ଆଜି ରାତି ୯ଟାରୁ ଟ୍ବିନ୍‌ସିଟିରେ କର୍ଫ୍ୟୁ, କଟକଣା ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ: କମିସନରେଟ ପୁଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଓ କଟକରେ ଆଜି ରାତି ୯ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ। ଏହା ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। କର୍ଫ୍ୟୁ ସମୟରେ ୧୪୪ ଧାରା ବଳବତ୍ତର ରହିବ। ୧୪୪ ଧାରା ଲାଗୁ ନେଇ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। କର୍ଫ୍ୟୁ ସମୟରେ ଲୋକଙ୍କର ଯାତାୟତ ଉପରେ ‌ପୁଲିସର ନଜର ରହିବ। ଜରୁରୀ ସେବା ପ୍ରଦାନକାରୀଙ୍କ ପାଇଁ କଟକଣା କୋହଳ ରହିବ। କିନ୍ତୁ ଜରୁରୀ‌ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜ ସଂସ୍ଥାନ ଦ୍ବାରା ଜାରି ହୋଇଥିବା ପରିଚୟ ପତ୍ର ‌ପୁଲିସକୁ ଦେଖାଇବାକୁ ପଡ଼ିବ।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ଲୋକେ କର୍ଫ୍ୟୁକୁ ମାନିିବା ଉଚିତ। ରାତିରେ ୧୦ ପ୍ଲାଟୁନ ପୁଲିସ ମୁତୟନ ହେବେ। କଟକଣା ନମାନିଲେ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ୬୦ରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀ କର୍ଫ୍ୟୁ ସମୟରେ ଡ୍ୟୁଟି କରିବେ। ଭୁବନେଶ୍ବରରେ ୨୫ଟି କଟକଣା ପଏଣ୍ଟ ଚିହ୍ନଟ କରାଯାଇଛି। କର୍ଫ୍ୟୁ ପାଇଁ କୌଣସି ନିଦ୍ଧିଷ୍ଟ ପାସ୍ ଦେଖାଇବାକୁ ପଡିବନି । କର୍ଫ୍ୟୁ ସମୟରେ କମିସନରେଟ୍ ପୁଲିସର ୩୫ଟି ପାଟ୍ରୋଲିଂ ଗାଡି, ୧୫ ସୁପରଭାଇଜିଂ ଟିମ୍ ରାତି ତମାମ ଚକ୍କର କାଟିବ ବୋଲି ପୁଲିସ କମିସନର କହିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ସମୟରେ କେଉଁମାନେ ଚଳପ୍ରଚଳ କରିପାରିବେ ସେନେଇ ରାଜ୍ୟ ସରକାର ପୂର୍ବରୁ ମାର୍ଗଦର୍ଶିକା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର