ଖଣ୍ଡଗିରି: ଭୁବନେଶ୍ୱର ଏମ୍‌ସର ଦ୍ୱିତୀୟ ବାର୍ଷିକ କଶ୍ମୀର ଛାତ୍ର ସୋହେଲ ଆଇଜାଦ୍‌ କୋଲକାତାରୁ ନିଖୋଜ ହେବା ମାମଲାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନ୍‌ଆଇଏ’ ହାତକୁ ଯାଇପାରେ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏଭଳି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସୋହେଲ ପାଠପଢ଼ା ଖରାପ ହେବାରୁ ମାନସିକ ଭାରସାମ୍ୟ ହରାଇ ନିଖୋଜ ହୋଇଛନ୍ତି କି ତାଙ୍କୁ ବ୍ଲାକ୍‌ମେଲିଂ କରି ଅପହରଣ କରାଯାଇଛି, ତାହା ଏବେ କୁହେଳିକା ମଧ୍ୟରେ ରହିଛି। ଏବେ ଭୁବନେଶ୍ୱର କମିସନରେଟ୍‌ ପୁଲିସ ଓ କୋଲକାତା ହାଓ୍ଵଡ଼ା ପୁଲିସ ସୋହେଲଙ୍କୁ ଖୋଜିବାରେ ଲାଗିଛନ୍ତି। କଶ୍ମୀର ପୁଲିସକୁ ମାମଲା ବାବଦରେ ଅବଗତ କରାଯାଇଥିଲେ ବି ସେମାନଙ୍କ ପଦକ୍ଷେପ ବିଷୟରେ ଠିକ୍‌ ସୂଚନା ମିଳିପାରିନାହିଁ। କିନ୍ତୁ ଖବର ପ୍ରଚାର ହେବା ପରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଥିବା ସୂଚନା ମିଳିଛି। ତେଣୁ ଏନ୍‌ଆଇଏ ଭଳି ସଂସ୍ଥା ସୋହେଲ୍‌କୁ ଖୋଜିପାରେ ବୋଲି ସୂଚନା ମିଳିଛି। ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନଥିଲେ ବି କଶ୍ମୀର କୁପଓ୍ଵାଡ଼ା ଜିଲ୍ଲା ଅଞ୍ଚଳର ବାସିନ୍ଦା ସୋହେଲଙ୍କ ନିଖୋଜ ମାମଲା ଏକ ଗମ୍ଭୀର ମାମଲା। କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ। ତାଙ୍କ ନିଖୋଜ ପଛରେ ଆତଙ୍କବାଦୀ ଲିଙ୍କ୍‌ ଯେ ନଥିବ ତାହା କହିବା ମୁସ୍କିଲ ବୋଲି ପୁଲିସ ଅଧିକାରୀମାନଙ୍କ ମତ। ତେବେ କମିସନରେଟ୍‌ ପୁଲିସ ଓ ହାଓ୍ଵଡ଼ା ପୁଲିସ ପାଇଁ ସୋହେଲଙ୍କ ମୋବାଇଲ୍‌ ଟ୍ରାକିଂ ବଡ଼ ଭରସା। ବଡ଼ ରହସ୍ୟଜନକଭାବେ ସେ ନିଖୋଜ ହୋଇଥିବାରୁ ପୁଲିସ ସୋହେଲଙ୍କ ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ କରିବାକୁ ପଦକ୍ଷେପ ନେଇଛି। ପୂର୍ବରୁ ସେ କାହା କାହା ସହ ଅଧିକ କଥା ହେଉଥିଲେ, ତାହା ଉପରେ ପୁଲିସ ଛାନ୍‌ଭିନ୍‌ କରିବାକୁ ଯାଉଛି। ହୁଏତ ଏଥିରୁ ପୁଲିସକୁ କିଛି ସୁରାକ୍‌ ମିଳିପାରେ ବୋଲି ଆଶା କରାଯାଉଛି।

Advertisment

ସୋହେଲଙ୍କ ବାପା ଏଜାଜ୍‌ ଅହମ୍ମଦ କଙ୍କରିଆଙ୍କ କହିବା କଥା ସୋହେଲ ଜଣେ ଭଲ ଛାତ୍ର ଥିଲା ଓ ଏକାଥରକରେ ଏମ୍‌ସ ପ୍ରବେଶିକା ପରୀକ୍ଷା ପାସ୍‌ କରି ଭୁବନେଶ୍ୱର ଏମ୍‌ସକୁ ପସନ୍ଦ କରିଥିଲା। ତେଣୁ ମେଡିକାଲ ପାଠ୍ୟକ୍ରମରେ ଭଲ ନକରିବାର କାରଣ କ’ଣ ହୋଇପାରେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ମାତ୍ର ସେ ଥରେ ପାଠପଢ଼ାକୁ ନେଇ ଚିନ୍ତିତ ଥିବା ବାବଦରେ ପରିବାର ଲୋକେ ସୂଚନା ପାଇଥିଲେ ବୋଲି କଙ୍କରିଆ କହିଛନ୍ତି। ତେଣୁ ଏସବୁ ଦୃଷ୍ଟିରୁ ବିଚାର କଲେ ସୋହେଲ ନିଖୋଜ ପଛରେ କିଛି ନା କିଛି ବଡ଼ ଧରଣର ରହସ୍ୟ ଥିବ ବୋଲି ଆଶଙ୍କା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବ ଅମୃତସରରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ କହି ସୋହେଲ୍‌ ଗତ ୯ ତାରିଖ ରାତିରେ ଭୁବନେଶ୍ୱର ଛାଡ଼ିଥିଲେ। ପରଦିନ ସକାଳ ୫ଟାରେ ସେ ହାଓ୍ଵଡ଼ା ଷ୍ଟେସନରେ ଥିଲେ ଓ ଏହା ପରଠାରୁ ତାଙ୍କ ବାବଦରେ ଆଉ କିଛି ସୂଚନା ମିଳିପାରିନାହିଁ।