ନୀଳମାଧବ ମହାନ୍ତିଙ୍କ ‘ଡିଫ୍‌ରେଣ୍ଟ୍‌ କଲର୍ସ’ ଉନ୍ମୋଚିତ: ଦକ୍ଷତା ଓ ସାଧୁତା ହେଉଛି ଉତ୍ତମ ପ୍ରଶାସକର ହଲ୍‌ମାର୍କ

ଭୁବନେଶ୍ବର: ଦକ୍ଷତା ଓ ସାଧୁତା ହେଉଛି ଜଣେ ଉତ୍ତମ ପ୍ରଶାସକର ହଲ୍‌ମାର୍କ। ରାଜନେତାମାନେ କୌଣସି ନିଷ୍ପତ୍ତି ନେବା ସମୟରେ ଆଇନର ପରିଧି ଭିତରେ ରହି ସେମାନଙ୍କୁ ସ୍ବଚ୍ଛ ଓ ନିରପେକ୍ଷ ପରାମର୍ଶ ଦେବା ଜଣେ ଉତ୍ତମ ପ୍ରଶାସକଙ୍କ କାମ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ। ଅବସରପ୍ରାପ୍ତ ପ୍ରଶାସକ ନୀଳମାଧବ ମହାନ୍ତିଙ୍କ ପୁସ୍ତକ ‘ଡିଫ୍‌ରେଣ୍ଟ୍‌ କଲର୍ସ’, ଜଣେ ସରକାରୀ ଚାକିରିଆର ପ୍ରତିଫଳନ ଆଜି ପ୍ରେସ୍‌ କ୍ଲବ୍‌ଠାରେ ଉନ୍ମୋଚିତ ହୋଇଯାଇଛି। ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଷ୍ଟିସ୍‌ ପଟ୍ଟନାୟକ ବର୍ତ୍ତମାନର ଅମଲାତନ୍ତ୍ରର କାର୍ଯ୍ୟଧାରା ଦେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ବର୍ତ୍ତମାନର ଅମଲାତନ୍ତ୍ର ରାଜନେତାମାନଙ୍କର ହାତର ଚାବି କାଠି ହୋଇଯାଇଛନ୍ତି। ଏକ ସ୍ବଚ୍ଛ ନିଷ୍ପତ୍ତି ନେବାକୁ ପରାମର୍ଶ ଦେବା ବଦଳରେ ସେମାନେ ରାଜନେତାମାନଙ୍କ ନିଷ୍ପତ୍ତିକୁ ହାସଲ କରିବାକୁ ନିୟମକୁ ସେହି ବାଟରେ ବଦଳାଇ ଦେଉଛନ୍ତି। ଅଧିକ ଭୋଟରେ ଜିତି ଆସିଥିବା ସରକାର ଲୋକପ୍ରିୟ ହୋଇପାରେ, କିନ୍ତୁ ଏକ ଉତ୍ତମ ସରକାର ବୋଲି କୁହାଯାଇପାରିବ ନାହିଁ। ଏକ ଉତ୍ତମ ସରକାର କ୍ଷମତାକୁ ନିଜଠାରେ କେନ୍ଦ୍ରୀଭୂତ ନ କରି ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେଇଥାଏ। ଆଉ ଏକ ଉତ୍ତମ ସରକାର ଗଠନ ତଥା ଏକ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ଅମଲାତନ୍ତ୍ରର ଗୁରୁତ୍ବ ଅନେକ ବୋଲି ଜଷ୍ଟିସ ପଟ୍ଟନାୟକ କହିଥିଲେ। ଲେଖକ ଶ୍ରୀ ମହାନ୍ତିଙ୍କ ପୁସ୍ତକ ‘ଡିଫ୍‌ରେଣ୍ଟ୍‌ କଲର୍ସ’ରେ ସେ ନିଜ ପ୍ରଶାସକ ଜୀବନର ସମସ୍ତ ଅନୁଭୂତି, ବିଭିନ୍ନ ସରକାରୀ ପ୍ରସଙ୍ଗ, ନିଜ ରାଜନୈତିକ କର୍ତୃପକ୍ଷଙ୍କ ସହ ତାଙ୍କ ସମ୍ପର୍କ, ‌କେଉଁଭଳି ଭାବେ ଶ୍ରୀ ମହାନ୍ତିଙ୍କ ରାଜନୈତିକ କର୍ତୃପକ୍ଷ ତାଙ୍କ ପରାମର୍ଶକୁ ଗ୍ରହଣ କରନ୍ତି, ‌କିଭଳି ଅନେକ ସରକାରୀ ନିଷ୍ପତ୍ତିରେ ତାଙ୍କ ମାନସିକ ସହମତି ନ ଥାଏ ସେ ସବୁ ଅତି ଚମତ୍କାର ଢଙ୍ଗରେ ବର୍ଣ୍ଣନା କରିଛନ୍ତି ଶ୍ରୀ ଦାସ।

ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ନିଜ ପ୍ରଶାସକ ଜୀବନର ଅନୁଭୂତିକୁ ନେଇ ଶ୍ରୀ ମହାନ୍ତିଙ୍କ ଲିଖିତ ଏହି ପୁସ୍ତକ ଆଜିର ପ୍ରଶାସକଙ୍କ ପାଇଁ ବେଶ୍‌ ଉପାଦେୟ ହେବ। ସମସାମୟିକ ଇତିହାସ ଅତି ଦୁର୍ବଳ ହୋଇଥିବା ବେଳେ ଏହି ଅଭାବକୁ ପୂରଣ କରିବାରେ ଆତ୍ମଜୀବନୀଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଶ୍ରୀ ମହାନ୍ତିଙ୍କ ଏହି ପୁସ୍ତକଟି ଏକ ଆତ୍ମଜୀବନୀ ନୁହେଁ, ତାଙ୍କ ଚାକିରି କାଳର କିଛି ପ୍ରସଙ୍ଗଗୁଡ଼ିକୁ ନେଇ ତାଙ୍କର ଅନୁଭୂତିକୁ ବାଣ୍ଟିବାକୁ ଚାହିଁଛନ୍ତି। ଜଣେ ଦକ୍ଷ ପ୍ରଶାସକ କିପରି ହେବା ଉଚିତ, ରାଜନୈତିକ ବ୍ୟକ୍ତିତ୍ବମାନଙ୍କ ସହ ତାଙ୍କର ସମ୍ପର୍କ କିପରି ହେବା ଉଚିତ, ନିଜ ମତମନ୍ତବ୍ୟ ନିର୍ବିଶେଷରେ ସେ କିପରି ଭାବେ ଏକ ପରାମର୍ଶଦାତାର ଦାୟିତ୍ବ ନିର୍ବାହ କରିବା ଉଚିତ, ଅଯଥାରେ ରାଜନୈତିକ ବିବାଦରେ ନ ଫସି ସତ କଥାଟିକୁ ଅନାସକ୍ତ ଭାବେ କହିବା ଆଦି ପ୍ରସଙ୍ଗ ତାଙ୍କ ପୁସ୍ତକରେ ସ୍ଥାନ ପାଇଛି। କିନ୍ତୁ ଆଜିର ପ୍ରଶାସକମାନଙ୍କ ପାଇଁ ଏହା ପରୀ କାହାଣୀ ସଦୃଶ ବୋଲି ସେ କହିଥିଲେ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ୪୦ ଦଶକରେ ଜନ୍ମିତ ଜଣେ ମେଧାବୀ ଛାତ୍ର ତା’ ସମୟକୁ କିପରି ଦେଖୁଥିଲା, ସେ ସମୟର ଶିକ୍ଷା ବ୍ୟବସ୍ଥା କିପରି ଥିଲା, ସେ ନିଜ ଛାତ୍ର ଜୀବନକୁ କିଭଳି ଉପଭୋଗ କରୁଥିଲେ ସେ ସବୁ ଅନୁଭୂତି ଏହି ପୁସ୍ତକରେ ଉଲ୍ଲେଖ ହୋଇ ନାହିଁ। ଏହାଛଡ଼ା ୬୦ ଦଶକର ଓଡ଼ିଶା ସମ୍ପର୍କରେ ଆମେ ଏ ପୁସ୍ତକରୁ କିଛି ପାଇବା ନାହିଁ। କିନ୍ତୁ ଏହି ପୁସ୍ତକରେ ସେ ଓଡ଼ିଶାର ବିକାଶ ସମ୍ପର୍କରେ ସେ ଯେଉଁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ତାହା ନିହାତି ଭାବେ ଚିନ୍ତାର କାରଣ। ଯେଉଁଭଳି ଭାବେ ଶିଳ୍ପକୁ ବଢ଼ାଇବାକୁ ଚେଷ୍ଟା କରାଯାଉଛି, ଏକ ପଛୁଆ ରାଜ୍ୟକୁ ଉନ୍ନତ କରିବାକୁ ହେଲେ ଶିଳ୍ପ ଯେମିତି ବଣ୍ଟା ହେବାକୁ ସ୍ଥିର କରାଯାଉଛି ସେଥିରେ ସେ ସହମତ ନ ଥିଲେ। ତାଙ୍କ ବିଚାରରେ ଶିଳ୍ପ ଯେଉଁଠାରେ ବଢ଼ିବାର ସମ୍ଭାବନା ରହିଛି, ତାକୁ ସେଠି ବଢ଼ିବାକୁ ଦିଆଯାଉ। ତା’ର ଆନୁଷଙ୍ଗିକ ଶିଳ୍ପକୁ ଉତ୍ସାହିତ କରିବାକୁ ସୁଯୋଗ ଦିଆଯାଉ। ସହରୀକରଣ ପ୍ରକ୍ରିୟାକୁ ଚାରିଆଡ଼େ ବାଣ୍ଟିବାକୁ ଚେଷ୍ଟା ନ କରାଯାଉ। ପ୍ରାକୃତିକ ଉପାୟରେ ଶିଳ୍ପ ସହର ଓ ବିକାଶର କେନ୍ଦ୍ରମାନ ତିଆରି ହୁଅନ୍ତୁ। ଆପେ ଆପେ ଅନ୍ୟ କେନ୍ଦ୍ରଗୁଡ଼ିକ ତା’ ଆଡ଼କୁ ଆକର୍ଷିତ ହେବେ। ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ଧରିତ୍ରୀ’ର ସମ୍ପାଦକ ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ କହିଲେ, ଅମଲାତନ୍ତ୍ର ଦ୍ବାରା ହିଁ ଦେଶର ପରିବର୍ତ୍ତନ ସମ୍ଭବ। ରାଜନୀତି ନୁହେଁ କି ନ୍ୟାୟପାଳିକା ନୁହେଁ ଦକ୍ଷ ପ୍ରଶାସକମାନେ ହିଁ ଦେଶର ପ୍ରଗତିର ମୁଖ୍ୟବାହକ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ପୁସ୍ତକର ପ୍ରକାଶକ ହର୍‌-ଆନନ୍ଦ ପବ୍ଲିକେସନ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନରେନ୍ଦ୍ର କୁମାର ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର