ନୀଳଚକ୍ରର ବାର୍ଷିକ ଉତ୍ସବ ‘ଓଡ଼ିଆ ଭାଷାକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ କରିବା ଜରୁରୀ’

କଟକ: ପ୍ରତ୍ୟେକ ଓଡ଼ିଆ ଭାଷାର ପରିଚୟ ଓ ଅସ୍ମିତାକୁ ଭଲ ପାଇବା ସହ ଏହାକୁ ଉପଭୋଗ କରିବାର ଆବଶ୍ୟକ ରହିଛି। ନିଜ ଭାଷାକୁ ଯିଏ ଭଲପାଏ ତାକୁ ନେଇ ସେ ଗର୍ବ କରେ। ଓଡ଼ିଆ ଭାଷାର ଉନ୍ନତି ଓ ଏହାର ସ୍ଥିତି ପାଇଁ ଆଜିର ଓଡ଼ିଆ ଜାତି କଥାରେ ନୁହେଁ, ମାତ୍ର କାମରେ ଏହାକୁ ଭଲ ପାଇଲେ ଏହା ସମ୍ଭବ ହୋଇପାରିବ ବୋଲି ‘ନୀଳଚକ୍ର’ର ବାର୍ଷିକ ଉତ୍ସବରେ ବକ୍ତାମାନେ କହିଛନ୍ତି। ‘ନୀଳଚକ୍ର’ ୪୯ବର୍ଷ ଧରି ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାର୍ଯ୍ୟ କରିବା ଏକ ଗୌରବର ବିଷୟ ବୋଲି ମତପ୍ରକାଶ ପାଇଛି। ଶ୍ରୀରାମଚନ୍ଦ୍ର ଭବନଠାରେ ସଂଗଠନର ସଭାନେତ୍ରୀ ନମିତା ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ବାର୍ଷିକ ଉତ୍ସବକୁ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଉଦ୍‌ଘାଟନ କରିଥିଲେ। ସାହିତ୍ୟିକ ଓ ପ୍ରଶାସକ ଡକ୍ଟର ରତ୍ନାକର ରାଉତ ମୁଖ୍ୟ ଅତିଥି, ଡକ୍ଟର ନଟବର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ନୀଳଚକ୍ର’ ସଂଗଠନର ଭାଷା ଓ ସଂସ୍କୃତି ଦିଗରେ ରହିଥିବା ଅବଦାନ ଉପରେ ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୈନିକ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ସାମ୍ବାଦିକ ବିଶ୍ବନାଥ ସାମଲ, ସଂଗଠକ ରବୀନ୍ଦ୍ର କୁମାର ବାରିକ ଓ ଶ୍ରୀଧର ସ୍ବାଇଁଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସତ୍ୟବ୍ରତ ପ୍ରଧାନ, ହିମାନ୍ତୀ ପଣ୍ଡା, ଅଦ୍ବୈତ ଚରଣ ପ୍ରଧାନ, ମଦନ ରାଉତ, ତୁଷାର ସାହୁ, ବିଜୟ ତ୍ରିପାଠୀ, ଶ୍ୟାମ ସୁନ୍ଦର ସ୍ବାଇଁ, ସାଗରିକା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବରେ ସଂଗଠନର ମୁଖ୍ୟ ଉପଦେଷ୍ଟା ବ୍ରଜ ନନ୍ଦ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସଂପାଦକ କାହ୍ନୁଚରଣ ପାଣିଗ୍ରାହୀ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଦୀପକ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷାବିତ୍‌ କୈଳାସ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟ‌ରେ ଥିବା ବିଭିନ୍ନ ଶାଖାର ପ୍ରତିନିଧିଙ୍କୁ ନେଇ ଆଗାମୀ ବର୍ଷ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧିତ ଖବର