ନିକୁଞ୍ଜ ବିହାରୀ ମନ୍ଦିର, ଗାନ୍ଧୀ ରଚିଥିଲେ ନୂଆ ଇତିହାସ

୭ଟଙ୍କାରେ ନିଲାମ ହେଲା ଗାନ୍ଧୀଙ୍କ ଲୁଗା

ଭୁବନେଶ୍ବର: ଗାଁ’କୁ ଗାନ୍ଧୀ ଆସିବେ…। କଥା ପ୍ରଘଟ ହେବା କ୍ଷଣି କାହିଁ କେତେ ଦୂରରୁ ଶଗଡ଼ରେ ଛୁଟି ଆସିଥିଲେ ଆବାଳ ବୃଦ୍ଧବନିତା। ଜମିଦାର ମକଦ୍ଦମ ଓ ସମ୍ଭ୍ରାନ୍ତ ପରିବାରର ଝିଅ ବୋହୂମାନେ ବି ବାଦ୍‌ ପଡ଼ିନଥିଲେ। ଏଣେ ଗାନ୍ଧୀଙ୍କ ରହଣି ପାଇଁ ନିକୁଞ୍ଜ ବିହାରୀ ମନ୍ଦିର ସଂଲଗ୍ନ ଆମ୍ବତୋଟାରେ ନଡ଼ିଆ ଚାଞ୍ଚରାରେ କୁଡ଼ିଆ ନିର୍ମାଣ ହେଲା। ବାଲିଅନ୍ତାର ଜମିଦାର ବଂଶଜ ସ୍ବାଧୀନତା ସଂଗ୍ରାମୀ ବଂଶୀଧର ମଙ୍ଗରାଜ, ଲକ୍ଷ୍ମଣ ସାହୁ ଏବଂ ଅନ୍ୟ ଜଣାଶୁଣା ବ୍ୟକ୍ତିଙ୍କ ଉଦ୍ୟମରେ ଗାନ୍ଧୀଙ୍କ ରହଣିର ସବୁ ବ୍ୟବସ୍ଥା ହୋଇଗଲା। ଗାନ୍ଧୀ ଖାଲି ସେଇ ମନ୍ଦିରରେ ପାଦ ଦେଲେ ନାହିଁ, ବରଂ ହରିଜନଙ୍କ ପାଇଁ ମନ୍ଦିରର ଦ୍ବାର ସବୁଦିନ ପାଇଁ ଉନ୍ମୁକ୍ତ ହୋଇଗଲା। ଭାରତ ବର୍ଷରେ ହରିଜନମାନେ କୌଣସି ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରିବା ଥିଲା ପ୍ରଥମ। ୧୯୩୪ ମସିହା ମେ’ ମାସ ୧୫ ତାରିଖର ଏ ଘଟଣା ଇତିହାସ ପାଲଟିଲା। ଆଜି ଗାନ୍ଧୀ ନାହାନ୍ତି, କିନ୍ତୁ ସେଦିନ ବାଲିଅନ୍ତାରେ ଗାନ୍ଧୀ ବୁଣିଥିବା ସେଇ ବିଚାରକୁ ଆଜି ବି ଗ୍ରାମବାସୀ ମାନି ଆସୁଛନ୍ତି। ସେଠାରେ ଛିଡ଼ା ହୋଇଥିବା ଗାନ୍ଧୀ ସ୍ମୃତି ପୀଠ ସେଇ ଘଟଣାର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇଛି।

୧୯୩୪ ମସିହା ମେ’ ୮ ତାରିଖରେ ପୁରୀ ସିଂହଦ୍ବାରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରି ଗାନ୍ଧୀଜୀ ପଦଯାତ୍ରାରେ ଚନ୍ଦନପୁର, ସାକ୍ଷୀଗୋପାଳ, ପିପିଲି ଅତିକ୍ରମ କରି ୧୨ ତାରିଖରେ ବାଳକାଟିରେ ଅବସ୍ଥାନ କ‌ରିଥିଲେ। ପୂର୍ବତନ ବିଧାୟକ ବେଣୁଧର ଭୋଇ ପୂର୍ବସୂରୀଙ୍କଠାରୁ ଶୁଣି ଆସିଥିବା କଥାକୁ ଉଦ୍ଧାର କରି କହିଛନ୍ତି, ବାଳକାଟିରେ ରହଣି କାଳରେ ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀ ପ୍ରହ୍ଲାଦ ପଣ୍ଡା ଗାନ୍ଧୀଙ୍କ ପାଇଁ ଛେଳି କ୍ଷୀର ଆଣି ଦେଇଥିଲେ। ପ୍ରତାପଶାସନ ସ୍କୁଲ୍‌ରେ ଶିକ୍ଷକ ‌ଗୋପୀନାଥ ନାୟକଙ୍କ ସହଯୋଗରେ ସେହି ସ୍କୁଲ୍‌ରେ ହିଁ ଗାନ୍ଧୀ ଆଶ୍ରୟ ନେଲେ। ତା’ ପରଦିନ ସେଠାରୁ ପଦଯାତ୍ରା କରି ସତ୍ୟଭାମାପୁରରେ ପହଞ୍ଚିଥିଲେ। ସତ୍ୟଭାମାପୁର ସଭାରେ ଭାଷଣ ଦେବା ପୂର୍ବରୁ ଗାନ୍ଧୀଜୀ ପଚାରିଲେ, ସଭାରେ କେହି ହରିଜନ ଅଛନ୍ତି କି ନା? ଆମେ ତାଙ୍କୁ ଭୋଜନ କରିବାକୁ ନିମନ୍ତ୍ରଣ କରିବୁ। କିଛି ସମୟ ପାଇଁ କେହି ହାତ ଟେକିଲେ ନାହିଁ। ଗାନ୍ଧୀ କଥା ଆଳରେ ସାହସ ଦେବାରୁ, ୧୦ଟି ହାତ ଉଠିଲା। ଗାନ୍ଧୀଜୀ କହିଲେ, ଆମେ ଆଗେ ତାଙ୍କୁ ଖୁଆଇବୁ। ପରେ ଆମେ ଖାଇବୁ। ସେୟା ହିଁ ହୋଇଥିଲା।

ହରିଜନ, ସବର୍ଣ୍ଣଙ୍କ ସହ ଗାନ୍ଧୀଙ୍କ ପଂକ୍ତି ଭୋଜନ
ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ, ବାଲିଅନ୍ତାର କାର୍ଯ୍ୟକ୍ରମ ସଞ୍ଚାଳକ ଲକ୍ଷ୍ମୀଧର ବେହେରା କହିଛନ୍ତି, ଗାନ୍ଧୀଜୀ କେବଳ ହରିଜନଙ୍କୁ ନିକୁଞ୍ଜ ବିହାରୀ ମନ୍ଦିର ପ୍ରବେଶର ସୁଯୋଗ ପାଇଁ ବାଟ ଖୋଲିନଥିଲେ, ବରଂ ହରିଜନ ଓ ସବର୍ଣ୍ଣମାନେ ଏକାଠି ରୋଷେଇ କରିବା ପରେ ସମସ୍ତଙ୍କ ସହ ମିଶି ପଂକ୍ତି ଭୋଜନ କରିଥିଲେ। ସେତେବେଳେ ଡ. ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ‌ମୀରା ବେନ୍ ଓ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ଗାନ୍ଧୀଙ୍କ ସହ ସାମିଲ୍‌ ହୋଇଥିଲେ। ବିନୋଦ କାନୁନ୍‌ଗୋ ଗାନ୍ଧୀଙ୍କ ଭାଷଣ ଲୋକଙ୍କୁ ଓଡ଼ିଆରେ ବୁଝାଇବା କାର୍ଯ୍ୟ କରୁଥିଲେ। ବାଲିଅନ୍ତାରେ ୩ଦିନ ରହଣି ସ୍ଥଳରେ ସ୍ମୃତିର ସ୍ମାରକୀ ଛିଡ଼ା କରାଇବା ପାଇଁ ଗାନ୍ଧୀ ପ୍ରେମୀ ବୁଦ୍ଧନାଥ ଭୋଇ ଲୋକଙ୍କ ସହଯୋଗରେ ଗାନ୍ଧୀ ପୀଠ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ବାଲିଅନ୍ତାବାସୀଙ୍କ ସହଯୋଗରେ ଗାନ୍ଧୀ ପୀଠ ନିର୍ମାଣ ସମ୍ପୂର୍ଣ୍ଣ କରିଥିଲେ।

୭ଟଙ୍କାରେ ନିଲାମ ହେଲା ଗାନ୍ଧୀଙ୍କ ଲୁଗା
ଗାନ୍ଧୀଜୀ ଯେବେ ବାଲିଅନ୍ତାରୁ ଯାଇ ତେଲେଙ୍ଗାପେଣ୍ଠ‌‌ରେ ପହଞ୍ଚିଲେ, ସେଠାରେ ଜଣେ ୮୦ ବର୍ଷୀୟା ବୃଦ୍ଧା ତାଙ୍କୁ ଗୋଟିଏ ଲୁଗା ଉପହାର ଦେଲେ। ତେବେ ଗାନ୍ଧୀ ପରବର୍ତୀ ସମୟରେ ପାଣ୍ଠି ଯୋଗାଡ଼ିବା ଉଦ୍ଦେଶ୍ୟରେ ସେହି ଲୁଗାଟିକୁ ନିଲାମ କରିଥିଲେ। ଏହା ୭ଟଙ୍କାରେ ନିଲାମ ହେଲା, ଗାନ୍ଧୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେତେବେ‌ଳେ ୭ ଟଙ୍କାର ବହୁତ ମୂଲ୍ୟ ଥିଲା। ୧୯୬୯ ମସିହାରେ ଡ. ହରେକୃଷ୍ଣ ମହତାବଙ୍କ ଲିଖିତ ଓ ଅନନ୍ତ ମିଶ୍ରଙ୍କ ପ୍ରକାଶିତ ପୁସ୍ତକ ‘ଗାନ୍ଧୀଜୀ ଓ ଓଡ଼ିଶା’ ଗାନ୍ଧୀଜୀଙ୍କ ଓଡ଼ିଶା ସମ୍ପର୍କରେ ଏହିଭଳି ବହୁ ଅନାଲୋଚିତ କଥା ସାମ୍ନାକୁ ଆଣିଛି।

ସମ୍ବନ୍ଧିତ ଖବର