ରାଜଧାନୀରେ ରାତ୍ରିକାଳୀନ କର୍ଫ୍ୟୁ ପ୍ରହସନ: ରାସ୍ତାରେ ଅସାମାଜିକଙ୍କ ରାଜ୍

ମହାମାରୀ କରୋନାର ଦ୍ବିତୀୟ ଲହରରେ ସଂକ୍ରମଣ ଧୀରେଧୀରେ ତଳମୁହାଁ ହେଉଥିବାବେଳେ ଭୁବନେଶ୍ବର ସମେତ ସମଗ୍ର ରାଜ୍ୟ ସମ୍ପୂର୍ଣ୍ଣ ଅନ୍‌ଲକ୍ ଆଡ଼କୁ ଗତି କରୁଛି। ମାତ୍ର ଏବେ ବି କଟକ, ଭୁବନେଶ୍ବର ଓ ପୁରୀ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍ ଲାଗୁ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଛି। ରାଜଧାନୀରେ ଏହି ରାତ୍ରିକାଳୀନ କର୍ଫ୍ୟୁର ବା‌ସ୍ତବ ସ୍ଥିତି ପରଖିବା ପାଇଁ ‘ସମ୍ବାଦ’ର ଏକ ଟିମ୍ ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀର ପ୍ରମୁଖ ଛକ, ବସ୍‌ଷ୍ଟାଣ୍ଡ୍, ମେଡିକାଲ୍ ଛକ, ଗଳି ରାସ୍ତା, ପର୍ଯ୍ୟଟନସ୍ଥଳୀ ଆଦି ସମ୍ବେଦନଶୀଳ ଇଲାକା ବୁଲିଥିଲା। ରାତି ସାଢ଼େ ୧୨ଟାରୁ ୩ଟା ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ଘଣ୍ଟା କାଳ ବୁଲିବା ଭିତରେ ରାଜଧାନୀର ଛାତି ଉପରେ ଚଳପ୍ରଚଳ ହେଉଥିବା କିଛି ଚରିତ୍ରଙ୍କୁ ମଧ୍ୟ କ୍ୟାମେରା ଲେନ୍ସରେ କଏଦ୍ କରିଥିଲା। ରାତିର ଏମିତି କିଛି ଦୃଶ୍ୟ ଓ ଘଟଣାକୁ ନେଇ ସମ୍ବାଦର ସ୍ବତନ୍ତ୍ର ଅନୁସନ୍ଧାନ।
ରିପୋର୍ଟ: ସୁରଜ କୁମାର ମଲ୍ଲିକ, ଫଟୋ: ବିଭୂତି ସାହୁ

ମଞ୍ଚେଶ୍ବରରୁ ଏମ୍ସ ଅଣ୍ଡରପାସ୍: ୧୦ ଛକରୁ ୯ରେ ପୁଲିସର ଦେଖାନାହିଁ
ରାତି ପ୍ରାୟ ୧୨ଟା ୨୨ ବେଳକୁ ଆମେ ରସୁଲଗଡ଼ ଛକରେ ପହଞ୍ଚିବା ବେଳକୁ କେହି କୁଆଡ଼େ ନଥିଲେ। ନିଛାଟିଆ ରାସ୍ତାରେ ମଝିରେ ଗୋଟିଏ ଦୁଇଟି କାର୍‌ ଦ୍ରୁତ ଗତିରେ ଓଭରବ୍ରିଜ୍ ଉପର ଦେଇ ଚାଲି ଯାଉଥାନ୍ତି। ସମ୍ଭବତଃ ଛକରେ କିଛିଦିନ ହେବ ପୁଲିସ୍‌ର ନାକାବନ୍ଦୀ ନ ଥିବାରୁ ପୁଲିସର ଦେଖା ନ ଥିଲା। ଏହି ସମୟରେ ଜଣେ ଯୁବତୀ କାନରେ ଇୟର ଫୋନ୍ ଲଗାଇ ଚାଲିଚାଲି ପାଲାମଣ୍ଡପ ଆଡ଼େ ଯାଉଥାନ୍ତି। ସମ୍ଭବତଃ ଚାକିରି କ୍ଷେତ୍ରରୁ କାମ ସାରି ଘରକୁ ଫେରୁଥାନ୍ତି। ଯୁବତୀ ଜଣକ ଘରକୁ ଫେରୁଥିବା ସମୟରେ ବାରମ୍ବାର ଆଗପଛ ଅନାଉଥାନ୍ତି। ଆଖପାଖରେ ପୁଲିସ ନ ଥିବାରୁ ତାଙ୍କ ମନରେ ବୋଧହୁଏ ଅଜଣା ଭୟ ଘାରିଥିଲା।

ଏହା ପରେ ଆମ ଗାଡ଼ି ଗଡ଼ିଥିଲା ରାଜଧାନୀର ଅନ୍ୟତମ ସମ୍ବେଦନଶୀଳ ଅଞ୍ଚଳ ବାଣୀବିହାର ଛକ ଆଡ଼କୁ। ସେଠାରେ ମଧ୍ୟ ରସୁଲଗଡ଼ ଭଳି ସମାନ ଅବସ୍ଥା। ବୁଲା କୁକୁରଙ୍କ ଛଡ଼ା କିଛି ଅଟୋଚାଳକ ଗାଡ଼ି ଭିତରେ ନିର୍ଜୀବଙ୍କ ଭଳି ପଡ଼ିରହିଥାନ୍ତି। ସବୁଆଡ଼େ ନିରବତା ସାଙ୍ଗକୁ ଅନ୍ଧାର। କେଉଁଠି ବି ପୁଲିସର ଦର୍ଶନ ମିଳିଲା ନାହିଁ। ଆଚାର୍ଯ୍ୟବିହାର ଛକରେ ମଧ୍ୟ ସମାନ ଅବସ୍ଥା। ରାତି ପେଟ୍ରୋଲିଂ କରୁଥିବା ପୁଲିସ ବାବୁମାନେ କୁଆଡ଼େ ଗଲେ ଖୋଜିଖୋଜି ଆମେ ଆଗକୁ ଆଗେଇଲୁ। ଶେଷରେ ନଜର ପଡ଼ିଲା ଏକ ପିସିଆର୍ ଭ୍ୟାନ୍ ଉପରେ। ଜୟଦେବ ବିହାର ଫ୍ଲାଇଓଭର ସର୍ଭିସ ରୋଡ୍‌ରେ ପିସିଆର୍ ଛିଡା ହୋଇଥାଏ। ଗାଡ଼ି ଭିତରେ ୩ଜଣ ପୁଲିସ କର୍ମଚାରୀ ବସିଥାନ୍ତି। ଟିକିଏ ଆଶ୍ବସ୍ତ ଲାଗିଲା, ଯାହାହେଉ ଏଇଠୁ ବୋଧେ ଆଗକୁ ସବୁ ପ୍ରମୁଖ ଜାଗାରେ ପୁଲିସ ଜଗିଥିବ। ଗଳିଗଳିରେ ଗାଡ଼ି ବୁଲାଉଥିବ। କିନ୍ତୁ ସେମିତି କିଛି ଦେଖିବାକୁ ମିଳିଲାନି। ନା ଜାତୀୟ ରାଜପଥର ଫ୍ଲାଇଓଭର ଉପରେ ନା ଫ୍ଲାଇଓଭର ତଳେ, ଜୟଦେବବିହାର ଛକ ବ୍ୟତୀତ ଅନ୍ୟ କେଉଁଠି ପିସିଆର୍ ପେଟ୍ରୋଲିଂ ହେଉ ନ ଥିଲା କି ରାସ୍ତାରେ ପୁଲିସ ଜଗି ନ ଥିଲେ।

ବିଗତ କେତେଦିନ ମଧ୍ୟରେ ଜୟଦେବବିହାରରେ ସିଆର୍‌ପି ଛକ ମଧ୍ୟରେ ବିଳମ୍ବିତ ରାତିରେ ଅଧଡଜନରୁ ଅଧିକ ଲୋକ ଲୁଟ୍‌ର ଶିକାର ହୋଇଛନ୍ତି। ସେଥିମଧ୍ୟରୁ ଦୁଇଜଣ ହେଉଛନ୍ତି ସାମ୍ବାଦିକ। ଦୁଇଦିନ ତଳେ ରାତିରେ ଡ୍ୟୁଟି ସାରି ଫେରୁଥିବା ଜଣେ ସାମ୍ବାଦିକଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ ଦୁର୍ବୃତ୍ତ। ବିଚରା ଭୟରେ ପୁଲିସରେ ଅଭିଯୋଗ କରି ନ ଥିଲେ। କାରଣ ଅଭିଯୋଗ କଲେ ପୁଲିସ ଲୁଟେରାକୁ ଧରିବ ନାହିଁ କି ରାସ୍ତାରେ ବି ଜଗିବ ନାହିଁ। ଓଲଟି ଲୁଟେରା ଦଳ ତାଙ୍କ ଉପରେ ରାଗ ରଖି କାଳେ ପୁଣି ତାଙ୍କୁ ହଇରାଣ କରିବେ, ଏଇ ଭୟ ତାଙ୍କୁ ଘାରିଥିଲା। ଏହାପରେ ଆମେ ଆଇଡି ମାର୍କେଟ୍ ଦେଇ ଭୁବନେଶ୍ବରର ସବୁଠୁ ବଡ଼ ବସ୍ତି ସାଲିଆସାହି ଆଡ଼େ ମାଡ଼ିଗଲୁ। ଯାହାହେଉ ଏଠି ଅନ୍ତତଃ ନୂଆପଲ୍ଲୀ ଥାନାର ଜଣେ ଏସ୍‌ଆଇଙ୍କ ସହ ୬ଜଣ ପୁଲିସ ଜଗିଥିଲେ। ଚୋରା ମଦ ବେପାରୀଙ୍କୁ ସାବାଡ୍ କରିବା ପାଇଁ ପୁଲିସ ରାତିରେ ଜଗିଥିବା ଦେଖି ଖୁସି ଲାଗିଲା।

କଳିଙ୍ଗ ଷ୍ଟୁଡିଓରୁ ଖଣ୍ଡଗିରି ଛକ: ମଦ୍ୟପ ଓ କିନ୍ନରଙ୍କ କବ୍‌ଜାରେ
ଆମେ ରେଣ୍ଟାଲ୍ କଲୋନିର ନୂଆ ରୋଡ୍ ଦେଇ ପଟାସ ଛକ ଓ ସେଠାରୁ କଳିଙ୍ଗ ଷ୍ଟୁଡିଓ ଛକ ପର୍ଯ୍ୟନ୍ତ ଯିବା ରାସ୍ତାରେ ପିସିଆର୍ କି ପୁଲିସ କାହାକୁ ପାଇଲୁନି । ଦିନରାତି ସବୁ ବେଳେ ଲୁଟେରାଙ୍କ ଟାର୍ଗେଟ୍‌ରେ ଏହି ରାସ୍ତା ଥାଏ। କଳିଙ୍ଗ ଷ୍ଟୁଡିଓ ଛକକୁ ଲାଗିଥିବା ବସ୍ତିରେ ଚୋରା ମଦ କାରବାରକୁ ବିଭିନ୍ନ ମାଦକ ଦ୍ରବ୍ୟ ଖୁବ୍ ଆସର ଜମେ। ଗତ କିଛି ମାସ ତଳେ କିଛି ଚୋରା ମଦ ବେପାରୀ ଚଢ଼ଉ କରିବାକୁ ଆସିଥିବା ଅବକାରୀ ବିଭାଗ ଟିମ୍‌କୁ ନିସ୍ତୁକ ମାଡ଼ ମାରିବା ସହିତ ଗାଡ଼ି ଭାଙ୍ଗି ଦେଇଥିଲେ। ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହେଲେ ଏଭଳି ଏକ ସମ୍ବେଦନଶୀଳ ରାସ୍ତାରେ ପୁଲିସ ଜଗି ନଥିବା ଦେଖି ଆଶ୍ଚର୍ଯ୍ୟ ଲାଗିଲା। ପୁଲିସ ବଦଳରେ ଏହି ରାସ୍ତାରେ ଅନେକ କିନ୍ନରଙ୍କୁ ଭେଟିଲୁ। ରାତି ଯେତେ ବଢ଼ୁଥିଲା; ଅଟୋ, ବାଇକ୍, ସ୍କୁଟିରେ କିନ୍ନରଙ୍କ ଭିଡ଼ ଜମୁଥିଲା। ଆଗରେ ଥିଲା ଏକ ମଦ ଦୋକାନ। ଏକାଧିକ କାର୍‌ ନିଛାଟିଆ ଜାଗାରେ ପାର୍କିଂ କରିଥିଲେ। ଆଉ ପାଖରେ କିଛି କିନ୍ନର ନିର୍ଭୟରେ ଘୂରି ବୁଲୁଥିଲେ।

ଆମେ ସେଠୁ ଆଗକୁ ବଢ଼ିଲୁ। ନାକା ଗେ଼ଟ୍ ଛକ ଦେଇ ଯିବା ସମୟରେ ବସ୍ତି ନିକଟରେ କିଛି ଲୋକ ଏତେ ରାତିରେ ବସି ତାସ୍ ଖେଳୁଥିଲେ। ତେବେ ସେମାନେ ଟଙ୍କା ଲଗାଇ ଜୁଆ ଖେଳୁଥିଲେ କି ନାହିଁ, ତାହା ଦୂରରୁ ଦେଖାଯାଇନଥିଲା। ସେଠାରୁ କିଛିବାଟ ଆଗକୁ ଯାଇ ଜୟଦେବ ବାଟିକା ଚାରିଛକରେ ପହଞ୍ଚିବା ବେଳକୁ କିଛି ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଲା। ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡରେ ମାଳମାଳ ମଦୁଆ ମଦ ପିଉଥିବାବେଳେ ଆଉ କିଛି ଛକ ଉପରେ ଷ୍ଟ୍ରିଟ୍ ଲାଇଟ୍ ତଳେ ଆସର ଜମାଇଥିଲେ। ପାଖକୁ ଲାଗିଥିଲା ଐତିହ୍ୟ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି, ଉଦୟଗିରି ସହିତ ନୂଆକରି ଖୋଲିଥିବା ଗାନ୍ଧୀ ଶାନ୍ତିକେନ୍ଦ୍ର। ଛକରେ ନ ହେଲା ନାଇଁ ପର୍ଯ୍ୟଟନସ୍ଥଳୀ ଆଖପରଖରେ ମଧ୍ୟ ପୁଲିସ ଅନୁପସ୍ଥିତି ବିଚଳିତ କରୁଥିଲା।

ସେଠାରୁ ଖଣ୍ଡଗିରି ଛକରେ ପହଞ୍ଚିବା ପରେ ଗାଡ଼ି ବୁଲାଇ ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିଥିଲୁ। ସେଠାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଥିଲା। ରାତ୍ରିକାଳୀନ କର୍ଫ୍ୟୁ ସମୟରେ ବେଫିକର୍ ବୁଲୁଥିବା ଦାମୀ କାର୍‌ର ଚାଳକଙ୍କ ସହିତ କିନ୍ନରମାନଙ୍କୁ ଅଟକାଇବା ପାଇଁ କେହି ନଥିଲେ।

ବିଏମ୍‌ସିରୁ ବିଚ୍ଛିନ୍ନ ହୋଇଯାଇଛି କି ଖଣ୍ଡଗିରି!
ଆମ ଗାଡ଼ି ଏଥର ଆଉଟିକେ ଆଗକୁ ଗଡ଼ିଲା। ନୂଆକରି ଖୋଲିଥିବା ଖଣ୍ଡଗିରି ଫ୍ଲାଏଓଭର୍‌ରୁ ଏମ୍ସ ଅଣ୍ଡରପାସ୍ ସବୁଠି କିଟିମିଟି ଅନ୍ଧାର। ସ୍ମାର୍ଟସିଟିର ବାହାବା ନେଉଥିବା ଭୁବନେଶ୍ବରର ଏହା ଏକ ଅଂଶ। କିନ୍ତୁ ଆଲୋକୀକରଣଠୁ ଆରମ୍ଭ କରି ପୁଲିସର ଅନୁପସ୍ଥିତି ଏଠାରେ ଜଳଜଳ ଦିଶୁଥିଲା। ଆଶ୍ଚର୍ଯ୍ୟର କଥା, ଫ୍ଲାଏଓଭର ଶେଷ ପାର୍ଶ୍ବରେ ଦିନ ଦ୍ବିପ୍ରହରରେ କଡ଼ା ଚେକିଂ ଚାଲୁଥିବା ବେଳେ ରାତିରେ କେହି ନଥିଲେ। ଗୋଟେ ସ୍କୁଟିରେ ୩ଜଣ ଲେଖାଏଁ ଦ୍ରୁତଗତିରେ ଯାଉଥିବା ବେଳେ ଆଉ କିଛି ବେପାରୁଆ ଭାବେ ଗାଡ଼ି ଚଳାଉଥିଲେ। ଏମ୍ସ ଅଣ୍ଡରପାସ୍‌ ପାଖରେ ମଧ୍ୟ ସମାନ ଅବସ୍ଥା। ଏମିତି ଅନ୍ଧାର ବିରାଜିଥିଲା ଯେ ଏହା ଭୁବନେଶ୍ବର ନୁହେଁ; କେଉଁ ଉପାନ୍ତ ଅଞ୍ଚଳ ବୋଲି ଅନୁଭୂତ ହେଉଥିଲା। କଦର୍ଯ୍ୟ ରାସ୍ତାଠୁ ଆରମ୍ଭ କରି ହୁଗୁଳା ସୁରକ୍ଷା ବ୍ୟବସ୍ଥା ଦେଖି ରାଜଧାନୀ ଭୁବନେଶ୍ବରର ଏହା ଏକ ଦୁର୍ବଳ ଅଙ୍ଗ ବୋଲି ପ୍ରତୀୟମାନ ହେଉଥିଲା।

ସମ୍ବନ୍ଧିତ ଖବର