ନନ୍ଦନକାନନରେ ନିଆରା ପ୍ରେମ କାହାଣୀ: ପ୍ରଶାନ୍ତଙ୍କ କୋଳ ଛାଡ଼ୁନି ଚୁଲ୍‌ବୁଲି ବର୍ଷା

ବାରଙ୍ଗ : ହିଂସ୍ର ବନ୍ୟପ୍ରାଣୀଙ୍କୁ ମଣିଷ ପୋଷା ମନାଇବା କିଛି ନୂଆ କଥା ନୁହେଁ। ଛୋଟବେଳୁ ହିଂସ୍ରପ୍ରାଣୀଙ୍କୁ ଯତ୍ନରେ ଲାଳନପାଳନ କଲେ, ସେମାନେ ପୋଷା ମାନିଯାଆନ୍ତି। ଏମିତି ବହୁ ଉଦାହରଣ ରହିଛି। ସେହିଭଳି ଏବେ ନନ୍ଦନକାନନ ପ୍ରାଣୀଉଦ୍ୟାନ‌ରେ ସିଂହ ଶା‌ବକ ବର୍ଷା ଓ ଜନ୍ତୁରକ୍ଷକ ପ୍ରଶାନ୍ତ ଗୌଡ଼ଙ୍କ ନିବିଡ଼ ପ୍ରେମ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ୬ ମାସର ସିଂହୀ ‘ବର୍ଷା’ ପାଇଁ ପ୍ରଶାନ୍ତ ପାଲଟିଯାଇଛନ୍ତି ମା’ ବାପା ଓ ଭାଇଭଉଣୀ। ପ୍ରଶାନ୍ତଙ୍କ କୋଳରେ ଖେଳୁଛି ବର୍ଷା। ପ୍ରଶାନ୍ତଙ୍କ କୋଳରେ ଚୁଲ୍‌ବୁଲି ବର୍ଷାର ନଖରାମି, ଦୁଷ୍ଟାମି ଓ ଅଳିଅର୍ଦ୍ଦଳି ଏବେ ପର୍ଯ୍ୟଟକମାନଙ୍କ ପାଇଁ ଉତ୍ସୁକତାର କାରଣ ପାଲଟିଛି। ମାତ୍ର ତାକୁ ଖୁଆଡ଼କୁ ଅଣାଯାଇନଥିବାରୁ ଏହି ସୁନ୍ଦର ତଥା ବିରଳ ଦୃଶ୍ୟ ପର୍ଯ୍ୟଟକମାନଙ୍କ ମନ କିଣି ପାରିନାହିଁ।

ପ୍ରଶାନ୍ତଙ୍କୁ ଦେଖିବା ମାତ୍ରେ ପାଖକୁ ଧାଇଁ ଆସୁଛି ବର୍ଷା। ତାଙ୍କ ଉପରକୁ ଲମ୍ପ ମାରି ଚଢ଼ିଯାଉଛି। ତାଙ୍କ ମୁହଁରେ ମୁହଁ ଲଗାଇ ଗେଲ ହେଉଛି। ପ୍ରଶାନ୍ତ ବସିଥିବା ବେଳେ ବର୍ଷା ତାଙ୍କ କୋଳରେ ଶୋଇପଡ଼ୁଛି। ଗଡ଼େଇତଡ଼େଇ ହେଉଛି। ଗେହ୍ଲେଇ ହୋଇ ନଖରାମି କରୁଛି। ଦୁଷ୍ଟାମି ବି। କେତେବେଳେ ମୁଣ୍ଡରେ ଚଢ଼ିଯାଉଛି ତ କେତେବେଳେ କାନ୍ଧରେ ବସୁଛି। ମା’କୋଳରେ ଛନ୍‌ଛନ୍‌ ହୋଇ ଖେଳୁଥିବା ଛୁଆ ଭଳି ସେ ଖେଳୁଛି ପ୍ରଶାନ୍ତଙ୍କ କୋଳରେ। ବର୍ଷାର ଏହି ଖେଳକୁଦ ନନ୍ଦନକାନନ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ପାଇଁ ନିତିଦିନିଆ ଖୁସିର ବିଷୟ ହୋଇଛି। ସେମାନଙ୍କ ଭିତରେ ଏହି ନିବିଡ଼ତାର କାରଣ ହେଉଛି ଜନ୍ମବେଳରୁ ‌ବର୍ଷା ବଢ଼ିଛି ପ୍ରଶାନ୍ତଙ୍କ କୋଳରେ। ୨୦୨୧ ଜୁଲାଇ ୭ରେ ବର୍ଷାର ଜନ୍ମ। ସମ୍ରାଟ ଓ ରାଧାର ମିଳନରୁ ସେଦିନ ତିନି ଶାବକ ଜନ୍ମ ନେଇଥିଲେ। ଏହା ଥିଲା ରାଧାର ତୃତୀୟ ଗର୍ଭ। ମାତ୍ର ମା’ ରାଧା ନବଜାତ ୩ଛୁଆଙ୍କ ଯତ୍ନ ନେଲାନାହିଁ। ସେମାନଙ୍କୁ ଦୁଧ ପିଆଇଲାନାହିଁ। ତେଣୁ ତୁରନ୍ତ ନନ୍ଦନକାନନ କର୍ତ୍ତୃପକ୍ଷ ଛୁଆମାନଙ୍କୁ ଅଲଗା କରି ଚିକିତ୍ସ‌ାକେନ୍ଦ୍ରରେ ଯତ୍ନ ନେଲେ। କିନ୍ତୁ ମା’ ଯତ୍ନରୁ ବଞ୍ଚିତ ବର୍ଷାର ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଗଲା। ଏକାକୀ ରହିଗଲା ବର୍ଷା।

ସେତେବେଳେ ତା’ର ଆଖି ଫିଟି ନଥିଲା। ତାକୁ ବଞ୍ଚାଇ ରଖିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଲାଗିପଡ଼ିଲେ। ଆଶୁଚିକିତ୍ସା କେନ୍ଦ୍ରରେ ପ୍ରଶାନ୍ତଙ୍କ ସେବାଯତ୍ନରେ ରହିଲା ବର୍ଷା। ସେହିଦିନରୁ ଦୁଧ ପିଆଇବାଠାରୁ ଆରମ୍ଭ କରି ସବୁପ୍ରକାର ଯତ୍ନ ନେଉଛନ୍ତି ପ୍ରଶାନ୍ତ। ଏବେ ତା’ର ଖାଦ୍ୟରେ ପରିବର୍ତ୍ତନ କରାଯାଇଛି। ମଧ୍ୟାହ୍ନରେ ତାକୁ ୨୫୦ ଗ୍ରାମ୍‌ ଚିକେନ୍‌ ଗୁଣ୍ଡ ଓ ସନ୍ଧ୍ୟାରେ ହାଡ଼ ଲଗା ମଇଁଷି ମାଂସ ଖାଇବାକୁ ଦିଆଯାଉଛି। ଏବେ ତାକୁ ଆଶୁଚିକିତ୍ସା‌ କେନ୍ଦ୍ରରୁ ଆଣି ୧୮ ନମ୍ବର ଖୁଆଡ଼ ପଛ କକ୍ଷରେ ରଖାଯାଉଛି। ଥିଲା। ଦିନ ବେଳା ଖେଳିବାକୁ ତାକୁ ୧୮ ନମ୍ବର ଖୁଆଡ଼କୁ ଛଡ଼ାଯାଉଛି ଓ ସନ୍ଧ୍ୟାରେ ଫେରାଇ ନିଆଯାଉଛି। ଧୀରେଧୀରେ ତାକୁ ଖୁଆଡ଼ରେ ରହିବା ଅଭ୍ୟାସ କରାଯାଉଛି। ତେବେ ବହୁ ସମୟରେ ତା ସହିତ ପ୍ରଶାନ୍ତଙ୍କ ସହ ଖେଳୁଥିବା‌ ଦେଖିବାକୁ ମିଳୁଛି। ଅବଶ୍ୟ ପ୍ରଶାନ୍ତଙ୍କ ଛଡ଼ା ଜନ୍ତୁରକ୍ଷକ ସୁନିଲ୍‌, ଲକ୍ଷ୍ମଣ, ହରେକୃଷ୍ଣ ଓ ପ୍ରଦୀପ ମଧ୍ୟ ବର୍ଷାର ପ୍ରିୟ ହୋଇପାରିଛନ୍ତି।

ମା’ ଥାଇ ବି ବର୍ଷା ମା’ଛେଉଣ୍ଡ। ମା’ ରାଧାର ତୃତୀୟ ଗର୍ଭରୁ ଜନ୍ମ ନେଇଛି ବର୍ଷା। ଜନ୍ମରୁ ତାକୁ କୋଳରେ ପୂରାଇ ଦେଇନି ରାଧା। ତେବେ ମା’ ରାଧାର ଆଚରଣ ନୂଆ ନୁହେଁ। ଆଗରୁ ସେ ଏମିତି ଦୁଇଦୁଇ ଥର କରିଛି। ରାଧାର ପ୍ରଥମ ଗର୍ଭରୁ ଜନ୍ମ ନେଇଥିଲେ ୪ ଛୁଆ। ସେତେବେଳେ ବି ରାଧା ସେମିତି ଛୁଆମାନଙ୍କୁ କୋଳରେ ପୂରାଇ ନଥିଲା। ତେଣୁ ୪ଛୁଆଙ୍କୁ ପ୍ରାଣୀଚିକିତ୍ସା କେନ୍ଦ୍ରରେ ରଖି ଯତ୍ନ ନିଆଯାଇଥିଲା। ମାତ୍ର ସେଥର କେବଳ ସିଂହୀ କଳ୍ପନାକୁ ଛାଡ଼ି ବାକି ୩ ଛୁଆ ଆଖି ବୁଜିଦେଇଥିଲେ। ରାଧାର ଦ୍ବିତୀୟ ଗର୍ଭରୁ ଜନ୍ମ ନେଇଥିଲେ ୩ ଛୁଆ। କେବଳ ସିଂହ ଜିତ୍‌କୁ ଛାଡ଼ି ଅନ୍ୟ ୨ ଛୁଆ ମରିଯାଇଥିଲେ। ଏଥର ବି ରାଧା ସେମିତି କରିଛି। ବର୍ଷା ବଞ୍ଚିଛି ପ୍ରଶାନ୍ତଙ୍କ କୋଳରେ।

ସମ୍ବନ୍ଧିତ ଖବର