ଭୁବନେଶ୍ୱରରେ ନିଟ୍‌ ପରୀକ୍ଷା: ଭାଗ ନେଲେ ୮୭.୧୯% ଛାତ୍ରଛାତ୍ରୀ, ରହଣୀ କେନ୍ଦ୍ରରେ ରହିଲେ ୭୦୬ ଛାତ୍ରଛାତ୍ରୀ

ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ନିଟ୍‌ ପରୀକ୍ଷା ଶେଷ ହୋଇଛି। ଭୁବନେଶ୍ୱରର ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୩୯୩ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ହଜାର ୪୨୧ଜଣ ଅର୍ଥାତ ୮୭.୧୯% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଆଇଟିଆଇ ଭୁବନେଶ୍ୱର ଅଧ୍ୟକ୍ଷା ଜିତାମିତ୍ର ଶତପଥୀ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଓଡିଏମ ପବ୍ଲିକ ସ୍କୁଲରେ ସର୍ବାଧିକ ୮୪୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେହିପରି ଗୀତା କଲେଜରେ ୮୨୮, ସିଇଟିରେ ୭୬୯, ସିଲିକନରେ ୭୨୯, ଜିଆଇଇଟିରେ ୬୨୬, ୟୁନିଟ-୮ ଡିଏଭିରେ ୬୨୪, ପୋଖରୀପୁଟ ଡିଏଭିରେ ୫୩୬, ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୫୨୮, ଖଣ୍ଡଗିରି ସେଣ୍ଟ ଜାଭିୟର ସ୍କୁଲରେ ୫୩୧, ଦି ମଦରର୍ସ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟେଗ୍ରାଲ ଏଜୁକେସନରେ ୫୨୯, କିଟ୍‌ରେ ୫୧୧ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ। ଏହାବ୍ୟତୀତ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ୪୮୦, ଟାଇମ୍‌ସ ସ୍କଲାର ଗୁରୁକୁଳରେ ୪୬୧, ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୪୨୫, ଡିଏଭି ଚନ୍ଦ୍ରଶେଖରପୁରରେ ୪୧୬, ବିଜେଇଏମ-୧ରେ ୪୨୨, ବିଜେଇଏମ-୨ରେ ୪୧୪, ବିଜେବି ଜୁନିୟର କଲେଜରେ ୪୨୮, ରାଜଧାନୀ କଲେଜରେ ୩୭୬, ଆଇଆଇଆଇଟିରେ ୩୫୫, କେଭି-୧ ଓ ମହର୍ଷି କଲେଜରେ ୩୨୦ଜଣ ଲେଖାଏଁ, ଗାଇଡାନ୍ସ ସ୍କୁଲରେ ୩୨୬, କେଭି-୨ରେ ୨୬୦, କେଭି-୪ ଓ ଡିଏଭି କଳିଙ୍ଗ ନଗରରେ ୨୫୭ ଜଣ ଲେଖାଏଁ, ଶ୍ରୀକୃଷ୍ଣ ଇଣ୍ଟରନ୍ୟାସନାଲ ସ୍କୁଲରେ ୨୦୯, ଡିଏମ ସ୍କୁଲରେ ୨୧୦, କେଭି-୬ରେ ୧୬୪, ସେଣ୍ଟ ଜାଭିୟର ହାଇସ୍କୁଲ କେଦାରଗୌରୀରେ ୨୬୬ ଜଣ ପରୀକ୍ଷା ଦେଇଛନ୍ତି।

୧୦ଟାରୁ ଲମ୍ବା ଲାଇନ୍‌
ଅପରାହ୍‌ଣ ୨ଟାରେ ପରୀକ୍ଷା ଥିବା ବେଳେ ଏହାର ୪ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଲମ୍ବା ଲାଇନ୍‌ ଲାଗିଥିଲା। ପରୀକ୍ଷାର୍ଥୀଙ୍କ ଧାଡ଼ି ଯେଉଁଠୁ ଆରମ୍ଭ ହୋଇଥିଲା, ତାହାର ୧୦୦ ମିଟର ପୂର୍ବରୁ ଅଭିଭାବକଙ୍କୁ ଅଟକା ଯାଇଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷା ହୋଇଛି। ପରୀକ୍ଷାର୍ଥୀଙ୍କ ମଧ୍ୟରେ ୬ ଫୁଟ୍‌ର ଦୂରତ୍ବ ରଖାଯିବା ସହ ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିଥିଲେ। ନିୟମିତ ବ୍ୟବଧାନରେ ୪୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିଲା। କେନ୍ଦ୍ରର ବିଭିନ୍ନ ସ୍ଥାନରେ ସଚେତନତାଧର୍ମୀ ପୋଷ୍ଟର ଲଗାଯାଇଥିଲା। ପରୀକ୍ଷା ଦେବାକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ସହ ବର୍ତମାନର ସ୍ବାସ୍ଥ୍ୟ ସମ୍ପର୍କରେ ନିଜସ୍ବ ଘୋଷଣା ପତ୍ର ଯାଞ୍ଚ ହୋଇଥିଲା। ପ୍ରବେଶ ପଥରେ କର୍ମଚାରୀମାନେ ପିପିଇ କିଟ ପିନ୍ଧି ଥର୍ମାଲ ସ୍କ୍ରିନିଂ କରିଥିଲେ। ସ୍କ୍ରିନିଂ ପରେ ପରୀକ୍ଷାର୍ଥୀଙ୍କୁ ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିଥିଲା।

ପରିବହନ ପାଇଁ ୨୫ ବସ୍‌
ପରୀକ୍ଷାର୍ଥୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫ଟି ସ୍ୱତନ୍ତ୍ର ବସ୍‌ ସୁବିଧା ହୋଇଥିଲା। ପରୀକ୍ଷାର୍ଥୀଙ୍କୁ ରହଣୀସ୍ଥଳରୁ ପରୀକ୍ଷା କେନ୍ଦ୍ରକୁ ନିଆଯିବା ସହ ସେଠାରେ ପୁଣି ଆଣି ଛଡ଼ା ଯାଇଥିଲା। ନିର୍ଦ୍ଧାରିତ ସମୟରେ ସମସ୍ତ ଛାତ୍ରଛାତ୍ରୀ ପହଞ୍ଚି ଥିବା ସୂଚନା ମିଳିଛି।

ରହଣୀ କେନ୍ଦ୍ରରେ ରହିଲେ ୭୦୬ ଛାତ୍ରଛାତ୍ରୀ
ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ଭୁବନେଶ୍ବରରେ ୬ଟି ରହଣୀ କେନ୍ଦ୍ର ହୋଇଥିଲା। ଶନିବାରଠାରୁ ଛାତ୍ରଛାତ୍ରୀ ସେଠାରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା। ୬ଟି ରହଣୀ ସ୍ଥଳରେ ୭୦୬ ଜଣ ଛାତ୍ରଛାତ୍ରୀ ରହିଥିଲେ। ସିଭି ରମଣ ଗ୍ଲୋବାଲ ୟୁନିଭରସିଟିରେ ସର୍ବାଧିକ ୨୪୮ ଜଣ ରହିଥିବା ବେଳେ ସିପେଟ୍‌ରେ ୧୮୦, ମହାବୀର ଇଞ୍ଜିନିୟରିଂରେ ୧୨୬, ସିଲିକନ୍‌ରେ ୭୦, ଗୀତାରେ ୫୯ ଓ ଗିଫ୍ଟରେ ୨୩ ଜଣ ଛାତ୍ରଛାତ୍ରୀ ରହିଥିଲେ।

ସମ୍ବନ୍ଧିତ ଖବର