ଲିଙ୍ଗରାଜ ମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି ନିଯୋଗ ମୁଖ୍ୟ

ପୁରୁଣା ଭୁବନେଶ୍ୱର : ମନ୍ଦିର ଖୋଲିବା ପାଇଁ ସରକାର ସବୁଜ ସଙ୍କେତ ଦେଇଥିଲେ ବି ଶ୍ରୀଲିଙ୍ଗରାଜ ମନ୍ଦିର ବିଭିନ୍ନ ନିଯୋଗ ମୁଖ୍ୟମାନେ ଏହାକୁ ସମର୍ଥନ କରୁନାହାନ୍ତି। ଦୀର୍ଘ ୮ ମାସ ପରେ ମନ୍ଦିର ଖୋଲିବାକୁ ଯାଉଥିବାରୁ ଭକ୍ତମାନେ ଖୁସି ହେଉଥିଲେ ବି କରୋନା ସଂକ୍ରମଣ ଜାରି ରହିଥିବାରୁ ମନ୍ଦିର ଖୋଲିବା ପଦକ୍ଷେପ ଠିକ୍‌ ନୁହେଁ ବୋଲି ପୂଜାପଣ୍ଡା ନିଯୋଗ ସଭାପତି କାଶିନାଥ ପୂଜାପଣ୍ଡା କହିଛନ୍ତି। ତାଙ୍କ କହିବା କଥା ଲୋକେ ଏବେ ବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ମନ୍ଦିର ଖୋଲିବା ମାତ୍ରେ ଭକ୍ତ ମାନିବେନି। ଅଳ୍ପ ସଂଖ୍ୟକ ଭକ୍ତ ଆସିଲେ ବି ସଂକ୍ରମଣ ସମ୍ଭାବନା ରହିବ।

ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁଙ୍କ କହିବା କଥା ଶୀତ ଦିନରେ କରୋନା ସଂକ୍ରମଣ ବଢ଼ିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ମନ୍ଦିର ଖୋଲିଲେ ଭିଡ଼ ଭିତରେ ସଂକ୍ରମିତ ଭକ୍ତ ମନ୍ଦିରକୁ ପଶି ଆସିବା କିଛି ଅସମ୍ଭବ କଥା ନୁହେଁ। ଫଳରେ ସେବାୟତମାନେ କରୋନାରେ ଆକ୍ରାନ୍ତ ହେବେ। ଏହା ପରେ ସେବାୟତଙ୍କ ଅନୁପସ୍ଥିତିରେ ଠାକୁରଙ୍କ ନୀତିକାନ୍ତି ବନ୍ଦ ହୋଇଯିବ। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ଅନୁମତି ଦିଆନଯାଉ ବୋଲି ସେ କହିଛନ୍ତି। ସେହିଭଳି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତିଙ୍କ କହିବା କଥା ମନ୍ଦିର ଖୋଲିଲେ ସେବାୟତ ସଂକ୍ରମିତ ହେବେ ଓ ନୀତିକାନ୍ତି ବାଧାପ୍ରାପ୍ତ ହେବ। ସେଥିପାଇଁ ପ୍ରଶାସନ ଦାୟୀ ରହିବ ତ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର ମନ୍ଦିରରେ ବିଭିନ୍ନ ପର୍ବ ପର୍ବାଣୀ ବନ୍ଦ କରିବା ବେଳେ ଯେପରି ଆମ ମତ ନେଲେ, ଖୋଲିବା ପୂର୍ବରୁ ସେପରି କରନ୍ତୁ। ତେଣୁ କରୋନା ଟିକା ଆସିବା ଓ ସ୍ଥିତି ସ୍ୱାଭାବିକ ହେବା ଯାଏ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହୁ ବୋଲି ସେ ଦାବି କରିଛନ୍ତି। ସେବାୟତମାନଙ୍କ ମତ ନିଆଯିବା ପରେ ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର