ନାଇଜରର ସ୍ନାତକ ସମାରୋହ

ଭୁବନେଶ୍ବର/ଜଟଣୀ: ଜଟଣୀସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ନାଇଜର୍‌)ର ଏକାଦଶ ସ୍ନାତକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚେନ୍ନାଇସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ମାଥ୍‌ମେଟିକାଲ୍ ସାଇନ୍ସର ନିର୍ଦ୍ଦେଶକ ପ୍ରଫେସର ଭି. ରବୀନ୍ଦ୍ରନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଜର୍ ତିରୁପତିର ନିର୍ଦ୍ଦେଶକ ପ୍ରଫେସର କେ. ଏନ୍‌. ଗଣେଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାଣକ୍ୟ, ପାଣିନି, ଆର୍ଯ୍ୟଭଟ୍ଟ ଓ ଶ୍ରୀନିବାସ ରାମାନୁଜନଙ୍କ ମାନବ ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ୧୩୪ ଜଣ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି, ୨୯ଜଣ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା। ଉତ୍କୃଷ୍ଟ ଏକାଡେମିକ୍ ଅବଦାନ ପାଇଁ ସୁରିତ୍ର ବନ୍ଦୋପାଧ୍ୟାୟଙ୍କୁ ସ୍ୱର୍ଣ୍ଣପଦକ ଏବଂ ମିସ୍ ରିତ୍ୱିକା ମଜୁମଦାରଙ୍କୁ ଇଣ୍ଟିଗ୍ରେଟେଡ୍ ଏମ୍ଏସ୍‌ସି- ପିଏଚ୍‌ଡି ପାଠ୍ୟକ୍ରମରେ ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା।

ଏକାଡେମିକ୍ କାଉନସିଲ୍ ଚେୟାରମ୍ୟାନ୍‌ ତଥା ନାଇଜର୍‌ର ନିର୍ଦ୍ଦେଶକ ପ୍ରଫେସର୍‌ ସୁଧାକର ପଣ୍ଡା, କୁଳସଚିବ ଅଭୟ ନାୟକ ସଫଳ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରିଥିଲେ। ଶପଥ ଦେବା ସମୟରେ ପ୍ରଫେସର ପଣ୍ଡା କହିଥିଲେ ଯେ ଅନୁଷ୍ଠାନରୁ ପ୍ରାପ୍ତ ଜ୍ଞାନକୌଶଳକୁ ଛାତ୍ରଛାତ୍ରୀ ଦେଶର ହିତ ପାଇଁ ଲଗାଇବା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଗବେଷଣା ଉପରେ ପ୍ରାଧାନ୍ୟ ଦେଇ ବିଦେଶ ତଥା ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ଯୋଗଦେବା ଲାଗି ଆମନ୍ତ୍ରଣପତ୍ର ପାଇଛନ୍ତି। ଯେଉଁ ଛାତ୍ରଛାତ୍ରୀ ଅନୁଷ୍ଠାନରୁ ପିଏଚ୍‌ଡି ଡିଗ୍ରି ପାଇଛନ୍ତି, ସେମାନେ ଆମେରିକା, ଜର୍ମାନୀ, ଜାପାନ, ସୁଇଜରଲ୍ୟାଣ୍ଡ, ଇଂଲଣ୍ଡ, ଫ୍ରାନ୍ସ ପରି ଦେଶରେ ଉଚ୍ଚ ଗବେଷଣା ପାଇଁ ଆମନ୍ତ୍ରଣ ପାଇଛନ୍ତି ବୋଲି ଏକାଡେମିକ୍ କାଉନସିଲ ଡିନ୍ ପ୍ରଣୟ ସ୍ୱାଇଁ ସୂଚନା ଦେଇଥିଲେ। କରୋନା ସମୟରେ ବହୁ ବାଧାବିଘ୍ନ ଭିତରେ ମଧ୍ୟ ନାଇଜର୍‌ ତାହାର ଶିକ୍ଷା ଓ ଗବେଷଣାକୁ ବଜାୟ ରଖି ଅନେକ ସଫଳତା ହାସଲ କରିଛି। ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ନାଇଜର ସଫଳତାର ପତାକାକୁ ସାରା ବିଶ୍ୱରେ ଉଡ଼ାଇବାର କ୍ଷମତା ଅର୍ଜନ କରିଛନ୍ତି ବୋଲି କୁଳସଚିବ ଶ୍ରୀ ନାୟକ କହିଥିଲେ।

ସମ୍ବନ୍ଧିତ ଖବର