ଚିଛି। ଏନ୍ଜିଟି ମାମଲାକୁ ଗୁରୁତ୍ବର ସହ ନେଇ ଏକ କମିଟି ଗଠନ କରିଛନ୍ତି। କମିଟି ଠାରୁ କାଞ୍ଜିଆର ବର୍ତ୍ତମାନର ସ୍ଥିତିକୁ ନେଇ ରିପୋର୍ଟ ତଲବ କରିଛନ୍ତି। ସମ୍ପୃକ୍ତ କମିଟିର ରିପୋର୍ଟ ଆଧାରରେ ଆସନ୍ତା ମାସ ୬ ତାରିଖରେ ଏହା ଉପରେ ଶୁଣାଣି ହେବାକୁ ଯାଉଛି। ଜାତୀୟ ମାନ୍ୟତା ହାସଲ କରିଥିବା ହ୍ରଦକୁ ପ୍ରଦୂଷଣମୁକ୍ତ ନକରି ଏଥିରେ ବୋଟିଂ ଓ ଏହା ଉପରେ ‘ରୋପ୍ ୱେ’ କରି ଅର୍ଥ ଆଦାୟରେ ସରକାର ମାତିଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଏଣୁ ଏନ୍ଜିଟିଙ୍କ ରାୟ ପରେ ଏହି ମନୋରଞ୍ଜନ ବ୍ୟବସ୍ଥା ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ପ୍ରଭାବିତ ହୋଇପାରେ କାଞ୍ଜିଆ ହ୍ରଦ ବୋଟିଂ, ରୋପ୍ୱେ
ଭୁବନେଶ୍ୱରର ଉତ୍ତର ଦିଗରେ ରହିଥିବା ୧୯୦ ଏକର ଜାଗା ପରିମିତ କାଞ୍ଜିଆ ହ୍ରଦରେ ୩୭ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ସରୀସୃପ, ୪୬ ପ୍ରକାରର ମାଛ ସହ ନାନା ପ୍ରଜାତିର ଜାତୀୟ ଜଳଜୀବ ରହିଛନ୍ତି। ଏହାର ପାଣି କେବଳ ନନ୍ଦନକାନନର ଜୀବଜନ୍ତୁଙ୍କ ପାଇଁ ବ୍ୟବହାର ହୁଏ ନାହିଁ ବରଂ ଏହି ହ୍ରଦ ସହରର ପରିବେଶ ସନ୍ତୁଳନ ପାଇଁ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ। ପାଣି ଓ ଭୂତଳ ଜଳ ରିଚାର୍ଜ କରିବାରେ ମୁଖ୍ୟ ଉତ୍ସ ଭାବରେ ହ୍ରଦ ବିବଚେନା କରାଯାଏ। ଏଭଳି ଗୁରୁତ୍ବକୁ ନେଇ ୨୦୦୬ ମସିହାରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏହାକୁ ଜାତୀୟ ଆଦ୍ରର୍ଭୂମି ଘୋଷଣା କରିଥିଲା। ଏହା ଯେଭଳି ପ୍ରଦୂଷଣ ମୁକ୍ତ ରହିବ, ଏଥିରେ ଜବରଦଖଲ ହେବନି ସେ ନେଇ କଟକଣା କରିବା ସହ ଏହାର ଯତ୍ନ ନେବାକୁ ତାଗିଦ କରିଥିଲା। ଏବେ ଦ୍ରୁତ ସହରୀକରଣ ଯୋଗୁ ଏହାର ଦୁଇ ପାର୍ଶ୍ବରେ କଂକ୍ରିଟ ନିର୍ମାଣ ଚାଲିଛି। ପାଣି କମିଯିବାରୁ ହ୍ରଦର କିଛି ଅଂଶ ମଧ୍ୟ ଜବରଦଖଲ ହେବା ସହ ନିର୍ମାଣ ହୋଇଛି। ବଡ଼କଥା ହେଉଛି ପରିଚାଳନା ହୋଇ ନଥିବା ପ୍ରଦୂଷିତ ଜଳ ଏହି ହ୍ରଦ ଭିତରକୁ ନିଷ୍କାସିତ ହେଉଛି। ନଳା ଜରିଆରେ ସହରର ଏହି ସବୁ ଜଳକୁ ଏହା ଭିତରେ ଛାଡ଼ି ଦିଆଯାଇଥିବାରୁ ପ୍ରଦୂଷଣ ବଢ଼ିବଢ଼ି ଚାଲିଛି। ଏହି ପାଣିକୁ ପାଇପ୍ ଜରିଆରେ ନିଆଯାଇ ନନ୍ଦନକାନନର ଜୀବଜନ୍ତୁଙ୍କ ପାଇଁ ବ୍ୟବହାର କରାଯାଉଛି। ଫଳରେ ବୋଟିଂ ଜରିଆରେ ହ୍ରଦର ଜଳ ସଂସ୍ପର୍ଶରେ ଆସୁଥିବା ପର୍ଯ୍ୟଟକ ଓ ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କ ପାଇଁ ବିପଦ ହୋଇଛି। ନନ୍ଦନକାନନ ସମେତ ଆଖପାଖ ଗାଁ ଓ ଭୁବନେଶ୍ବରର ଇକୋ ସିଷ୍ଟମ୍ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହାର ଯତ୍ନ ଜରୁରି ଥିବା ଅଭିଯୋଗକାରିଣୀ ହରିପ୍ରିୟା ପଟେଲ୍ ଦର୍ଶାଇଛନ୍ତି।
ଏଭଳି ଅଭିଯୋଗ ପାଇବା ପରେ ଏନ୍ଜିଟି ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଆର୍ଦ୍ରଭୂମି ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ବର ଡିଏଫ୍ଓ, ନନ୍ଦନକାନନ ନିର୍ଦ୍ଦେଶକଙ୍କୁ ଅଭିଯୋଗ ଆଧାରରେ ସତ୍ୟପାଠ ଦାଖଲ କରିବାକୁ ନୋଟିସ୍ ଜାରି କରିଥିଲେ। ତା ସହିତ ଏକ କମିଟି ଗଠନ କରିଥିଲେ। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ଓ ଖୋର୍ଦ୍ଧା ଡିଏଫ୍ଓଙ୍କୁ ନେଇ ଗଠିତ କମିଟିକୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦାଖଲ କରିବାକୁ କହିଥିଲେ। ବିଭିନ୍ନ ବିଭାଗର ରିପୋର୍ଟ ଓ କମିଟିର ରିପୋର୍ଟ ଉପସ୍ଥାପନ ସହ ଅନ୍ୟାନ୍ୟ ସଂଯୋଜନା ପାଇଁ ଖୋର୍ଦ୍ଧା ଡିଏଫ୍ଓଙ୍କୁ ନୋଡାଲ ଅଧିକାରୀ କରିଥିଲେ ଏନ୍ଜିଟି।