ଭୁବନେଶ୍ୱର : ରାଜ୍ୟରେ ୬୫ ଭାଗ କୃଷି ଋଣ ସମବାୟ ବ୍ୟାଙ୍କ୍ ଦେଉଥିବା ବେଳେ ୩୫ ଭାଗ ଅନ୍ୟ ଅର୍ଥ ଲଗାଣ ସଂସ୍ଥା ଦେଉଛନ୍ତି। ତେବେ ଦୀର୍ଘ ମିଆଦୀ ଋଣ ମାତ୍ର ୩ ଶତକଡ଼ା ଦିଆଯାଉଛି। ଅନ୍ଲାଇନ୍ରେ ଋଣ ଦେବାର ବ୍ୟବସ୍ଥା ହୋଇଛି। ଏହା ମଧ୍ୟରେ ୬୦ ଭାଗ ଋଣ ଏହି ପ୍ରକାରେ ଦିଆହୋଇଛି। ମାତ୍ର ବ୍ୟବସ୍ଥାର ପରିବର୍ତନ ଏବଂ ସୋସାଇଟି ସୁଦୃଢ଼ ହୋଇପାରି ନାହିଁ। ତେଣୁ ଲୋକଙ୍କ ମେରୁଦଣ୍ଡ ବୋଲି କୁହାଯାଉଥିବା ଓଡ଼ିଶାର ସମବାୟ ସଂସ୍ଥା ଆଗେଇ ପାରିନାହିଁ। ଏଥିପାଇଁ ଆତ୍ମ ଚିନ୍ତନର ଆବଶ୍ୟକତା ରହିଥିବା ବେଳେ ସୋସାଇଟିକୁ ଲାଭଜନକ ସଂସ୍ଥାରେ ପରିଣତ କରିବା ପାଇଁ ଏକ ବାତାବରଣ ତିଆରି ହେବା ଉଚିତ୍। ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍ର ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବ ତଥା ୬୪ତମ ନିଖିଳ ଭାରତ ସମବାୟ ସପ୍ତାହ ଏଭଳି ମତ ରଖିଛନ୍ତି ଅତିଥିବୃନ୍ଦ।
ଏହି ଅବସରରେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସମବାୟ ବିଭାଗର ପ୍ରମୁଖ ଶାସନସଚିବ ରଞ୍ଜନା ଚୋପ୍ରା, ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍ର ସଭାପତି ହେମନ୍ତ ନାୟକ, ସମବାୟ ସମିତି ସମୂହର ନିବନ୍ଧକ ଡ.ଶଶିଭୂଷଣ ପାଢ଼ୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ର ସଭାପତି ଅକ୍ଷୟ କୁମାର ମହାନ୍ତି, ସମବାୟ ସଂସ୍ଥାର ଏଜି ବିରଞ୍ଚି ନାରାୟଣ ମହାନ୍ତି, ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍ର ସମ୍ପାଦକ ବ୍ରହ୍ମାନନ୍ଦ ପରିଡ଼ା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କିଛି ସମବାୟ ସଂସ୍ଥାକୁ ଉତ୍କର୍ଷତା ପାଇଁ ପୁରସ୍କୃତ କରାଯାଇଥିଲା। ଏଥିସହିତ ୟୁନିୟନ୍ର ସ୍ମରଣିକା ଏବଂ ‘ସମବାୟ ସମାଚାର’ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସ୍ନେହଲତା ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/loan.jpeg)