ଗଛ ଲଗାଇ ଭୁଲିଗଲା ଏନ୍‌ଏଚ୍‌ଏଆଇ: ଡିଭାଇଡର୍‌ରୁ ୨ ଶହ ଗଛ ଉଭାନ୍‌

ଫଟୋ ଉଠାଇ ପ୍ରଶଂସା ସାଉଁଟିଲେ, ରକ୍ଷଣା‌ବେକ୍ଷଣା କଥା ଭୁଲିଗଲେ

ଭୁବନେଶ୍ବର: ଜାତୀୟ ରାଜପଥ କଡ଼ରେ ବ୍ୟାପକ ଗଛ ଲଗାଅ। ରାଜପଥକୁ ସବୁଜିମା କରିବା ସହ ପରିବେଶକୁ ସରସ ସୁନ୍ଦର କର। କିଛି ମାସ ତଳେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀ ଏନ୍‌ଏଚ୍‌ଏଆଇର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଏପରି ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ବରରେ ଥିବା ଏନ୍‌ଏଚ୍‌ଏଆଇର ଶାଖା ମଧ୍ୟ ଏହାକୁ କାର୍ଯ୍ୟକାରୀ କରି ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ଡିଭାଇଡର୍‌ରେ କୃଷ୍ଣଚୂଡ଼ା, ରାଧାଚୂଡ଼ା, ପାମ୍‌ ଭଳି ବିଭିନ୍ନ ସୁନ୍ଦର ସୁନ୍ଦର ଗଛ ଲଗାଇଥିଲା। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଛ ସିନା ଲଗାଇଦେଲା, କିନ୍ତୁ ତା’ର ରକ୍ଷଣାବେକ୍ଷଣ ପାଇଁ ଆଡ଼ ଆଖିରେ ଚାହିଁଲା ନାହିଁ। ଫଳରେ ଏବେ ସେସବୁ ନିଶ୍ଚିହ୍ନ ହୋଇଗଲାଣି।

ସୂଚନାନୁସାରେ, ଭୁବନେଶ୍ବର-ପୁରୀ ବାଇପାସ୍‌ରେ ହଂସପାଳ ଛକରୁ ଉତ୍ତରା ଛକ ପର୍ଯ୍ୟନ୍ତ ୨ଶହରୁ ଊର୍ଦ୍ଧ୍ବ ଗଛ ଲଗାଯାଇଥିଲା। ‘ରାଜ୍ୟ ବନ ଉନ୍ନୟନ ନିଗମ’ ପକ୍ଷରୁ ଏହି ଗଛ ଯୋଗାଇ ଦିଆଯାଇଥିବା ବେଳେ ଏନ୍‌ଏଚ୍ଏଆଇ କର୍ତ୍ତୃପକ୍ଷ ଏହାକୁ ଲଗାଇଥିଲେ। ଗତ ୧୭ ଜୁଲାଇ ୨୦୨୨ରେ ଗଛଗୁଡ଼ିକ ଲଗାଇ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ବେଶ୍‌ ପ୍ରଶଂସା ସାଉଁଟିବା ସହ ଗଛ ସହ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ କରିଥିଲେ। ହେଲେ ଏହାକୁ ମାତ୍ର ୪ ମାସ ନ ଯାଉଣୁ ଗଛଗୁଡ଼ିକ ମରି ହଜିଗଲେଣି। ଗଛଗୁଡ଼ିକୁ ଟ୍ରି-ଗାର୍ଡ ଲଗାଇ ଗାଈଗୋରୁଙ୍କ କବଳରୁ ସୁରକ୍ଷା ଦେବା କଥା, ହେଲେ କର୍ତ୍ତୃପକ୍ଷ ତାହା କଲେ ନାହିଁ। ଫଳରେ ବୁଲା ଗାଈଗୋରୁ ସେଥିରେ ଅବାଧରେ ମୁହଁ ମାରି ଗଛକୁ ନଣ୍ଡା କରି ପକାଇଲେ।

ସେହିଭଳି ବର୍ଷା ଋତୁ ପରେ ସେଥିରେ ପାଣି ସିଞ୍ଚନ ବ୍ୟବସ୍ଥା କରିବାର ଆବଶ୍ୟକତା ଥିଲା। କିନ୍ତୁ ଲଗା ହେବା ପରଠାରୁ କ୍ବଚିତ୍‌ ସେଥିରେ ପାଣି ଦିଆଯାଇଥିବ। ଅନେକ ସରକାରୀ କାର୍ଯ୍ୟକ୍ରମ ଭଲ ଉଦ୍ଦେଶ୍ୟ ନେଇ ଆରମ୍ଭ କରାଯାଉଥିଲେ ମଧ୍ୟ ତୃଣମୂଳ ସ୍ତରରେ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଫ‌ଳରେ ଏଭଳି ସଫଳ ଯୋଜନା ବିଫଳତାରେ ପରିଣତ ହେଉଛି। ଏ ସଂପର୍କରେ ଏନ୍‌ଏଚ୍‌ଆଇର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ସିଂହଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର