ରାତିର ରାଜଧାନୀ : ମୁକୁଳା ରାଜପଥ, ହୁଗୁଳା ପାଟ୍ରୋଲିଂ

ସୂର୍ଯ୍ୟ ଉଇଁବା ପୂର୍ବରୁ ସହର ହୋଇଯା‌ଏ ଚଳଚଞ୍ଚଳ। ମର୍ଣ୍ଣିଂୱାକ୍‌ରୁ ଆରମ୍ଭ ହୋଇଥିବା‌ ଧାଁ ଦଉଡ଼ ଦିନ ସାରା ଲାଗି ରହେ। ଦେଖିଲେ ଲାଗେ ଯେମିତି ସହର ଦୌଡ଼ୁଛି। କାହାକୁ ଫୁର୍‌ସତ ନ ଥାଏ। ‌ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ସହରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସବୁଠି କୋଳା‌ହଳ। ସନ୍ଧ୍ୟାରେ ପାର୍କ, ମାର୍କେଟ୍‌ରେ ଲାଗି ରହେ ଅସମ୍ଭାଳ ଭିଡ଼। ରାତି ୯ଟା ପରେ କିନ୍ତୁ ଧୀରେଧୀ‌େର ଶାନ୍ତ ହେବା ଆରମ୍ଭ କରେ ସହର। ଘରମୁହାଁ ହୁଅନ୍ତି ସହରବାସୀ। ଆଉ ମଧ୍ୟ ରାତ୍ରି ବେଳକୁ ସହରର ଚେହେରା ବଦଳିଯାଏ। କୋଳାହଳମୟ ସହର ପାଲଟିଯାଏ ନିରବ ଓ ନିସ୍ତବ୍ଧ। ଏମିତି ଏକ ମଧ୍ୟରାତ୍ରିରେ ‘ସମ୍ବାଦ’ ଲେନ୍‌ସ୍‌ରେ ରାଜଧାନୀ…

ଦିନ ଦ୍ବିପ୍ରହରରେ ରାଜଧାନୀରେ ଛିନ୍‌ତାଇ ହେଉଛି। ବ୍ୟାଙ୍କ ଡକାୟତି ହେଉଛି। ରାସ୍ତା ମଝିରେ ମୁଣ୍ଡଗଣ୍ଡି ଅଲଗା ହୋଇଯାଉଛି। ପୁଲିସ ଅପରାଧୀଙ୍କ ଟେର୍‌ ପାଇଲା ବେଳକୁ ସେମାନେ ଜିଲ୍ଲା ପାର୍‌ ହୋଇଯାଉଛନ୍ତି। ସେହି ସହରରେ ରାତିରେ ରାଜଧାନୀ କେତେ ସୁରକ୍ଷିତ? କମିସନରେଟ୍‌ ପୁଲିସର ଢିଲା ବ୍ୟବସ୍ଥା ରାଜଧାନୀବାସୀଙ୍କୁ ଅସୁରକ୍ଷିତ କରିଦେଇଛି। ପୂରା ମୁକୁଳା ସହରରେ ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ ବା କେହି ରାତି ଅଧରେ କିଛି ବି‌େସ୍ଫାରଣ କରି ପଳାଇବ, ତେବେ ତାଙ୍କୁ ଧରିବା ବ୍ୟବସ୍ଥା କମିସନରେଟ୍‌ ପୁଲିସ୍‌ ପାଖରେ ନାହିଁ। ଚାରିକଡ଼ୁ ମୁକୁଳା ପଡ଼ିଥିବା ଏହି ରାଜଧାନୀରେ କିଏ କେଉଁଠି ପଶୁଛି, କେମିତି ବାହାରୁଛି ତାହା ଉପରେ କାହା ନଜର ରହୁନି। ସିସିଟିଭି ଲାଗିଛି ହେଲେ ଏଥିରେ ଅପରାଧୀଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ସହଜ ହେଉନି। ରାଜଧାନୀର ପ୍ରବେଶ ଓ ପ୍ରସ୍ଥାନ ପଥରେ ତୁରନ୍ତ ନାକାବନ୍ଦୀ କରିବା ଭଳି ବ୍ୟବସ୍ଥା ବି ନାହିଁ। ହଠାତ୍‌ ପୂରା ସହରକୁ ସତର୍କ କରିବା ଭଳି ବ୍ୟବସ୍ଥା ନାହିଁ, ପୂରା ରାଜଧାନୀ ଉପରେ ନଜର ରଖିବାକୁ ଭିତ୍ତିଭୂମି ନାହିଁ। ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‌ଟିଏ ଆଜି ପର୍ଯ୍ୟନ୍ତ ହୋଇପାରିଲାନି। ରାଜଧାନୀର ସ୍ଥିତି ଯାହା ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଯଦି ଏଠାରେ କୌଣସି ଆତଙ୍କବାଦୀ ସଂଗଠନ ଆକ୍ରମଣ କରନ୍ତି ତେବେ….। ରାଜଧାନୀରେ ରାତିର ସୁରକ୍ଷା ବ୍ୟବସ୍ଥା, ପୁଲିସ ପାଟ୍ରୋଲିଂ ତାହାକୁ ଅନୁଧ୍ୟାନ କରିବାକୁ ସମ୍ବାଦର ଦୁଇଟି ଟିମ୍‌ ରବିବାର ମଧ୍ୟରାତ୍ରିରେ ସହର ବୁଲିଥିଲେ। ସେମାନେ ଯାହା ଦେଖିଲେ ତାହାକୁ ନେଇ ଉପସ୍ଥାପନା…

ଭୁବନେଶ୍ୱର : ରାତି ୧୨ଟା ୩୦ ମିନିଟ୍‌। ଆମର ଗୋଟିଏ ଟିମ୍‌ ପହଞ୍ଚିଥିଲା ହାଇଟେକ୍ ମେଡିକାଲ ଛକରେ। ଏହି ପ୍ରବେଶ ପଥ ସଂପୂର୍ଣ୍ଣ ମୁକୁଳା ପଡ଼ିଥିଲା। ଏହା ପରେ ଭୁବନେଶ୍ବର-ପୁରୀ ବାଇପାସ୍ ଅଭିମୁଖେ ବାହାରିଥିଲୁ। କେଶୁରା ଛକ‌ ପୂରା ଅନ୍ଧାର ରହିଥିଲା। ନା ଥିଲା ସିଗନାଲ୍ ଲାଇଟ୍ ନା ଥିଲା କୌଣସି ଆଲୋକ ବ୍ୟବସ୍ଥା, କେବଳ ବାରିକେଡ୍ ପଡ଼ି ରହିଥିଲା। ଏହା ପରେ ପୁଣି ଆଗକୁ ବଢ଼ିଥିଲୁ, କିଛି ବାଟ ଯିବା ପରେ ପିସିଆର୍‌-୨୯କୁ ଏକ ଅନ୍ଧାରୁଆ ରାସ୍ତାରେ ଦେଖିବାକୁ ପାଇଲୁ। ଜଣେ ମଦ୍ୟପ ବ୍ୟକ୍ତି ରାସ୍ତାକଡ଼ରେ ପଡ଼ିଥିବା ବେଳେ ପିସିଆର ଭ୍ୟାନ୍ ତାଙ୍କୁ ଉଦ୍ଧାର କରି ସେ ରହୁଥିବା ସ୍ଥାନରେ ଛାଡ଼ିଥିଲା। କିଛି ବାଟ ଯିବା ପରେ ଆସିଥିଲା ଗୁରୁତ୍ବପୂର୍ଣ୍ଣ ଟଙ୍କପାଣି ସାଇମନ୍ଦିର ଛକ। ସେହି ଛକରେ ଏକ ହାଇମାଷ୍ଟ ଲାଇଟ୍ ଦେଖିବାକୁ ମିଳିଥିଲା। ବାଲି ବୋଝେଇ ଗାଡ଼ି ଅନବରତ ଚାଲିଥିବା ବେଳେ ଜଣେ ହେଲେ ପୁଲିସ କର୍ମଚାରୀଙ୍କ ଉପସ୍ଥିତି ନ ଥିଲା।

ସେଠାରୁ ସିଧା ଯାଇ ପହଞ୍ଚିଥିଲୁ ଲିଙ୍ଗିପୁର ଛକରେ। ପୁରୀ ପଟୁ ଆସିଥିବା ଏହି ପ୍ରବେଶପଥ ପୂରା ଖୋଲାମେଲା ଥିଲା। ଏହି ଛକ ପୂରା ଅନ୍ଧାର ରହିଥିଲା, କିଛି ମଦ୍ୟପ ସେଠାରେ ଚକ୍କର୍‌ କାଟୁଥିଲେ। ପଳାଶୁଣୀରୁ ପୁରୀ ବାଇପାସ୍ ପୂରା ୧୧ କିଲୋମିଟର ରାସ୍ତାରେ କେବଳ ଅନ୍ଧାର ରାଜୁତି କରୁଥିଲା। ସେଠାରୁ ରବି ଟକିଜ୍‌ ଓ କଳ୍ପନା ଛକ ଦେଇ ଆମ ଟିମ୍‌ ପହଞ୍ଚିଥିଲା ଭୁବନେଶ୍ୱରର କେନ୍ଦ୍ରସ୍ଥଳ ରାଜମହଲ ଛକରେ। ସେଠାରେ ମଧ୍ୟ ପରିସ୍ଥିତି ଅନୁରୂପ ଥିଲା। ସହର ଭିତର ହୋଇଥିବାରୁ ଲାଇଟ୍‌ ଜଳୁଥିଲେ ମଧ୍ୟ ପୁଲିସ୍‌ କିମ୍ବା ପାଟ୍ରୋଲିଂ ଭ୍ୟାନ୍‌ର ଦେଖାନଥିଲା। ସେଠାରୁ ଜନପଥ ଦେଇ ସତ୍ୟନଗର ଛକରେ ପହଞ୍ଚିଥିଲୁ। ଏହି ରାସ୍ତାରେ ରେଳଷ୍ଟେସନ୍‌, ଲୋକସେବା ଭବନ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଥିଲେ ହେଁ ସୁରକ୍ଷା ବ୍ୟବସ୍ଥା ଭଗବାନଙ୍କ ଭରସାରେ ଛାଡ଼ି ଦିଆଯାଇଥିବା ଭଳି ଅନୁଭୂତ ହୋଇଥିଲା। ସତ୍ୟନଗର-ଝାରପଡ଼ା ଓଭରବ୍ରିଜ୍ ରାସ୍ତା‌ରେ ବି ଅନ୍ଧାର ରାଜୁତି କରୁଥିଲା। ସେଠାରୁ ରସୁଲଗଡ଼କୁ ଫେରିବା ସମୟରେ ବମିଖାଲ ଓଭରବ୍ରିଜ୍ ଉପରେ ପିସିଆର ଭ୍ୟାନ୍ ନମ୍ବର-୪ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ସେହିପରି ‘ସମ୍ବାଦ’ର ଆଉ ଗୋଟିଏ ଟିମ୍‌ ରାତି ପ୍ରାୟ ୧୨ଟା ୫ରେ ପହଞ୍ଚିଥିଲା ରାଜଧାନୀର ଅନ୍ୟତମ ପ୍ରବେଶ ପଥ ନନ୍ଦନକାନନ ଛକରେ। ସେଠାରେ ପୁଲିସର ନାକା ନ ଥିଲା କି ପାଟ୍ରୋଲିଂ ମଧ୍ୟ ଦେଖିବାକୁ ମିଳି ନ ଥିଲା। ସେଠାରୁ ଫେରିବା ବାଟରେ ଇନ୍‌ଫୋସିଟି ଛକରେ ସମୟ ହୋଇଥିଲା ରାତି ୧୨ଟା ୧୫। ରେସ୍ତୋରାଁ ଖୋଲା ଥିଲା, ବାହାରେ ୮ରୁ ୧୦ ଦାମୀ କାର୍‌ ଲାଗିଥିଲା। ତିନିଟି ପିସିଆର ଭ୍ୟାନ୍ ରେସ୍ତୋରାଁ ଆଗରେ ଛିଡ଼ା ହୋଇଥିଲା ଓ ଲୋକ ଖାଇପିଇ ବାହାରୁଥିଲେ। ଭିତରେ କୌଣସି ଏକ ପାର୍ଟି ଚାଲୁଥିବା ଜଣାପଡ଼ିଥିଲା। ସେଠାରୁ ଫେରିବା ବାଟରେ ଡମଣା ଛକରେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ପାଇଥିଲୁ। ଏହା ପରେ ଜୟଦେବବିହାର ଦେଇ ସିଧା ପହଞ୍ଚିଥିଲୁ ଖଣ୍ଡଗିରି ଛକରେ। ସେଠାରେ ମଧ୍ୟ ସମାନ ଅବସ୍ଥା। ପୂରା ମୁକୁଳା, ଚାରିଆଡ଼େ ଖୋଲାମେଲା। ପ୍ରବେଶ ପଥରେ ଯେ କେହି ବିନା ବାଧାବିଘ୍ନ‌ରେ ପଶି ପାରିବା ଭଳି ପରିସ୍ଥିତି ଥିଲା। କୌଣସି ଅପରାଧ ଘଟାଇବା ପରେ ସିଧା ବାହାରି ଫେରାର ହେବାରେ କୌଣସି ଅସୁବିଧା ନାହିଁ।

ସେଠାରୁ ଶିରିପୁର, ରାଜଭବନ, ପାଵାର ହାଉସ ଛକ ଦେଇ ଜୟଦେବିହାର ଯିବା ସମୟରେ ଶାସ୍ତ୍ରୀନଗର ଛକରେ ଏକ ପିସିଆର ଭ୍ୟାନ୍ ଉପରେ ଆମର ନଜର ପଡ଼ିଥିଲା। ଭ୍ୟାନ୍‌ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିଲା। ସେଠାରୁ ବାହାରି ଜୟଦେବବିହାର ଦେଇ ରସୁଲଗଡ଼ ଯିବା ସମୟରେ ଆଚାର୍ଯ୍ୟବିହାର ଛକ ନିକଟରେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ରାସ୍ତା ଉପରେ ଡ୍ୟୁଟି କରୁଥିଲେ। ଏହି ଅପରେସନ୍‌ ସମୟରେ ପୁଲିସ କୌଣସି ସ୍ଥାନରେ ପାଟ୍ରୋଲିଂ କରୁଥିବା ଆମ ନଜରକୁ ଆସି ନ ଥିଲା।

ସମ୍ବନ୍ଧିତ ଖବର