ଘେରାବନ୍ଦୀମୁକ୍ତ ହେଉଛି ଭିଏସ୍‌ଏସ୍‌ ନଗର : ଅଧା ଖୋଲା ଏନ୍‌ଏଚ୍‌ ଅଣ୍ଡରପାସ୍‌

ଫେରିଲା ଫାଣ୍ଡି, ଖୋଲିଲା ସ୍ବାସ୍ଥ୍ୟ କେନ୍ଦ୍ର, ନିର୍ମାଣ ହେବ ରେଲୱେ ଓଭରବ୍ରିଜ୍‌

‌ଚନ୍ଦ୍ରଶେଖରପୁର : ଚାରିପଟୁ ଘେରାବନ୍ଦୀ ହୋଇ ରହୁଥିବା ଭିଏସ୍‌ଏସ୍‌ ନଗରବାସୀଙ୍କ ଦୁଃଖ ଦୂର ହେବା ଆଶା ସଞ୍ଚାର ହୋଇଛି। ଦୀର୍ଘ ବର୍ଷର ଦାବି ପରେ ଭିଏସ୍‌ଏସ୍‌ ନଗରରୁ ମଞ୍ଚେଶ୍ବର ଅଞ୍ଚଳକୁ ଯିବା ପାଇଁ ଥିବା ରେଲ୍‌ୱେ କ୍ରସିଂକୁ ଉଚ୍ଛେଦ କରାଯିବ। ସେଠାରେ  ଓଭରବ୍ରିଜ୍‌ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହେବା ସହ ଇତି ମଧ୍ୟରେ ଭିତ୍ତିପ୍ରସ୍ତର ବି ପଡ଼ି ସାରିଛି। ୪୮କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ। ଫଳରେ ଭିଏସ୍‌ଏସ୍‌ ନଗରବାସୀଙ୍କୁ ଆଉ ରେଲୱେ କ୍ରସିଂ ଦେଇ ଯିବାକୁ ପଡ଼ିବ ନାହିଁ। ଦେଢ଼ ବର୍ଷ ଅନ୍ତରରେ ଅର୍ଥାତ୍‌ ୨୦୨୦ ସୁଦ୍ଧା ଓଭରବ୍ରିଜ୍‌ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେପଟେ ବାରମ୍ବାର ଦାବି, ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କୁ ଚିଠି, କେନ୍ଦ୍ରମନ୍ତ୍ରୀଙ୍କ ପରିଦର୍ଶନ ସତ୍ତ୍ବେ ବି ଜାତୀୟ ରାଜପଥ-୧୬କୁ ବାହାରିବା ଲାଗି ମୁଖାର୍ଜୀ ପାର୍କ ନିକଟରେ ନିର୍ମାଣ ହୋଇଥିବା ଅଣ୍ଡରପାସ୍‌ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଖୋଲି ପାରିନାହିଁ। ବହୁ ଦାବି ପରେ ମୁଖାର୍ଜୀ ପାର୍କ ପାର୍ଶ୍ବ ଦେଇ ଏକ ଢଳେଇ ରାସ୍ତା କରାଯାଇଛି। କିନ୍ତୁ ରାସ୍ତା ଅବସ୍ଥା ଏମିତି ହୋଇଛି ଯେ ପ୍ରତିଦିନ ଦୁର୍ଘଟଣା ହେଉଛି। କେଉଁ ପାର୍ଶ୍ବ ରାସ୍ତାରେ କିଏ ଆସୁଛି ଜଣାପଡ଼ୁ ନାହିଁ। ଭିଏସ୍‌ଏସ୍‌ ନଗରରୁ ସାଧାସଳଖ ଏହି ଅଣ୍ଡରପାସ୍‌ ରାସ୍ତାର ସଂଯୋଗ ହୋଇପାରି ନାହିଁ। ରାସ୍ତାପାର୍ଶ୍ବ ଦେଇ ଯାଇଥିବା ପାଣି ପାଇପ୍‌ ଏଥିରେ ପ୍ରତିବନ୍ଧକ ସାଜିଛି। ଏହାକୁ ଉଠାଇବା ପାଇଁ ବର୍ଷେ ତଳୁ ଉଦ୍ୟମ ‌ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ଆଗେଇ ପାରିନି। ଯେଉଁଥିପାଇଁ  ଭିଏସ୍‌ଏସ୍‌ ନଗରବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏହା ପ୍ରତିଫଳିତ ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସେହିପରି ୨୫ବର୍ଷ ହେବ ଏହି ଅଞ୍ଚଳରେ ଡାକ୍ତରଖାନା ନିର୍ମାଣ ପାଇଁ ଦାବି ହେଉଥିଲା। ଏପରିକି ୪ ବର୍ଷ ତଳେ ଡାକ୍ତରଖାନା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହ ବର୍ଷକ ତ‌ଳୁ କାର୍ଯ୍ୟ ସରିଥିଲା। ହେଲେ ଖୋଲି ପାରୁନଥିଲା। ଆଗକୁ ନିର୍ବାଚନ ହେବାକୁ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ଉଦ୍‌ଘାଟନ କରାଯାଇଛି। ୨୦୧୨ ମସିହାରେ ଡାକ୍ତରଖାନା ନିର୍ମାଣ ପାଇଁ ସାଧାରଣ ପ୍ରଶାସନ ବିଭାଗ ଜମି ପ୍ରଦାନ କରିଥିଲା। ୨୦୧୫ ମସିହା ଜାନୁଆରିରେ ୪ ଲକ୍ଷ ୯୫ ହଜାର ଟଙ୍କା ବ୍ୟୟ କରାଯାଇ ପାଚେରି ନିର୍ମାଣ ହୋଇଥିଲେ ମଧ୍ୟ ଜାଇକା ଦ୍ୱାରା ୨୦୧୬ ଜାନୁଆରିରେ ପାଚେରି ଭାଙ୍ଗି ଦିଆଯାଇଥିଲା। ଏହାପରେ ଗୃହ ନିର୍ମାଣ କରାଯାଇ ୨୦୧୭ରେ ୩୧ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟରେ ଗୃହ ନିର୍ମାଣ ହୋଇଥିଲା। ଏବେ ତାହା ଉଦ୍‌ଘାଟିତ ହେବା ଦ୍ବାରା ଭିଏସ୍‌ଏସ୍‌ ନଗରବାସୀଙ୍କ ଦୁଃଖ ଦୂର ହୋଇଛି ବୋଲି ଭିଏସ୍ଏସ୍ ନଗର ଉନ୍ନୟନ ପରିଷଦର ଉପସଭାପତି ଇଂ ଶିବ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ଦିଲ୍ଲୀପ ଦାଶଶର୍ମା, କୋଷାଧ୍ୟକ୍ଷ ମହେଶ୍ୱର ବିଶ୍ୱାଳ ପ୍ରମୁଖ କହିଛନ୍ତି।

ଅନ୍ୟପକ୍ଷରେ ୪୦ ବର୍ଷ ତଳୁ ଭିଏସ୍‌ଏସ୍‌ ନଗରରେ ଏକ ଫାଣ୍ଡି କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ୪ରୁ ୫ବର୍ଷ ତଳେ ଘର ଅଭାବରୁ ଏହା ସହିଦନଗର ଥାନାକୁ ଚାଲି ଯାଇଥିଲା। ଫାଣ୍ଡି ଫେରାଇ ଆଣିବାକୁ ବାରମ୍ବାର ଦାବି ହୋଇଥିଲା। ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦର ସଦସ୍ୟମାନେ ପୁଲିସ କମିସନର ସତ୍ୟଜିତ୍ ମହାନ୍ତିଙ୍କୁ ସାକ୍ଷାତ କରିଥିଲେ। ଶେଷରେ ସମସ୍ୟାର ସମାଧାନ କରାଯିବା ସହ ଏକ ଉଠା କ୍ୟାବିନ୍‌ରେ ଭିଏସ୍‌ଏସ୍‌ ନଗର ଫାଣ୍ଡି ଉଦ୍‌ଘାଟିତ ହୋଇଛି। ୨୦୧୭ ନଭେମ୍ବର ମାସରେ ‘ସମ୍ବାଦ’ ପକ୍ଷରୁ ଭିଏସ୍‌ଏସ୍‌ ନଗରଠାରେ ଅନୁଷ୍ଠିତ ‘ଆମେ ଗଢ଼ିବା ଆମ ସହର’ କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ଉକ୍ତ ଦାବିଗୁଡ଼ିକ ଉଠାଇଥିଲେ। ଏବେ ସେଗୁଡ଼ିକର ସମାଧାନ ହୋଇଛି।

ସମ୍ବନ୍ଧିତ ଖବର