ଭୁବନେଶ୍ୱର : ଦିନେ ସେ ମତେ କହିଲେ ପ୍ରଫୁଲ୍ଲ ମତେ ତୋ ପ୍ରୋଗ୍ରାମରେ ଗାଇବାକୁ ଡାକୁନୁ। ମୁଁ ମନା କରିପାରିଲିନି। ଉତ୍କଳ ବିଶ୍ୱବିଦ୍ୟାଳୟ ଉତ୍ସବରେ ଆମର କାର୍ଯ୍ୟକ୍ରମ ଥିବାରୁ ଡକେଇଲି। ଯେବେ ପ୍ରଥମ ଗୀତ ଗାଇଲେ ପିଜି ଛାତ୍ରଛାତ୍ରୀଙ୍କୁ ଏମିତି ମୋହିନୀମନ୍ତ୍ରରେ ବାନ୍ଧି ଦେଲେ ଯେ ଶ୍ରୋତା ଗ୍ୟାଲେରିରୁ ଖାଲି ଶୁଭିଲା ‘ଆଉ ଗୋଟେ ଆଉ ଗୋଟେ..। ତା’ ପରେ ମୁଁ ସିନା ଗାଇଲି କିନ୍ତୁ ତାଙ୍କ ଭଳି ପ୍ରଶଂସା ପାଇଲିନି। ସେଇଦିନଠୁ ମୁଁ ଆଉ ତାଙ୍କୁ ଆଉ ଆଗୁଆ ଗାଇବାକୁ ଛାଡ଼ିଲିନି। ପ୍ରଶଂସା ପାଇବି ବୋଲି ଆଗୁଆ ଆଗୁଆ ଗାଇ ଦେଉଥିଲି। ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ସହ ବିତେଇଥିବା ଅବିସ୍ମୃତ ସ୍ମୃତିକୁ ଏମିତି ବଖାଣିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର।

Advertisment

ଆସନ୍ତାକାଲି ତାଙ୍କର ଜନ୍ମଦିନ ଥିବା ବେଳେ ଆଜି ତାଙ୍କୁ ସ୍ମରଣ କରି ପ୍ରଫୁଲ୍ଲ କର ଉତ୍ସୁକତାର ସହ କହି ପକାଇଲେ, ବାଣୀକଣ୍ଠ ଥିଲେ ଭାରି ରସିକିଆ। ପଂଜାବୀ, ମାଳା ଓ ସିନ୍ଦୂର ଟିପା ନ ଲଗେଇଲେ ମଞ୍ଚକୁ ଯାଉନଥିଲେ। ମଞ୍ଚରୁ ଆସିଲେ ପୁଣି ତାକୁ ଚଉତି ମୁଣାରେ ରଖୁଥିଲେ। ବ୍ୟକ୍ତିତ୍ୱ ଯେମିତି ଆକର୍ଷଣୀୟ ଥିଲା କଣ୍ଠ ନିଃସୃତ ଗୀତରେ ସେମିତି ଯାଦୁ ଥିଲା। ଅଶୀଦଶକର କଥା। ହୀରାକୁଦ ବନ୍ଧ ହେବା ପାଇଁ ଘୋଷଣା ହେବା ପରେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସେଥିପାଇଁ ସରକାର ଚିନ୍ତାରେ ପଡ଼ି ଯାଇଥିଲା। ତେଣୁ ସୂଚନା ଓ ଲୋକସମ୍ପର୍କ ହୀରାକୁଦ ବନ୍ଧ ହେବା ପରେ ଏହାର ଉପକାରିତା ସମ୍ପର୍କରେ ବାଣୀକଣ୍ଠଙ୍କୁ ନେଇ ଏକ ଅଡ଼ିଓ ପ୍ରସ୍ତୁତ କଲେ। ତାହାକୁ ଗାଁ ଗାଁ ବୁଲାଇ ପ୍ରଚାର କରାଯିବା ପରେ ହିଁ ଲୋକେ ଶାନ୍ତ ପଡ଼ିଥିଲେ।

ସେ ଗାଉଥିବା ଗୀତର ‘ସେ’ ହିଁ ଥିଲେ ଏକଚାଟିଆ ଅଧୀଶ୍ୱର। ବୋଧେ ସେଇଥିପାଇଁ କାହିଁ କେତେ ଦୂରରୁ ଭାସି ଆସୁଥିବା ଗୀତଟି ସୂଚେଇ ଦେଉଥିଲା ଏହା ନିମାଇଁ ହରିଚନ୍ଦନଙ୍କ ଗୀତ। କାଳିଆର ଭଜନ ଗାଇବା ବେଳେ ତାଙ୍କ ଭାବବୋଳା ସ୍ୱର ଓ ଜକେଇ ଯାଉଥିବା ଆବେଗ ସର୍ବସ୍ୱ ନୟନ ଯୁଗଳକୁ ଦେଖିଥିବା ଲୋକଟି ହିଁ ଜାଣେ କାଳିଆ ସହ ତାଙ୍କର କେତେ ଭାବ। ସେ କହନ୍ତି, କାଳିଆ କୁଆଡ଼େ ତାଙ୍କ ଗୀତ ନଶୁଣିଲେ ଋଷେ। ବୋଧେ ସେଇଥିପାଇଁ ସେ ଗାଇପାରନ୍ତି ‘ବାହୁଡ଼ାରେ ମତେ ବାହୁଡ଼ାଇ ନିଅ..., ଆଉ ସତକୁ ସତ ଏ ସଂସାରରୁ ବାହୁଡ଼ି ଯାଇପାରନ୍ତି ଠିକ୍‌ ବାହୁଡ଼ାରେ।

‘ପତିତ ଜନକୁ ଉଦ୍ଧାରିବା ପାଇଁ, ଉଡ଼ାଉ ଅଛ ପତାକା... ହେଉ କି ‘ଥକା ମନ ଚାଲ ଯିବା ଚକା ନୟନ ଦେଖିବା..। ‘ଚକାଡୋଳା କିମ୍ବା ଡକା... ହେଉ ଅବା ‘କଳା କଳେବର କହ୍ନାଇ...। ପୁଣି ‘ଗରଜିଲା ମେଘ... ହେଉ ଅବା ‘ବୋହୁ ଚାଲି ନଜାଣଇଲୋ ପାଦ ପଡ଼ୁଥାଇ ବଙ୍କା...। ଏମିତି ଶହଶହ ଖାଣ୍ଟି ଓଡ଼ିଆ ଗୀତରେ ଅଂସଖ୍ୟ ଶ୍ରୋତା ମନରେ ମାୟା ଲଗାଇଥିବା ବାଣୀକଣ୍ଠ ତାଙ୍କ ଅବର୍ତମାନରେ ଆଜି ବି ପ୍ରତିଟି ବିଦଗ୍ଧ ଶ୍ରୋତାଙ୍କ ହୃଦୟର ଗଳାମାଳି।