ଭୁବନେଶ୍ୱର : ବିଭିନ୍ନ ଦଫା ଦାବି ନେଇ ଆଜି ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ଲୋୟର ପିଏମ୍ଜିରେ ଧାରଣା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ।
ସଂଘର ଦାବି ମଧ୍ୟରେ ରହିଛି, ୨୦୧୬ ମସିହା ଜାନୁଆରି ୧ତାରିଖରୁ ୭ମ ବେତନ କମିସନ ଦରମା ଲାଗୁ କରାଯାଇ ପ୍ରଦାନ କରାଯାଉ। ରାଜ୍ୟ ଦରମାରେ ଥିବା ଅଧ୍ୟାପକଙ୍କୁ ୧୮ବର୍ଷ ଚାକିରି ପରେ ପ୍ରାଧ୍ୟାପକ ପଦବିକୁ ପଦୋନ୍ନତି, ଏମ୍ଏସ୍ପି ପ୍ରଦାନ ଦିଗରେ କର୍ମଚାରୀଙ୍କ ନିଯୁକ୍ତି ତାରିଖକୁ ବିଚାର କରିବା, ଅବସର ବୟସ ୬୨ବର୍ଷକୁ ବୃଦ୍ଧି କରିବା, ୭ମ ୟୁଜିସି ଦରମା ତୁରନ୍ତ ଲାଗୁ କରିବା ଓ ୧୯୮୯ ମସିହା ଏପ୍ରିଲ ୧ତାରିଖରୁ ୟୁଜିସି ଦରମାକୁ ସଂପ୍ରସାରଣ କରିବାକୁ ଦାବି ହୋଇଛି।
ବାରମ୍ବାର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସଂଘ ପରୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ହେଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ବିଧାନସଭା ବୈଠକ ପୂର୍ବରୁ ଦାବି ପୂରଣ ନ କଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଭାପତି ଅକ୍ଷୟ ମହାପାତ୍ର ଓ ସଂପାଦକ ଦୁଷ୍ମନ୍ତ ନାୟକ ଚେତାବନୀ ଦେଇଛନ୍ତି। ଧାରଣାରେ ସୁନିଲ ରଥ, ଉମାକାନ୍ତ ପାତ୍ର, ଦିଲ୍ଲୀପ ମିଶ୍ର, ଅଶ୍ୱିନୀ ସୁପକାର, ବୃନ୍ଦାବନ ମହାପାତ୍ର, ବାସନ୍ତୀ ଦାସ ଓ ରତିକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।