ଭୁବନେଶ୍ୱର: ନିକୋ ପାର୍କକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବାକୁ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ପ୍ରାୟ ୨୦୦ କୋଟି ଟଙ୍କାରେ ନିକୋ ପାର୍କ, ୧୦ ନମ୍ବର ନାଳ ଓ ଆଖପାଖ ଅଞ୍ଚଳର ୩୨୬୦ ହେକ୍ଟର୍‌ ଜାଗାର ପୁନଃବିକାଶ କରିବାକୁ ଯୋଜନା କରାଯାଇଛି। ନିକଟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହାର ସମୀକ୍ଷା କରିଛନ୍ତି। ଏହି ପୁନଃବିକାଶ ପୂର୍ବରୁ ଘରୋଇ ଭାଗିଦାରୀରୁ ନିକୋ ପାର୍କକୁ ମୁକ୍ତ କରିବାକୁ ଯୋଜନା ହୋଇଛି। ଏଥିପାଇଁ କସରତ ଚଳାଇଛି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ଅଂଶଧନର ଚାଲିଛି ହିସାବନିକାସ। କାହାର କେତେ ଅଂଶଧନ ଥିଲା, କିଏ କେତେ ଟଙ୍କା ପାଇବ, ସବୁର ହିସାବ କରି ଅଂଶଧନ କଳି ତୁଟାଇବା ପରେ ନିଜେ ବିଡିଏ, ନିକୋ ପାର୍କର ପୂର୍ଣ୍ଣ ପରିଚାଳନା ଦାୟିତ୍ବ ମୁଣ୍ଡାଇବ ବୋଲି ଜଣାପଡ଼ିଛି।

Advertisment

ନିକୋ ପାର୍କ ପରିଚାଳନା ପାଇଁ ୧୯୯୬ ମସିହାରେ ବିଡିଏ ସହ ନିକୋ ଗ୍ରୁପ୍‌ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଯେଉଁଥିରେ ନିକୋ ଗ୍ରୁପ୍‌ର ୫୧ ପ୍ରତିଶତ ଓ ବିଡିଏର ୪୯ ପ୍ରତିଶତ ଅଂଶଧନ ଥିଲା। ୧୯୯୭ ମସିହାରେ ପାର୍କର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସଚିବାଳୟ ମାର୍ଗକୁ ଲାଗି ୧୦ ନମ୍ବର ପ୍ରାକୃତିକ ନାଳ କଡ଼ରେ ପ୍ରାୟ ୨୪ ଏକର ଜାଗାରେ ଏହି ପାର୍କ ନିର୍ମାଣ କରାଯାଇଥିଲା। ବୋଟିଂ ସୁବିଧା ସହ ହଣ୍ଟିଂ ହାଉସ୍, ମ୍ୟୁଜିକାଲ୍ ଫାଉଣ୍ଟେନ୍, ସିନେମାଟ୍ରିକ୍‌ ହଲ୍, ଉଭୟ ଶିଶୁ ଓ ବୟସ୍କଙ୍କ ପାଇଁ ୧୨ଟି ଆମୋଦଦାୟକ ବ୍ୟବସ୍ଥା ହୋଇଥିଲା। ସେତେବେଳେ ଏହା ସହରର ପ୍ରମୁଖ ଆକର୍ଷଣ ଥିଲା। ୧୯୯୮ ମସିହାରେ ବିଡିଏ ଓ ନିକୋ ଗ୍ରୁପ୍‌ ମିଳିତ ଭାବେ ପାର୍କର ବ୍ୟବସାୟିକ ପରିଚାଳନା ଆରମ୍ଭ କରିଥିଲେ। ମାତ୍ର ବର୍ଷକ ପରେ ଅର୍ଥାତ୍ ୧୯୯୯ ମହାବାତ୍ୟାରେ ଏହା ଛାରଖାର ହୋଇଯାଇଥିଲା। ନିକୋ ଗ୍ରୁପ୍‌ ଇପିକଲ୍‌ରୁ ଋଣ ଆଣି ପୁନରୁଦ୍ଧାର କାର୍ଯ୍ୟ କରିଥିଲେ ବି ବିଭିନ୍ନ କାରଣରୁ ପାର୍କ ସେତେ ଲାଭ ଦେଇନଥିଲା।

ଅଂଶଧନ ଅଡ଼ୁଆ ତୁଟାଇବାକୁ ଚାଲିଛି କସରତ
ଆରମ୍ଭରୁ ବିଡିଏ ଅଂଶଧନ ଥିଲା ୪୯%, ନିକୋର ୫୧%
ପୁନରୁଦ୍ଧାର ପରେ ବିଡିଏ କରିବ ପରିଚାଳନା

ଫଳରେ ପାର୍କର ରକ୍ଷଣାବେକ୍ଷଣକୁ ସଂପୂର୍ଣ୍ଣ ଅଣଦେଖା କରି ଦେଇଥିଲା ନିକୋ ଗ୍ରୁପ୍‌। ଅସଜଡ଼ା ପାର୍କ ଦେଖି ପର୍ଯ୍ୟଟକ ବି ମୁହଁ ଫେରାଇଥିଲେ। ୬ ବର୍ଷ ପରେ ଅର୍ଥାତ୍ ୨୦୦୭ ମସିହାରେ ବିଡିଏ ଭୁବନେଶ୍ବରର ଘରୋଇ ସଂସ୍ଥା ସନ୍ ଟେକ୍ ସିଟି ପ୍ରାଇଭେଟ୍ ଲିମିଟେଡ୍‌କୁ ଏହାର ପରିଚାଳନା ଦାୟିତ୍ବ ଦେଇଥିଲା। ନିକୋ ଗ୍ରୁପ୍‌ ଅଂଶଧନକୁ ଗୌଣ କରି ଏହାର ସିଂହଭାଗ ଅଂଶଧନ ସନ୍ ଟେକ୍‌କୁ ଦିଆଯାଇଥିଲା। ସେବେଠୁ ‘ନିକୋ ପାର୍କ’ ନାମ ‘ବିଡିଏ ସିଟି ସେଣ୍ଟର୍‌’ ହୋଇଛି। କିନ୍ତୁ ପରେ ୧୦ ନମ୍ବର ନାଳରେ ସହରର ବର୍ଜ୍ୟଜଳ ମିଶିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ବୋଟିଂ ପାଇଁ ଥିବା ପୋଖରୀ ନାଳପାଣିରେ ବିଷାକ୍ତ ହୋଇଯାଇଥିଲା। ଜବରଦଖଲ ସହ ଅନ୍ୟାନ୍ୟ ଅବ୍ୟବସ୍ଥା ପାର୍କ ପରିଚାଳନାରେ ପ୍ରତିବନ୍ଧକ ସାଜିଥିଲା। ରକ୍ଷଣାବେକ୍ଷଣ ଅବହେଳାରୁ ଅମୋଦ ଉପକରଣ ବି ଭାଙ୍ଗିଯାଇଥିଲା। ପର୍ଯ୍ୟଟକ ଆସିବାକୁ ମନ ବଳାଇନଥିଲେ।  ଯାହା କିଛି ଭିତ୍ତିଭୂମି ଥିଲା, ୨୦୧୯ରେ ପ୍ରଳୟଙ୍କରୀ ଫନି ବାତ୍ୟା ସବୁକୁ ଉଜାଡ଼ି ଦେଇଥିଲା। ସେବେଠୁ ନିକୋ ପାର୍କରେ ଅଚଳାବସ୍ଥା ଲାଗି ରହିଛି।

ପୁଣିଥରେ ନିକୋ ପାର୍କକୁ ଦେଶ ବିଦେଶର ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାକୁ ନକ୍ସା ଆଙ୍କିଛନ୍ତି ସରକାର। ଯେଉଁଠି ଅବସର ବିନୋଦନର ଅତ୍ୟାଧୁନିକ ସୁବିଧା ସାଙ୍ଗକୁ ଆୟୁର୍ବେଦିକ୍ ପାର୍କ, ଉନ୍ନତ ଲାଇଟିଂ, ସାଇକେଲିଂ ଟ୍ରାକ୍, ଖାଦ୍ୟପେୟ ଆଦିର ସୁବିଧା ରହିବ। ପୂର୍ବାପେକ୍ଷା ଆହୁରି ବଡ଼ ସ୍ବେରେଜ୍ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ବସିବ। ବିଡିଏ ଉପରେ ଏହାର ପୂର୍ଣ୍ଣ ବିକାଶ ଦାୟିତ୍ବ ନ୍ୟସ୍ତ କରାଯାଇଛି। ବିଡିଏର ଜଣେ ଅଧିକାରୀ କହିଛନ୍ତି, ବିକାଶ ପୂର୍ବରୁ ନିକୋ ପାର୍କ ସହ ଜଡ଼ିତ ସବୁ ଘରୋଇ ସଂସ୍ଥାକୁ ବାହାର କରିବାକୁ ଯୋଜନା କରାଯାଇଛି। କେଉଁ ଘରୋଇ ସଂସ୍ଥାର କେତେ ଅଂଶଧନ ରହିଛି, ତାର କାଗଜପତ୍ର ବିଡିଏ ଅନୁଧ୍ୟାନ କରୁଛି । ସଂପୃକ୍ତ ଘରୋଇ କମ୍ପାନି ସହ ବି ଆଲୋଚନା ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ନିକୋ ଗ୍ରୁପ୍‌କୁ ଅଲଗା କରିବାକୁ ଯୋଜନା ରହିଛି। ମିଳିଥିବା କାଗଜପତ୍ରର ତର୍ଜମା ଚାଲିଛି ଏବଂ ଶୀଘ୍ର ଅଂଶଧନ କଳି ତୁଟିଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।