ଭୁବନେଶ୍ବର: ହୋଟେଲ ବନ୍ଦ ହେବା ସମୟ ହୋଇଥିଲେ ବି ଜୋର୍ ଜବରଦସ୍ତ ଧସେଇ ପଶି ଖାଇଲେ। କିନ୍ତୁ ପଇସା ଦେଲା ବେଳକୁ ମୂଲଚାଲ୍ କରି ମାଲିକ ସମେତ କର୍ମଚାରୀଙ୍କୁ ମାଡ଼ ମାରିଲେ। ସେତିକିରେ ବି ରାଗ କମିଲାନି। ରାତି ଅଧରେ ଆସି ହୋଟେଲ ଉପରକୁ ବୋମାମାଡ଼ କଲେ। ଫଳରେ ହୋଟେଲ ଭିତରେ ଶୋଇଥିବା ୩ କର୍ମଚାରୀ ଆହତ ହେଲେ। ବୋମାମାଡ଼ରେ ଆହତ ହୋଟେଲ୍ ଜୟ ଜଗନ୍ନାଥର କର୍ମଚାରୀମାନେ ହେଲେ ପ୍ରମୋଦ ପାତ୍ର, ସତ୍ୟବାନ ଏବଂ ସିକ୍ୟୁରିଟି ଗାର୍ଡ ଅନାଦି ନାୟକ। ଏଥିରେ ହୋଟେଲ୍ ଭାଙ୍ଗିରୁଜି ଯାଇଥିବା ବେଳେ ବସ୍ଷ୍ଟାଣ୍ଡରେ ଭୟର ବାତାବରଣ ଖେଳିଯାଇଥିଲା। ଗତକାଲି ରାତିରେ ବରମୁଣ୍ଡା ବସ୍ଷ୍ଟାଣ୍ଡସ୍ଥିତ ଏକ ହୋଟେଲ୍ରେ ଏମିତି କାଣ୍ଡ ଭିଆଇଥିଲେ ୪ ଜଣ ଦୁର୍ବୃତ୍ତ। ଭରତପୁର ଥାନା ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ୨ ଦୁର୍ବୃତ୍ତଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଧରିବାକୁ ଚଢ଼ଉ ଜାରି ରଖିଛି।
ସୂଚନା ମୁତାବକ ରବିବାର ରାତି ପାଖାପାଖି ସାଢ଼େ ୧୦ଟା ବେଳ ୪ଜଣ ଯୁବକ ଖାଇବା ପାଇଁ ହୋଟେଲକୁ ଆସିଥିଲେ। ହୋଟେଲ୍ ବନ୍ଦ ହେବା ସମୟ ହୋଇଯାଇଥିବାରୁ ମାଲିକ ନିରଂଜନ ପାତ୍ର ସେମାନଙ୍କୁ ଖାଇବା ନାହିଁ ବୋଲି କହିଥିଲେ। କିନ୍ତୁ ଯୁବକମାନେ ତାଙ୍କୁ ବିଭିନ୍ନ ଧମକ ଦେଇଥିଲେ। ଭୟରେ ନିରଂଜନ ସେମାନଙ୍କ ପାଇଁ ଖାଇବା ବରାଦ କଲେ। କିନ୍ତୁ ନିରଂଜନ ଟଙ୍କା ମାଗିବାରୁ ସେମାନେ ମୂଲଚାଲ କରି ପାଟିତୁଣ୍ଡ କରିଥିଲେ। ଏମିତିକି ହୋଟେଲ୍ କର୍ମଚାରୀଙ୍କୁ ମାଡ଼ ମାରିବାକୁ ପଛାଇ ନଥିଲେ। ତେବେ ରାତି ପାଖାପାଖି ୧୨ଟା ୪୫ ସମୟରେ ସେମାନେ ପୁଣି ଦୁଇଟି ବାଇକ୍ରେ ଆସି ହୋଟେଲ୍ ଉପରକୁ ଦୁଇଟି ବୋମା ଫିଙ୍ଗିଥିଲେ। ବୋମାମାଡ଼ ଯୋଗୁଁ ହୋଟେଲ୍ର ଆଜ୍ବେଷ୍ଟସ୍ ଛାତ ଭାଙ୍ଗିଯାଇଥିଲା ଏବଂ ଭିତରେ ଶୋଇଥିବା ଉପରୋକ୍ତ ୩ କର୍ମଚାରୀ ଖଣ୍ଡିଆଖାବରା ହୋଇଯାଇଥିଲେ। ବୋମାମାଡ଼ରେ ପୂରା ଅଞ୍ଚଳ ଥରହର ହୋଇପଡ଼ିଥିଲା। ତେବେ ଅନ୍ୟ ଦୋକାନୀମାନେ ଦୋକାନରୁ ବାହାରି ଆସିଥିଲେ। ସେମାନେ ଏକାଠି ହେବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେଠାରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇସାରିଥିଲା। ତେବେ ପୁଲିସ ୩ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ପଠାଇବା ସହ ଲୋକଙ୍କୁ ବୁଝାସୁଝା କରିଥିଲା।