ନର୍ସ ନୀହାରିକା ହତ୍ୟା ମାମଲା: ‌‌ବିଲୁଆଖାଇ ସହ କୁଆଖାଇକୁ ଯୋଡ଼ୁଛି ପୁଲିସ

ଅଭିଯୁକ୍ତ ରାଜାକୁ ପଚରାଉଚରା କରିବ ମଞ୍ଚେଶ୍ବର ପୁଲିସ, ୨୦୧୭ରେ କୁଆଖାଇ ନଦୀପଠାରୁ ମିଳିଥିଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ବର: ୨୦୧୭ ଫେବ୍ରୁଆରି ୧ ତାରିଖ। ମଞ୍ଚେଶ୍ବର ଥାନା ଅଧୀନ କୁଆଖାଇ ନଦୀପଠାରୁ ଜବତ ହୋଇଥିଲା ଜଣେ ଯୁବତୀଙ୍କ ମୃତଦେହ। ମୃତଦେହଟି ଏକ ଜରି ଅଖା ଭିତରେ ଭର୍ତି ହୋଇଥିଲା। ଯୁବତୀଙ୍କ ତଣ୍ଟିରେ କଳାଦାଗ ମଧ୍ୟ ଥିଲା। ହାତ ଗୋଡ଼ ବନ୍ଧା ହୋଇଥିଲା। ମଞ୍ଚେଶ୍ବର ଥାନା ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଯୁବତୀଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା କୁହାଯାଇଥିଲା। କିନ୍ତୁ ଯୁବତୀଙ୍କ ପରିଚୟ ମିଳି ନ ଥିଲା। ଏଥିପାଇଁ ସେହି ହତ୍ୟାକାଣ୍ଡର ଏଯାଏ ପର୍ଦାଫାସ ହୋଇ ପାରିନାହିଁ। ପୁଲିସ ଯୁବତୀଙ୍କ ପରିଚୟ ପାଇବା ପା‌ଇଁ ବହୁତ ଉଦ୍ୟମ କରି ଶେଷରେ ନିରାଶ ହୋଇଥିଲା। କିନ୍ତୁ ଏବେ ନର୍ସ ନୀହାରିକା ପାତ୍ର ଓରଫ ରୂପାଲି ହତ୍ୟାକାଣ୍ଡ ଘଟଣା, ପାରିପାର୍ଶ୍ବିକ ପରିସ୍ଥିତି, ମଞ୍ଚେଶ୍ବର କୁଆଖାଇ ନଦୀପଠାରେ ଘଟିଥିବା ସେହି ହତ୍ୟାକାଣ୍ଡ ସହ ସମାନତା ଥିବା ଭଳି ମନେ କରିଛି କମିସନରେଟ ପୁଲିସ। ଏଥିପାଇଁ ମଞ୍ଚେଶ୍ବର ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଜଗତସିଂହପୁର ଯିବାକୁ ଯୋଜନା କରିଛି। ନୀହାରିକା ହତ୍ୟାକାଣ୍ଡର ଅଭିଯୁକ୍ତ ରାଜାକୁ ବିରିଡ଼ି ପୁଲିସ ରିମାଣ୍ଡରେ ଆଣିବା ବେଳେ ମଞ୍ଚେଶ୍ବର ଥାନା ପୁଲିସ ପଚରାଉଚରା କରିବ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।

କମିସନରେଟ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ଯେକୌଣସି ପ୍ରକାରର ଅପରାଧୀ ଅପରାଧ କରିବା ବେଳେ ତା’ର ଅପରାଧ କରିବାର ତରିକା (ମୋଡସ ଅପେରାଣ୍ଡି) ସବୁବେଳେ ସମାନ ଥାଏ। ଥରେ ସେ ଗୋଟିଏ ପ୍ରକାର ଅପରାଧ ତରିକାରେ ସଫଳ ହୋଇଥିଲେ, ବାରମ୍ବାର ସେହିଭଳି ଢଙ୍ଗରେ ଅପରାଧ କରେ। ନର୍ସ ନୀହାରିକା ହତ୍ୟାକାଣ୍ଡ ସହ କୁଆଖାଇ ନଦୀପଠାରୁ ମିଳିଥିବା ଯୁବତୀଙ୍କ ମୃତଦେହର ଅନେକ ସାମଞ୍ଜସ୍ୟ ରହିଛି। ଅର୍ଥାତ ମୋଡସ ଅପେରାଣ୍ଡି ସମାନ ଅଛି। ଭଲ ଭାବେ ଯଦି ଦୁଇଟି ହତ୍ୟାକାଣ୍ଡକୁ ଅନୁଧ୍ୟାନ କରାଯାଏ, ଏଭଳି ସନ୍ଦେହ ଆସିବା ସ୍ବାଭାବିକ ବୋଲି ଉକ୍ତ ଅଧିକାରୀଜଣକ କହିଛନ୍ତି।

କାରଣ ନୀହାରିକାଙ୍କୁ ଯେଉଁଭଳି କଟକରେ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ କରିବାକୁ ବିଲୁଆଖାଇ ନଦୀପଠାରେ ଫିଙ୍ଗି ଦିଆଯାଇଥିଲା, ସେହିପରି ମଞ୍ଚେଶ୍ବର ଥାନା ଅଧୀନରେ ଘଟିଥିବା ସେହି ହତ୍ୟାକାଣ୍ଡରେ ଯୁବତୀଙ୍କୁ ଅନ୍ୟ ସ୍ଥାନରେ ହତ୍ୟା କରାଯାଇ କୁଆଖାଇ ନଦୀପଠାରେ ଫିଙ୍ଗି ଦିଆଯାଇଥିଲା। ନୀହାରିକାଙ୍କୁ ତଣ୍ଟି ଚିପି ଶ୍ବାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିଲା, ମଞ୍ଚେଶ୍ବର ମାମଲାରେ ମଧ୍ୟ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଥିଲା। ନୀହାରିକାଙ୍କ ତଣ୍ଟିରେ କଳାଦାଗ ଥିଲା, କୁଆଖାଇ ନଦୀପଠାରୁ ଜବତ ହୋଇଥିବା ଯୁବତୀଙ୍କ ତଣ୍ଟିରେ ମଧ୍ୟ କଳାଦାଗ ଥିଲା। ନର୍ସ ନୀହାରିକାଙ୍କ ମୃତଦେହ ଏକ ଚୋକଡ଼ ବସ୍ତାରେ ଭର୍ତି କରାଯାଇ ଫିଙ୍ଗା ଯାଇଥିଲା। ମଞ୍ଚେଶ୍ବର ମାମଲାରେ ମଧ୍ୟ ଯୁବତୀଙ୍କ ମୃତଦେହ କାମଧେନୁ ଚୋକଡ଼ ବସ୍ତା ଭିତରୁ ମିଳିଥିଲା। ବସ୍ତା ଭିତରେ ନୀହାରିକାଙ୍କ ହାତ ଗୋଡ଼ ବନ୍ଧା ହୋଇଥିଲା, ମଞ୍ଚେଶ୍ବର ଘଟଣା ମଧ୍ୟ ସମାନ ଥିଲା। ନର୍ସ ନୀହାରିକା ହତ୍ୟା ଘଟଣାରେ ପୁଲିସ ପ୍ରେମିକ ରାଜାକୁ ଗିରଫ କରିଥିବାବେଳେ ଏହି ଘଟଣାରେ ଏଯାଏ କାହାରିକୁ ଗିରଫ କରାଯାଇନାହିଁ।

କୁଆଖାଇ ନଦୀପଠାରୁ ମିଳିଥିବା ଯୁବତୀଙ୍କ ମୃତଦେହ ଘଟଣାରେ ରାଜା ସଂପୃକ୍ତ ନାହିଁ ତ? ପୁଲିସ ମନରେ ଏବେ ଏଭଳି ପ୍ରଶ୍ନ ଉଙ୍କି ମାରିଛି। କାରଣ ରାଜା ରୋମିଓ ସ୍ବଭାବର ଥିଲା। ନୀହାରିକା ବ୍ୟତୀତ ରାଜା ଅନେକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିବା ଏବେ ପୁଲିସ ଜାଣିବାକୁ ପାଇଛି। କଟକରେ ତା’ର ସାଙ୍ଗସାଥୀଙ୍କୁ ପଚରାଉଚରା କରି ଏଭଳି ତଥ୍ୟ ପାଇଛି ପୁଲିସ। ତେଣୁ ରାଜା କୁଆଖାଇ ନଦୀପଠାରେ ହୋଇଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ନ ଥିବ ତାହା ଅସ୍ବୀକାର କରାଯାଇ ନପାରେ। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ରାଜା ରିମାଣ୍ଡରେ ଆସିବା ପରେ ଆମେ କୁଆଖାଇ ହତ୍ୟା ଘଟଣାର ଅନୁଧ୍ୟାନ କରିବୁ। କିଛି ପ୍ରମାଣ ବା ସାମଞ୍ଜସ୍ୟ ମିଳିଲେ, ଆମର ଏକ ସ୍ବତନ୍ତ୍ର ଟିମ୍‌ ଜଗତସିଂହପୁର ଯାଇ ରାଜାକୁ ପଚରାଉଚରା କରିବ।

ସମ୍ବନ୍ଧିତ ଖବର