କଟକଣା ସତ୍ତ୍ବେ ରାଜଧାନୀବାସୀ ବିନ୍ଦାସ୍: ରାତିରେ ଖାଁ ଖାଁ; ଦିନରେ ହାଉଜାଉ

ରାତି କର୍ଫ୍ୟୁ ବେଳେ ଅମାନିଆଙ୍କ ସଂଖ୍ୟା କମିଛି
୮୦୨ ଜଣଙ୍କଠାରୁ ୧ ଲକ୍ଷ ୬୩ ହଜାର ଜରିମାନା ଆଦାୟ
କଟକଣା ନ ମାନିଲେ ଦୋକାନ ସିଲ୍ ହେବ: ଡିସିପି

ଭୁବନେଶ୍ବର : ଶନିବାର ରାତିରୁ ରାଜଧାନୀରେ ‘ନାଇଟ୍‌ କର୍ଫ୍ୟୁ’ ଜାରି ହେବା ସହ କମିସନରେଟ୍‌ ପୁଲିସ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିଛି। ୧୪୪ ଧାରା ଜାରି ହେବା ସହ ରାତି ୯ଟା ପରେ ଜରୁରୀକାଳୀନ ସେବା ବ୍ୟତୀତ ଆଉ କାହାକୁ ଯାତାୟାତ ପାଇଁ ଅନୁମତି ଦିଆଯାଉ ନାହିଁ। ତେବେ ନାଇଟ୍‌ କର୍ଫ୍ୟୁ ବେଳେ ରାସ୍ତାଘାଟରେ ଲୋକଙ୍କ ଚଳପ୍ରଚଳ କମିଥିଲେ ମଧ୍ୟ ଦିନବେଳେ ଏବଂ ସନ୍ଧ୍ୟା ସମୟରେ ହାଟବଜାରଠୁ ନେଇ ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଲୋକଙ୍କ ପ୍ରବଳ ଗହଳି ହେଉଛି। ଆଜି ରବିବାର ହୋଇଥିବା ସତ୍ତ୍ବେ ହାଟଠୁ ନେଇ ମଲ୍‌ ଯାଏ, ସବୁଠି ଲୋକେ ଅବା‌ଧରେ ଏବଂ ଅଚିନ୍ତାରେ ବୁଲାବୁଲି ଓ କିଣାକିଣି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅଧିକାଂଶ ଦୋକାନୀ ମାସ୍କ ପିନ୍ଧୁ ନଥିବାବେଳେ ଲୋକେ କୌଣସି ସାମାଜିକ ଦୂରତା ମାନୁନାହାନ୍ତି। ତେଣୁ ପୁଲିସ ଓ ବିଏମ୍‌ସି ପକ୍ଷରୁ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଦିନବେଳେ ଲୋକେ ଏଭଳି ଅସମ୍ଭାଳ ଭିଡ଼ ଜମାଉଥିବାରୁ କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାର ସବୁ ପ୍ରୟାସ ବିଫଳ ହେବାର ଆଶଙ୍କା ପ୍ରକାଶ ପାଇଛି।

ରାଜଧାନୀରେ ନାଇଟ୍‌ କର୍ଫ୍ୟୁ ବେଳେ ପୁଲିସ ଧରପଗଡ଼ ଓ ଜରିମାନା ଭୟରେ ରାତି ୯ଟା ପରେ ରାଜଧାନୀର ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ୧୦ ପ୍ଲାଟୁନ୍‌ ଫୋର୍ସ ସହ ୪୦ ଅଫିସରଙ୍କ ଉପରେ ଧରପଗଡ଼ ଦାୟିତ୍ବ ନ୍ୟସ୍ତ କରାଯାଇଛି। ପ୍ରଥମ ରାତିରେ ଏହି ଧରପଗଡ଼ ବେଳେ ଅମାନିଆଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ଥିବା ଜଣାପଡ଼ିଛି। ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ମୋଟ ୮୦୨ ଅମାନିଆଙ୍କଠାରୁ ୧ଲକ୍ଷ ୬୩ ହଜାର ଶହେ ଟଙ୍କା ଜରିମାନା ଆଦାୟ ହୋଇଥିବା କମିସନରେଟ୍ ପୁଲିସ ସୂଚନା ଦେଇଛି। ଗତବର୍ଷ କରୋନା ଆରମ୍ଭ ସମୟରେ ହୋଇଥିବା ନାଇଟ୍‌ କର୍ଫ୍ୟୁ ତୁଳନାରେ ରାଜଧାନୀବାସୀ ଏବେ ଅଧିକ ସଚେତନ ହୋଇଛନ୍ତି। ଫଳରେ ପୁଲିସକୁ ଅଧିକ କସରତ କରିବାକୁ ପଡ଼ୁନାହିଁ। ମାତ୍ର ରାତି ୯ଟାରୁ ଦୋକାନ ବଜାର ବନ୍ଦ ହୋଇ ଯାଉଥିବାରୁ ସନ୍ଧ୍ୟାରେ ପ୍ରବଳ ଭିଡ଼ ହେଉଥିବା ପରିଲିକ୍ଷିତ ହୋଇଛି। ଏଣୁ ଏଭଳି ମାର୍କେଟ୍‌ ସବୁକୁ ଚିହ୍ନଟ କରାଯାଇଛି। ୧ ନମ୍ବର ମାର୍କେଟ ସମେତ ମାର୍କେଟ୍‌ ବିଲ୍ଡିଂ, ୟୁନିଟ୍‌-୪, ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌, ସିଆରପି ପ୍ରିୟଦର୍ଶିନୀ ମାର୍କେଟ୍‌, ନ୍ୟୁ ଏୟାରପୋର୍ଟ ରୋଡ୍‌ ସମେତ ୩୧ଟି ଜାଗାକୁ ପୁଲିସ ଚିହ୍ନଟ କରିଛି। ଏହି ସବୁ ଜାଗାରେ ସନ୍ଧ୍ୟାରେ ସ୍ବତନ୍ତ୍ର ଡ୍ରାଇଭ୍‌ କରାଯାଉଛି। ରାସ୍ତାଘାଟ ଅପେକ୍ଷା ଏହି ସବୁ ବଜାରରୁ ସର୍ବାଧିକ ଜରିମାନା ଆଦାୟ ହୋଇଛି।

ରବିବାର ନାଇଟ୍‌ କର୍ଫ୍ୟୁ ବେଳେ ରାଜମହଲ ଛକ ଶୂନ୍‌ଶାନ୍

ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ରାତି ୯ଟା ପରେ ସେଭଳି ଭିଡ଼ ହେଉ ନାହିଁ। ରାଜଧାନୀବାସୀ ବେଶ୍‌ ସହଯୋଗ କରୁଛନ୍ତି। କିନ୍ତୁ ସନ୍ଧ୍ୟାରେ କେତେକ ଜାଗାରେ ଭିଡ଼ ହେଉଥିବା ଦେଖାଯାଉଛି। ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ସଚେତନ କରାଯାଇଛି। ସାମାଜିକ ଦୂରତା ବଜାୟ ରଖିବାକୁ ସ୍ବତନ୍ତ୍ର କର୍ମଚାରୀ ଦେଇ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହା ପରେ ମଧ୍ୟ ଚହ୍ନଟ ହୋଇଥିବା ମାର୍କେଟ୍‌ରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଘୂରି ବୁଲୁଛନ୍ତି। କଟକଣା ଉଲ୍ଲଂଘନ ପରିଲକ୍ଷିତ ହେଲେ ଜରିମାନା ଆଦାୟ ହେଉଛି। ବାରମ୍ବାର ଉଲ୍ଲଂଘନ ନେଇ ପ୍ରମାଣ ମିଳିଲେ ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍‌ କରାଯିବା ପାଇଁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର