ଭୁବନେଶ୍ବର: ଗତକାଲି ଅପରାହ୍ନରେ ସାଲିଆସାହି ନୀଳଚକ୍ରନଗରର ନୀଳାଞ୍ଚଳ ବେହେରାଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ୩୬ଘଣ୍ଟା ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ମୁଫି ଓ ତା’ର ଅନ୍ୟ ଜଣେ ସହଯୋଗୀକୁ ପୁଲିସ ଗିରଫ କରିଛି। ତେବେ ଏହି ମାମଲାରେ ସମ୍ପୃକ୍ତ ଥିବା ଆହୁରି ୫ ଏବେ ବି ଫେରାର୍ ଅଛନ୍ତି। ମୁଫିକୁ ପଚରାଉଚରା ଚାଲିଛି ଓ ବିବାଦର କାରଣ ସ୍ପଷ୍ଟ ହୋଇନାହିଁ ‌ବୋଲି ସୂଚନା ମିଳିଛି। ସେପଟେ ହସ୍ପିଟାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ନୀଳାଞ୍ଚଳ।

Advertisment

ସୂଚନାଯୋଗ୍ୟ ‌ଯେ ଗତକାଲି ଅପରାହ୍ନ ପ୍ରାୟ ୧ଟା ବେଳେ ବିଜୁ ପଟ୍ଟନାୟକ କଲେଜ ପଛ ମେ ଫେୟାର ରାସ୍ତାରେ ପ୍ରାୟ ୬/୭ ଜଣ ଯୁବକ ନୀଳାଞ୍ଚଳକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ନୀଳାଞ୍ଚଳଙ୍କ ଭାଇ ଅକ୍ଷୟ ଅଭିଯୋଗ କରିଥିଲେ ଯେ ନିଶା କାରବାରକୁ ବିରୋଧ କରିବାରୁ ମୁଫି ଓ ଅନ୍ୟମାନେ ଏଭଳି ଆକ୍ରମଣ କରିଛନ୍ତି। ପୁଲିସ ସୂଚନା ମୁତାବକ ୧୫ଦିନ ତଳେ ନୀଳାଞ୍ଚଳ ଓ ତା’ର କିଛି ସହଯୋଗୀ ମୁଫିକୁ ଆକ୍ରମଣ କରିବାକୁ ଖୋଜୁଥିଲେ। ମାତ୍ର କୌଣସିମତେ ମୁଫି ସେମାନଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିଲା। ‌ତେଣୁ ମୁଫି ଓ ନୀଳାଞ୍ଚଳ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରୁ ଏହି ଘଟଣା ଘଟିଛି।
ଅପରପକ୍ଷରେ ନୀଳାଞ୍ଚଳଙ୍କୁ ଆକ୍ରମଣ କରିଥିବା ତାଙ୍କ ସାଙ୍ଗ ମୁଫି ଓ ତାଙ୍କ ସହଯୋଗୀ ମୁନା, କୁନା, ଅଲ୍ଲୀ ସମେତ ସମସ୍ତ ଅଭିଯୁକ୍ତ କେବିଏନ୍ ଗ୍ୟାଙ୍ଗ୍‌ର ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ନାଁ ଗୋପନ ସର୍ତ୍ତରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜଣେ ଯୁବ ରାଜନେତା କେବିଏନ୍ ଗ୍ୟାଙ୍ଗ୍‌କୁ ଚଳାଉଛନ୍ତି।