‘ମୁଁ ନୀଳକଣ୍ଠଙ୍କୁ ଯେମିତି ଜାଣେ’ ସ୍ମାରକୀ ବକ୍ତୃତା: ନୀଳକଣ୍ଠ ଥିଲେ ଓଡ଼ିଆ ଅସ୍ମିତାର ପ୍ରତୀକ

ଭୁବନେଶ୍ୱର: ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ଓଡ଼ିଆ ଅସ୍ମିତାର ପ୍ରତୀକ। ସେ ଥିଲେ ଆଧୁନିକ ସମୟର ଋଷି। ଓଡ଼ିଶାର ଶିକ୍ଷା, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଅତୁଳନୀୟ। ସତ୍ୟବାଦୀ ବନ ବିଦ୍ୟାଳୟର ପରିଚୟ ଥିଲେ ପଣ୍ଡିତ ନୀଳକଣ୍ଠ। ଆଜି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ସଂସ୍କୃତି ଭବନରେ ଆୟୋଜିତ ପଣ୍ଡିତ ନୀଳକଣ୍ଠ ଦାସ ସ୍ମାରକୀ ବକ୍ତୃତା ସମାରୋହ ଉତ୍ସବରେ ଅତିଥିମାନେ ଏଭଳି କହିଛନ୍ତି। ‘ମୁଁ ନୀଳକଣ୍ଠଙ୍କୁ ଯେମିତି ଜଣେ’ ପ୍ରସଙ୍ଗକୁ ନେଇ ବକ୍ତାମାନେ ଏଭଳି ମତ ପୋଷଣ କରିଛନ୍ତି।

ବକ୍ତୃତା ସଭାରେ ଅଧ୍ୟକ୍ଷତା କରି ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ କହିଥିଲେ ଯେ କିଛି ବ୍ୟକ୍ତିବିଶେଷ ପଣ୍ଡିତ ନୀଳକଣ୍ଠଙ୍କୁ କବିବର ରାଧାନାଥଙ୍କ ବିରୋଧୀ ଭାବେ ଚିତ୍ରଣ କରିଥାଆନ୍ତି। ମାତ୍ର ବାସ୍ତବରେ ପଣ୍ଡିତ ନୀଳକଣ୍ଠ ଥିଲେ ରାଧାନାଥଙ୍କ ଶ୍ରେଷ୍ଠ ଅନୁଗାମୀ। ରାଧାନାଥଙ୍କ ‘ମହାଯାତ୍ରା’କୁ ଅନୁସରଣ କରି ସେ ‘ପ୍ରଣୟିନୀ’ କାବ୍ୟ ରଚନା କରିଥିଲେ। ମୁଖ୍ୟ ଅତିଥି ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ତାଙ୍କୁ ଜଣେ ଋଷି ଭାବେ ବର୍ଣ୍ଣନା କରିଥିଲେ। ପଣ୍ଡିତ ନୀଳକଣ୍ଠଙ୍କ ନିକଟ ସମ୍ପର୍କୀୟ ପ୍ରଫେସର ମଥୁରାନାଥ ଦାସ, ବରିଷ୍ଠ ଅଧିବକ୍ତା ଅଜିତ୍ ରଥ ଓ ପୂର୍ଣ୍ଣେନ୍ଦୁ କୁମାର ଦାସ ସେମାନଙ୍କ ବକ୍ତବ୍ୟରେ ତାଙ୍କ ସଙ୍ଗେ ବିତାଇଥିବା ଅଭୁଲା ସ୍ମୃତିର ଅବତାରଣା କରିଥିଲେ। କାନାଡା ଓ ଆମେରିକାରେ ରହୁଥିବା ପଣ୍ଡିତଙ୍କ ନାତୁଣୀ ସୁମିତ୍ରା ପାଢ଼ୀ ଓ ଧରିତ୍ରୀ ମିଶ୍ର ଜେଜେଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଠାଇଥିବା ଆଲେଖ୍ୟକୁ ପୂର୍ଣ୍ଣେନ୍ଦୁ କୁମାର ଦାସ ପାଠ କରିଥିଲେ। ବରିଷ୍ଠ ଲେଖକ ଧନେଶ୍ୱର ସାହୁ ‘ନୀଳକଣ୍ଠ ଓ ଓଡ଼ିଶାର ନବଜାଗରଣ’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିବା ଅବସରରେ ତାଙ୍କୁ ଜଣେ ଦାର୍ଶନିକ ବୋଲି ବର୍ଣ୍ଣନା କରିବା ସହ ଓଡ଼ିଶାର ନବଜାଗରଣ ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ ଥିଲେ ବୋଲି କହିଥିଲେ। ଏକାଡେମିର ଉପସଭାପତି ଡ. ସଂଗ୍ରାମ ଜେନା କହିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ ସମ୍ପର୍କରେ କହିଥିଲେ। ଏକାଡେମି ସଚିବ ପ୍ରବୋଧ କୁମାର ରାଉତ ଅତିଥି ପରିଚୟ ଓ ଉପବିଭାଗ ଅଧିକାରୀ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର